Latest Odisha News

BREAKING NEWS

ଏଏସଆଇ ଦ୍ୱାରା ଆରମ୍ଭ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କାର୍ଯ୍ୟ

ପୁରୀ: ରଥଯାତ୍ରାରେ ବାହାରି ଚତୁର୍ଦ୍ଧା ମୂର୍ତ୍ତି ଏବେ ୯ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିବେ । ଶ୍ରୀଜୀଉମାନଙ୍କ ଅନୁପସ୍ଥିତିରେ ଏବେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା (ଏଏସଆଇ) ଦ୍ୱାରା ଶ୍ରୀମନ୍ଦିରସ୍ଥ ଗର୍ଭଗୃହର ଯାଞ୍ଚକାର୍ଯ୍ୟ ଆରମ୍ଭ ହୋଇଛି ।

ଶ୍ରୀମନ୍ଦିରସ୍ଥ ଗର୍ଭଗୃହରେ ବରିଷ୍ଠ ଏଏସଆଇ ପଦାଧିକାରୀ, ଏଏସଆଇର ଟେକ୍ନିକାଲ୍ କୋର୍ କମିଟି, ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆରଆଇ), ରୁରକି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଏବଂ ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି ।

ଗଣମାଧ୍ୟମକୁ ସୂଚନାଦେଇ, ଏଏସଆଇ ସୁପରିନଟେଣ୍ଡିଂ ଇଞ୍ଜିନିୟର ଅରୁଣ ମଲ୍ଲୀକ କହିଛନ୍ତି, ଏଏସଆଇର ଟେକ୍ନିକାଲ୍ କୋର୍ କମିଟିର ଯନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପୂର୍ତ୍ତ ଓ ନିର୍ମାଣ ବିଭାଗର ବରିଷ୍ଠ ଯନ୍ତ୍ରୀ ମିଳିତ ଭାବେ ଗର୍ଭ ଗୃହର ଯାଞ୍ଚକାର୍ଯ୍ୟ କରୁଛନ୍ତି ।

ଗର୍ଭଗୃହରେ ପାଣି ଗଳୁଥିବା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଗର୍ଭଗୃହ ମଧ୍ୟରେ କାନ୍ଥରୁ ପାଣି ଗଳୁଥିବାର ସେପରି କିଛି ସୂଚନା ପାଇନାହାନ୍ତି ।

ଏଏସଆଇ ଟେକ୍ନିକାଲ୍ କୋର୍ କମିଟିର ସଦସ୍ୟ ଏନ ସି ପାଲଙ୍କ ସୂଚନାନୁଯାୟୀ, ଗର୍ଭଗୃହର ମରାମତି କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇ କାର୍ଯ୍ୟ ଆରମ୍ଭ କରାଯାଉଛି ।

“ପ୍ରଳୟଙ୍କରୀ ଫନୀ ବାତ୍ୟା ପରେ ଗର୍ଭଗୃହ କାନ୍ଥରେ ପାଣି ଗଳୁଥିବା ନେଇ ସେବାୟତଙ୍କଠାରୁ ସୂଚନା ପାଇବାପରେ ଆମେ ୨/୩ ଟି ସୂତ୍ରରୁ ପାଣି ଗଳୁଥିବାର ଅନୁମାନ କରି ସେହି ଅନୁସାରେ କାର୍ଯ୍ୟ କରିବୁ । ଏହାକୁ ଭଲଭାବେ ଯାଞ୍ଚ କରିବା ପରେ ପାଣି ଗଳୁଥିବାର ଜଣାପଡ଼ିବା ପରେ ଆମେ ଭଲଭାବେ ମରାମତି କରିବୁ ଯାହାକି ଭବିଷ୍ୟତରେ ଆଉ ପାଣି ପଡ଼ିବ ନାହିଁ,” ବୋଲି ଶ୍ରୀ ପାଲ୍ କହିଛନ୍ତି ।

ଉସେ ଗଣମାଧ୍ୟମକୁ ସୂଚନା ଦେଇ ଆହୁରି କହିଛନ୍ତି ଯେ, ଗର୍ଭଗୃହର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ଆମେ ଏକାସହିତ ଜଗମୋହନ, ନାଟମଣ୍ଡପ ଏବଂ ଭୋଗମଣ୍ଡପର ମରାମତି କାର୍ଯ୍ୟ କରିବାକୁ ସ୍ଥିର କରିଛୁ । ଏହି ସମୟରେ ଆମେ ନଷ୍ଟ ହୋଇଯାଇଥିବା ପଥର ଗୁଡ଼ିକ ବଦଳରେ କେମିକାଲ୍ ଲେପନ ଦେଇ ନୂଆ ପଥର ସେଠାରେ ଲଗାଇବାକୁ ବ୍ୟବସ୍ଥା କରିଛୁ । “ଅବଶ୍ୟ ଶ୍ରୀମନ୍ଦିରର ରୋଷଗୃହରେ କିଛି ମରାମତି କାର୍ଯ୍ୟ ହେବ,” ଏହା କହିଛନ୍ତି ଶ୍ରୀ ପାଲ୍ ।

Leave A Reply

Your email address will not be published.