Latest Odisha News

BREAKING NEWS

ହକି ଟିକେଟ୍ ନାହିଁ, ତଥାପି ଷ୍ଟାଡିୟମ୍ ଖାଲି; ପୁଣି ପୋଲ୍ ଖୋଲିଲା ବିଏମସି

ଭୁବନେଶ୍ୱର: ହକି ବିଶ୍ୱକପକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ । ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର ସବୁଠି ହକି ବିଶ୍ୱକପକୁ ନେଇ ସରକାର ଉତ୍ସବ ପାଳୁଛନ୍ତି । ହକି ଦେଖିବାକୁ ଟିକେଟ୍ ମିଳୁନି । ଅନଲାଇନ୍ ହେଉ କି କାଉଣ୍ଟର କେଉଁଠି ବି ଟିକେଟ୍ ନାହିଁ । ଅର୍ଥାତ୍ ସବୁ ଟିକେଟ୍ ବିକ୍ରି ହୋଇ ଯାଇଛି । ଅଥଚ ଷ୍ଟାଡିୟମରେ ଚେୟାର ଫାଙ୍କା ପଡ଼ୁଛି ।

ଯାହାକୁ ନେଇ ପ୍ରଶ୍ନ ଉଠୁଛି ହକି ଟିକେଟ୍ ସବୁ ଗଲା କୁଆଡ଼େ ? ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ, ଏଫ୍ଆଇଏଚ୍ ସହ ମିଶି କେତେ ଟିକେଟ୍ ବିକ୍ରି କଲା ଓ ବାଣ୍ଟିଲା ? ଅନଲାଇନ୍ ଓ ଅଫଲାଇନରେ ବିକ୍ରି ହୋଇଛି କେତେ ଟିକେଟ୍ ? ଏନେଇ କ୍ରୀଡ଼଼ା ବିଭାଗ କୌଣସି ପ୍ରତିକ୍ରିୟା ରଖୁ ନାହିଁ । ଯାହାକି ଟିକେଟ୍ କେଳେଙ୍କାରୀ ଚର୍ଚ୍ଚାକୁ ଖୋରାକ ଯୋଗାଉଛି ।

ଅନ୍ୟପଟେ ପୂର୍ବରୁ ଭାରତ ମ୍ୟାଚ୍ ଟିକେଟ୍ କାଉଣ୍ଟରରେ ନ ମିଳିବା ଏବଂ କଳାବଜାରୀ ବେଳେ କିଛି ଅସାଧୁ ଲୋକ ଗିରଫ ହୋଇଥିଲେ । ଆଉ ଆଜି ବିଏମସି ହକି ବିଶ୍ୱକପକୁ ନେଇ ଏକ ଟ୍ୱିଟ୍ କରିଛି । ଟ୍ୱିଟ୍ ଅନୁସାରେ, ବିଏମସି ପକ୍ଷରୁ ଭୂମିହୀନ, ଭିକ୍ଷୁକ ଓ କିନ୍ନରଙ୍କୁ କଳିଙ୍ଗ ଷ୍ଟାଡିୟମରେ ହକି ଦେଖିବାର ସୁଯୋଗ ମିଳିଛି ।

ଆଉ ବିଏମସି ଉକ୍ତ ପୋଷ୍ଟରେ ସେୟାର କରିଥିବା ଫଟୋରେ ଏକାଧିକ ଚେୟାର ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଛି । ଅନଲାଇନରେ ହକି ବିଶ୍ୱକପ୍ ଟିକେଟ୍ ବିକ୍ରି କରୁଥିବା ପେଟିଏମରେ ଆଉ କୌଣସି ଟିକେଟ୍ ଉପଲବ୍ଧ ନାହିଁ । ସେହିଭଳି କାଉଣ୍ଟରରେ ମଧ୍ୟ ଟିକେଟ୍ ନାହିଁ । ତେବେ, କାହିଁକି ଏକାଧିକ ଚେୟାର୍ ଫାଙ୍କା ପଡ଼ୁଛି । ତାକୁ ନେଇ ଏବେ ସମସ୍ତେ ପ୍ରଶ୍ନ କରୁଥିବା ବେଳେ କ୍ରୀଡ଼ା ବିଭାଗ ମୁହଁ ଖୋଲୁ ନାହିଁ ।

Leave A Reply

Your email address will not be published.