ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ବିବାଦ: ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ, ରଥଯାତ୍ରା ପରେ ହେବ ରିଲିଜ୍
କଟକ: ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ର ପ୍ରଦର୍ଶନକୁ ନେଇ ଦେଖାଦେଇଥିବା ବିବାଦ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ଓଡ଼ିଶା ହାଇକୋର୍ଟ ଏହି ଫିଲ୍ମର ରିଲିଜ୍ ଉପରେ ଲଗାଇଥିବା ରହିତାଦେଶକୁ ସର୍ବୋଚ୍ଚ ନ୍ୟାୟାଳୟ କାଏମ ରଖିଛନ୍ତି। ବର୍ତ୍ତମାନ ଚାଲିଥିବା ପବିତ୍ର ରଥଯାତ୍ରା ଶେଷ ନହେବା ପର୍ଯ୍ୟନ୍ତ ଏହି ସିନେମା ଦେଶର କୌଣସି ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଫଳରେ ଆସନ୍ତା ଜୁଲାଇ ୨୮ ତାରିଖ କିମ୍ବା ତା’ ପରେ ହିଁ ଫିଲ୍ମଟି ପରଦାକୁ ଆସିପାରିବ।
ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ଆର୍. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଫିଲ୍ମଟିକୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ପୂର୍ବରୁ ଗ୍ରୀନ ସିଗ୍ନାଲ ଦେଇସାରିଥିବା ବେଳେ ଖଣ୍ଡପୀଠ କହିଥିଲେ ଯେ, କୌଣସି କାଳ୍ପନିକ ଆନିମେଟେଡ୍ ଫିଲ୍ମ ଲୋକଙ୍କ ଭକ୍ତି ଭାବନାକୁ କମାଇ ପାରିବ ନାହିଁ। କିନ୍ତୁ ଗତ ଜୁଲାଇ ୧୬ ତାରିଖରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ୧୦ ଦିନିଆ ଘୋଷଯାତ୍ରା ସମୟରେ ଏହାକୁ ରିଲିଜ୍ କରିବା ଠିକ୍ ହେବ ନାହିଁ। ତେଣୁ ନୀତିକାନ୍ତି ଓ ରଥଯାତ୍ରା ସରିବା ପରେ ଜୁଲାଇ ୨୮ରେ ଏହାକୁ ମୁକ୍ତିଲାଭ କରିବାକୁ ଅନୁମତି ଦିଆଯାଇଛି।
ଏହି ଆନିମେଟେଡ୍ ଫିଲ୍ମରେ ମହାପ୍ରଭୁ ଜଗନ୍ନାଥଙ୍କ ବାଲ୍ୟଲୀଳା, ଯୁଦ୍ଧ ଦୃଶ୍ୟ ଏବଂ ସଂଳାପକୁ କାଳ୍ପନିକ ଢଙ୍ଗରେ ଚିତ୍ରଣ କରାଯାଇଛି, ଯାହା ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଏବଂ ଶ୍ରୀମନ୍ଦିରର ପାରମ୍ପରିକ ରୀତିନୀତିର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି ବୋଲି ଅଭିଯୋଗ ହୋଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁଙ୍କ ସମେତ ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଏବଂ ଉମାଶଙ୍କର ଆଚାର୍ଯ୍ୟ ଏନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଧାର୍ମିକ ଭାବନାକୁ ଆଘାତ ଦେଉଥିବା ଦର୍ଶାଇ ହାଇକୋର୍ଟ ଗତ ଜୁଲାଇ ୧୫ ତାରିଖରେ ଫିଲ୍ମର ପ୍ରଦର୍ଶନ ଉପରେ ଅନ୍ତରୀଣ ରୋକ୍ ଲଗାଇଥିଲେ।
ସୂଚନାଯୋଗ୍ୟ ଯେ, ‘ଇଲେ ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମଟି ଜୁଲାଇ ୧୭ ତାରିଖରେ ଦେଶର ପ୍ରାୟ ୩୦୦ଟି ସିନେମା ହଲ୍ରେ ରିଲିଜ୍ ହେବାର ଥିଲା। କୋଟି କୋଟି ଟଙ୍କା ବିନିଯୋଗ ହୋଇଥିବାରୁ ତଥା CBFC ର ପ୍ରମାଣପତ୍ର ମିଳିସାରିଥିବାରୁ ଏହାକୁ ତୁରନ୍ତ ରିଲିଜ୍ ଅନୁମତି ଦେବାକୁ ପ୍ରଯୋଜକ ସଂସ୍ଥା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ତୁରନ୍ତ ରିଲିଜ୍ ଆବେଦନକୁ ଖାରଜ କରିଦେଇଛନ୍ତି।