ନୂଆଦିଲ୍ଲୀ: ଦେଶର ଦୁଇ ବଡ ପ୍ରସଙ୍ଗରେ ଜେପିସିର ଲଗାତାର ବୈଠକ ଚାଲିଛି। ଗୋଟିଏ ୱାନ ନେସନ ୱାନ ଇଲେକ୍ସନ ଓ ଅନ୍ୟଟି ୱାକଫ ବିଲ ସଂଶୋଧନ। ୱାନ ନେସନ ୱାନ ଇଲେକ୍ସନ ଉପରେ ଆଲୋଚନା ପାଇଁ ଗଠିତ ୩୯ ସଦସ୍ୟ ବିଶିଷ୍ଟ ଜେପିସିର ଅଧକ୍ଷ ରହିଛନ୍ତି ଭର୍ତ୍ତୃହରି ମହତାବ। ଅନ୍ୟପଟେ ୱାକଫ ବିଲ ସଂଶୋଧନ ପାଇଁ ଗଠିତ ଜେପିସିର ଚେୟାରମାନ ରହିଛନ୍ତି ଜଗଦମ୍ବିକା ପାଲ। ଶୁକ୍ରବାର ୱାକଫ ବିଲ ସଂଶୋଧନ ପାଇଁ ବସିଥିବା ଜେପିସି ବୈଠକରେ ଭାରି ହଙ୍ଗମା ଦେଖିବାକୁ ମିଳିଥିଲା। ହଙ୍ଗମା କାରଣରୁ ଜେପିସି ଚେୟାରମ୍ୟାନ ପାଲ ୧୦ ଜଣ ବିରୋଧୀ ଦଳର ସାଂସଦଙ୍କୁ ବୈଠକରୁ ନିଲମ୍ବିତ କରିଛନ୍ତି।
ୱାକଫ ବିଲ ସଂଶୋଧନ ପାଇଁ ହେଉଥିବା ଆଲୋଚନା ଅନ୍ତିମ ସୋପାନରେ ରହିଥିବା ବେଳେ ରିପୋର୍ଟ ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ଚାଲିଛି। ଏହି ରିପୋର୍ଟ ତିଆରି ପାଇଁ ଜେପିସିକୁ ବହୁତ କଷ୍ଟ କରିବାକୁ ପଡୁଛି। ସପକ୍ଷ ଓ ବିପକ୍ଷ ମତାମତ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତି ହେଉଥିବା ଜାଣିବାକୁ ମିଳିଛି। ଜେପିସି ମୋଟ ୧୦ ଟି ପର୍ଯ୍ୟାୟରେ ରିପୋର୍ଟ ପ୍ରସ୍ତୁତି କରିଥାଏ।
ପ୍ରଥମ ପର୍ଯ୍ୟାୟ: ପ୍ରଥମ ପର୍ଯ୍ୟାୟରେ ବୈଠକ ପାଇଁ ନୋଟିସ ଦିଆଯାଇଥାଏ।
ଦ୍ଵିତୀୟ ପର୍ଯ୍ୟାୟ: ଏହି ପର୍ଯ୍ୟାୟରେ ସଂଶୋଧନ ସୂଚୀ ତିଆରି କରାଯାଏ। ଏହାପରେ ଏହି ସୂଚୀକୁ ଜେପିସି ସଦସ୍ୟ, ସମ୍ବନ୍ଧିତ ମନ୍ତ୍ରଣାଳୟଙ୍କୁ ଦିଆଯାଇଥାଏ।
ତୃତୀୟ ପର୍ଯ୍ୟାୟ: ଏହି ପର୍ଯ୍ୟାୟରେ ମୁଖ୍ୟ ପ୍ରସଙ୍ଗ ପାଇଁ ମତଦାନ ହୋଇଥାଏ। ମତଦାନ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୁଏ।
ଚତୁର୍ଥ ପର୍ଯ୍ୟାୟ: ସମିତି ଦ୍ବାରା ସଂଶୋଧନ ଆଧାରରେ ନ୍ୟାୟ ମନ୍ତ୍ରଣାଳୟ ଦ୍ବାରା ବିଲ ପ୍ରସ୍ତୁତ କରାଯାଇଥାଏ। ଏହି ଡ୍ରାଫଟ ରିପୋର୍ଟକୁ ହିନ୍ଦୀ ଅନୁବାଦ ପାଇଁ ମଧ୍ୟ ମନ୍ତ୍ରଣାଳୟକୁ ଦିଆଯାଇଥାଏ।
ପଞ୍ଚମ ପର୍ଯ୍ୟାୟ: ନ୍ୟାୟ ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ ଡ୍ରାଫ୍ଟ ରିପୋର୍ଟ ଓ ସଂଶୋଧିତ ବିଲ ମଞ୍ଜୁରୀ ପାଇଁ ସମିତି ଅଧକ୍ଷଙ୍କୁ ଦିଆଯାଇଥାଏ ।
ଷଷ୍ଠ ପର୍ଯ୍ୟାୟ: ସମିତି ଅଧକ୍ଷ୍ୟଙ୍କ ଅନୁମୋଦନ ପରେ ଡ୍ରାଫଟ ରିପୋର୍ଟ ଓ ସଂଶୋଧିତ ବିଲ ସମସ୍ତ ସଦସ୍ୟଙ୍କୁ ଦିଆଯାଇଥାଏ।
ସପ୍ତମ ପର୍ଯ୍ୟାୟ: ନିର୍ଦେଶ ୭୮ ଅନୁସାରେ ଡ୍ରାଫ୍ଟ ରିପୋର୍ଟ ଓ ସଂଶୋଧିତ ବିଲକୁ ଅନୁମୋଦନ ପାଇଁ ସମିତିକୁ ଦିଆଯାଇଥାଏ।
ଅଷ୍ଟମ ପର୍ଯ୍ୟାୟ: ସମିତି ମଞ୍ଜୁର କରିବା ପରେ ସମିତି ଅଧ୍ୟକ୍ଷ ସଦସ୍ୟଙ୍କୁ ମିନିଟ ଅଫ ଡିସେଣ୍ଟ ପାଇଁ ସମୟ ଦେଇଥାନ୍ତି।
ନବମ ପର୍ଯ୍ୟାୟ: ନିର୍ଦେଶ ୯୧ ଅନୁସାରେ, ସଚିବାଳୟ ଅସହମତି ପତ୍ର ପରୀକ୍ଷଣ କରିବା ପରେ ଗୃହରେ ଅନ୍ତିମ ରିପୋର୍ଟ ଦେବାକୁ ପ୍ରସ୍ତୁତ ହୋଇଥାଏ।
ଦଶମ ପର୍ଯ୍ୟାୟ: ନିୟମ ୩୦୪ ଅନୁଯାୟୀ ରିପୋର୍ଟ ସାର୍ବଜନୀନ କରାଯାଇଥାଏ।
Comments are closed.