FIH Hockey Men’s World Cup 2026:ପୁରୁଷ ହକି ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା;ଟିମରେ ଓଡ଼ିଶାର ୨ ଷ୍ଟାର୍ ଖେଳାଳି
ନୂଆଦିଲ୍ଲୀ: ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ବେଲଜିୟମ ଓ ନେଦରଲାଣ୍ଡରେ ଅନୁଷ୍ଠିତ ହେବ FIH ହକି ବିଶ୍ୱକପ୍ (FIH Hockey World Cup)। ଏନେଇ ହକି ଇଣ୍ଡିଆ ୨୦ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରିଛି । ଏହି ଅବସରରେ ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ ( Craig Fulton) ଆଶା ବ୍ୟକ୍ତ କରିଛନ୍ତି ଯେ ମନୋନୀତ ଦଳ ପାଖରେ “ଭାରତୀୟ ହକି ଇତିହାସରେ ନିଜର ଏକ ସ୍ୱତନ୍ତ୍ର ଅଧ୍ୟାୟ ଲେଖିବାର” ଉଜ୍ଜ୍ୱଳ ସୁଯୋଗ ରହିଛି।
ସୂଚନାଥାଉକି, ଓଡ଼ିଶାର ଦୁଇ ପ୍ରତିଭାବାନ ହକି ଖେଳାଳି ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରା ଆଗାମୀ ପୁରୁଷ ହକି ବିଶ୍ୱକପ୍ ୨୦୨୬ ପାଇଁ ୨୦ ଜଣିଆ ଭାରତୀୟ ସ୍କ୍ୱାଡ୍ରେ ସ୍ଥାନ ପାଇଛନ୍ତି । ସୁନ୍ଦରଗଡ଼ର ଅଭିଜ୍ଞ ଡିଫେଣ୍ଡର ତଥା ଅଲିମ୍ପିକ୍ ପଦକ ବିଜେତା ଅମିତ ରୋହିଦାସ ନିଜର ଦୃଢ଼ ରକ୍ଷଣଭାଗ ଏବଂ ଚମତ୍କାର ପେନାଲ୍ଟି କର୍ଣ୍ଣର ଡିଫେନ୍ସ (ଫାଷ୍ଟ ରନିଂ) ପାଇଁ ଜଣାଶୁଣା , ଯାହା ଭାରତୀୟ ଦଳର ଡିଫେନ୍ସିଭ୍ ୟୁନିଟ୍କୁ ବହୁତ ମଜବୁତ କରିବ। ଅନ୍ୟପଟେ ଓଡ଼ିଶାର ଯୁବ ଫରୱାର୍ଡ ଖେଳାଳି ଶିଳାନନ୍ଦ ଲାକ୍ରା ନିଜର ଚମତ୍କାର ବେଗ ଏବଂ ଗୋଲ୍ କରିବାର ଦକ୍ଷତା ବଳରେ ଭାରତୀୟ ଆଟାକିଂ ବିଭାଗକୁ ସମ୍ଭାଳିବେ।
#Odisha‘s Amit Rohidas and Shilanand Lakra have been selected in the Indian Men’s Hockey Team squad for the FIH Hockey World Cup Belgium & Netherlands 2026. 🏑
Congratulations and best wishes to both of you!#OdishaForHockey #IndiaKaGame #HWC2026 #RoadToTheWorldCup https://t.co/UEqOGbgUfR
— Odisha Sports (@sports_odisha) July 21, 2026
ଏପଟେ ଏସିଆର ଶୀର୍ଷ ଡିଫେଣ୍ଡର ତଥା ଡ୍ରାଗ୍-ଫ୍ଲିକର୍ ହରମନପ୍ରୀତ ସିଂହ ବିଶ୍ୱକପ୍ ଦଳର ନେତୃତ୍ୱ ନେବେ। ଭାରତ ପାଇଁ ସବୁଠାରୁ ଅଧିକ ମ୍ୟାଚ୍ ଖେଳିଥିବା ଅଭିଜ୍ଞ ମିଡ୍ଫିଲ୍ଡର ମନପ୍ରୀତ ସିଂହ ମଧ୍ୟ ଦଳରେ ମଧ୍ୟ ସାମିଲ ଅଛନ୍ତି। ଭାରତର ବିଶ୍ୱକପ୍ ଦଳରେ ଅନେକ ଅଭିଜ୍ଞ ଏବଂ ଯୁବ ପ୍ରତିଭା ଖେଳାଳି ସାମିଲ ଅଛନ୍ତି।
ଦଳରେ ଗୋଲକିପିଂ ବିଭାଗରେ ମୋହିତ ଏଚ୍.ଏସ୍. ଏବଂ ସୁରଜ କର୍କେରା ରହିଛନ୍ତି । ଡିଫେନ୍ସିଭ୍ ୟୁନିଟ୍ରେ ଜରମନପ୍ରୀତ ସିଂହ, ଅଧିନାୟକ ହରମନପ୍ରୀତ, ଅମିତ ରୋହିଦାସ, ଯୁଗରାଜ ସିଂହ, ସଞ୍ଜୟ, ସୁମିତ ଏବଂ ଯଶଦୀପ ସିୱାଚ୍ ରହିଛନ୍ତି।
ମିଡ୍ଫିଲ୍ଡର ନେତୃତ୍ୱ ମନପ୍ରୀତ, ହାର୍ଦ୍ଦିକ ସିଂହ ଏବଂ ବିବେକ ସାଗର ପ୍ରସାଦ, ନୀଳକଣ୍ଠ ଶର୍ମା ଏବଂ ପ୍ରତିଭାବାନ ଯୁବ ଖେଳାଳି ରାଜିନ୍ଦର ସିଂହ ଓ ଆଦିତ୍ୟ ଅର୍ଜୁନ ଲାଲାଗେ ନେବେ। ଆଟାକିଂ ଦାୟିତ୍ୱ ମନଦୀପ ସିଂହ, ଦିଲପ୍ରୀତ ସିଂହ, ଅଭିଷେକ, ସୁଖଜୀତ ସିଂହ ଏବଂ ଶିଳାନନ୍ଦ ଲାକ୍ରାଙ୍କ କାନ୍ଧରେ ରହିବ।
ଇଂଲଣ୍ଡ, ପାକିସ୍ତାନ ଏବଂ ୱେଲ୍ସ ସହିତ ‘ପୁଲ୍ ଡି’ (Pool D) ରେ ସ୍ଥାନ ପାଇଥିବା ଭାରତ ନିଜର ସମସ୍ତ ପୁଲ୍-ସ୍ତରୀୟ ମ୍ୟାଚ୍ ନେଦରଲ୍ୟାଣ୍ଡର ଆମଷ୍ଟେଲଭିନ୍ (Amstelveen) ଠାରେ ଖେଳିବ।
ଭାରତ ୧୫ ଅଗଷ୍ଟରେ ୱେଲ୍ସ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବ;ଏହା ପରେ ୧୭ ଅଗଷ୍ଟରେ ଇଂଲଣ୍ଡ ଏବଂ ୧୯ ଅଗଷ୍ଟରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ, ଯାହାକି ପୁଲ୍ ପର୍ଯ୍ୟାୟର ସବୁଠାରୁ ଆକର୍ଷଣୀୟ ମ୍ୟାଚ୍ ହୋଇ ରହିବ।
“୧୯୭୫ (ବିଶ୍ୱକପ୍ ବିଜୟ) ପରଠାରୁ ୫୦ ବର୍ଷ ପରେ, ଭାରତୀୟ ହକି ଇତିହାସରେ ନିଜର ଏକ ସ୍ୱତନ୍ତ୍ର ଅଧ୍ୟାୟ ଲେଖିବାର ସୁଯୋଗ ଏହି ଦଳ ପାଖରେ ରହିଛି ଏବଂ ଏହାକୁ ନେଇ ଆମେ ବହୁତ ଉତ୍ସାହିତ,” ବୋଲି ମୁଖ୍ୟ କୋଚ୍ ଫୁଲଟନ୍ କହି ନିଜର ମନ୍ତବ୍ୟ ଶେଷ କରିଥିଲେ।