Latest Odisha News

BREAKING NEWS

ଭୋକିଲା ରଖୁଛି ଭୂତାଣୁ ଭୟ…

ପୁରୀ: କରୋନା ମହାମାରୀର ପ୍ରଭାବ ସ୍ପଷ୍ଟ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ପରିଲକ୍ଷିତ ହୋଇଛି । ବଡବଡିଆ ହୋଟେଲ ମାଲିକଙ୍କଠାରୁ ଆରମ୍ଭ କରି ଖୁଚୁରା ବେପାରୀଙ୍କ ଅବସ୍ଥା ଦୟନୀୟ ହୋଇପଡିଛି । ଏହି ଧାରାରେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆମୋଦିତ କରୁଥିବା ଓଟ ଏବଂ ଘୋଡା ସଂଘ ମଧ୍ୟ ଦୁରାବସ୍ଥା ଦେଇ ଗତି କରୁଛି ।

ଲକ୍‌ଡାଉନ୍ ଯୋଗୁଁ ପୁରୀରେ ପର୍ଯ୍ୟଟକଙ୍କୁ ପ୍ରବେଶ ମନା । ଶ୍ରୀକ୍ଷେତ୍ରରେ ଭକ୍ତଙ୍କୁ ମନା, ବେଳାଭୂମିରେ ବୁଲିବା ମନା । ତେବେ ଖାସ କରି ବେଳାଭୂମିରେ ଓଟ ଏବଂ ଘୋଡାରେ ପର୍ଯ୍ୟଟକଙ୍କୁ ବୁଲାଇ ପେଟ ପୋଷୁଥିବା ଲୋକେ ଏବେ ରୋଜଗାର ହରାଇ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ବେପାର ବନ୍ଦ ଥିବାବେଳେ ପରିବାରର ପ୍ରତିପୋଷଣ କରିବା ସେମାନଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡିଛି । ଏପରି ସ୍ଥିତିରେ ଘୋଡା ଓ ଓଟଙ୍କୁ ଦାନାପାଣି ଯୋଗାଇବା ସେମାନଙ୍କ ମାଲିକଙ୍କ ପାଇଁ ଦୁଃସ୍ୱପ୍ନ ପାଲଟିଛି ।

ଘୋଡା କିମ୍ବା ଓଟ ଦିନକୁ ୩୦୦ରୁ ୪୦୦ ଟଙ୍କାର ଖୋରାକ ନେଇଥାନ୍ତି । ଏବେ ତାହା ସମ୍ଭବ ହେଉନଥିବାରୁ ମାଲିକମାନେ ନିଜ ଘୋଡାକୁ ସହର ଭିତରେ ଚରିବୁଲି ଖାଇବାକୁ ଛାଡିଦେଇଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ଖାଇବାକୁ ନପାଇ ଏ ପର୍ଯ୍ୟନ୍ତ ୩୦ରୁ ଅଧିକ ଘୋଡା ଏବଂ ଓଟ ମୃତ୍ୟୁବରଣ କଲେଣି ।

ଅନ୍ୟପଟେ ଘୋଡାମାନଙ୍କୁ ଖୋଲା ରାସ୍ତାରେ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ଖାସ କରି ଛୋଟ ପିଲାମାନେ ଆହତ ହେବାର ସମ୍ଭାବନା ରହିଛି । ତେବେ ଘୋଡା ଏବଂ ଓଟ ମାଲିକଙ୍କୁ ସରକାରୀ ସହାୟତା ଯୋଗାଇବାକୁ ସଂଘର ସଭାପତି ମହେଶ୍ୱର ପ୍ରଧାନ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.