ଭୁବନେଶ୍ୱର: ନାନାଦି ପର୍ବପର୍ବାଣୀର କ୍ଷେତ୍ର ହେଉଛି ଓଡ଼ିଶା। ଏଠାରେ ବାର ମାସରେ ତେର ପର୍ବ। ଏହି କ୍ରମରେ ଗ୍ରୀଷ୍ମ ଋତୁର ପ୍ରଥମ ପର୍ବ ହେଉଛି ମହାବିଷୁବ ସଂକ୍ରାନ୍ତି, ଯେଉଁଠାରୁ ଆରମ୍ଭ ହୁଏ ଓଡ଼ିଆ ନବବର୍ଷ। ଓଡ଼ିଆ ନୂତନ ବର୍ଷର ଏହା ପ୍ରଥମ ସଂକ୍ରାନ୍ତି। ଏହାକୁ ପଣା ସଂକ୍ରାନ୍ତି ବା ଜଳ ସଂକ୍ରାନ୍ତି ମଧ୍ୟ କୁହାଯାଏ।
ଉତ୍କଳୀୟ ପରମ୍ପରାରେ ଏହାର ଯଥେଷ୍ଟ ବିଶେଷତ୍ବ ରହିଛି। ଏହି ଦିବସରେ ଶୈବ, ଶକ୍ତି ଓ ହନୁମାନଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଏ। ସାରା ଓଡ଼ିଶାରେ ଏହି ମହାପର୍ବ ମହାସମାରୋହରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ କରୋନା ଲକଡାଉନ ପାଇଁ ଏହା ଫିକା ପଡିଯାଇଛି।
ଏହିଦିନ ଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୁଏ। ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ ଏହାକୁ ନୂଆ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ।
ମହାବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ଅବସରରେ ବିଭିନ୍ନ ଦେବଦେବୀ ପୀଠରେ ପଣା ବ୍ୟବସ୍ଥା କରାଯାଇଥାଏ। ଏଣୁ ଏହା ପଣା ସଂକ୍ରାନ୍ତି ଭାବେ ମଧ୍ୟ ଜଣାଶୁଣା। ଏହାର ବିଶେଷତ୍ୱ ମଧ୍ୟ ରହିଛି ।
ଏହି ସମୟରେ ରୌଦ୍ର ତାପ ବୃଦ୍ଧି ସହ ଶରୀରର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ। ଏଣୁ ଶରୀରରେ ଜଳୀୟ ଅଂଶ କମିଯାଉଥିବାରୁ ଅଧିକ ଜଳ ବା ପାନୀୟର ଆବଶ୍ୟକତା ପଡ଼ିଥାଏ। ଯାହା ପଣା ଯୋଗାଇ ଦେଇଥାଏ ।
ଏହି ଅବସରରେ ଚଉରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଏଥିରୁ ଜଳପୂର୍ଣ୍ଣ ମାଠିଆ ଝୁଲାଯାଇଥାଏ ଏବଂ ମାଠିଆର ନିମ୍ନ ଭାଗରେ ସରୁ କଣା ଯୋଗେ ତୁଳସୀରେ ଜଳଦାନ କରାଯାଏ। ଏହି ମାଠିଆକୁ ବସୁନ୍ଧରା ଠେକି ମଧ୍ୟ କୁହାଯାଏ।