ବାରିପଦା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଏହା ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଯାହାକୁ ଦୃଷ୍ଟିରେ ରଖି ୨୭ ଜୁଲାଇ ସୋମବାର ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
IMD ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରିଛି । ଏହାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି ନେଇଛି । ସୋମବାର ଦିନ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଏହି ନିଷ୍ପତ୍ତି ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରର ସମସ୍ତ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଜିଲ୍ଲାପାଳ ଏହି ଆଦେଶ ଜାରି କରିଛନ୍ତି ।
ଅବପାତ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ । ଏହା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ୨୭ ତାରିଖ ମଧ୍ୟାହ୍ନରେ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି ।