Latest Odisha News

ଓଡିଶାରେ ଦିଲ୍ଲୀ ଲଢେଇ, ଆଖି ଦେଖାଇଲା ଆପ୍ !

ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଓଡିଶାରେ ଆପର ଗର୍ଜନ। ଦିଲ୍ଲୀରେ କ୍ଷମତାକୁ ଆସିଲେ ବିକାଶର ସୁନ୍ଦର ନକ୍ସା ଦେଖାଉଥିବା ବିଜେପି ଗତ 7ମାସ ମଧ୍ୟରେ ଓଡିଶାରେ କି ବିକାଶ କରିଛି ବୋଲି ଆମ ଆଦମୀ ପାର୍ଟି ପ୍ରଶ୍ନ କରିଛି। ଓଡିଶାରେ ମଧ୍ୟ ନିର୍ବାଚନ ପୂର୍ବରୁ ଦିଲ୍ଲୀ ଢାଞ୍ଚାରେ ସଂକଳ୍ପ ପତ୍ର ଜାରି କରିଥିଲା। ହେଲେ ନିର୍ବାଚନ ଜିତି କ୍ଷମତାକୁ ଆସିବା ପରେ ବିଜେପି ଓଡିଶାବାସୀଙ୍କୁ ଦେଇଥିବା ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିନଥିବା ଆପ୍ କହିଛି। ସେପଟେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।

ଓଡିଶାରେ କଲେନି ଦିଲ୍ଲୀରେ କରିବେ ?
ଫେବ୍ରୁଆରୀ 5ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ମଇଦାନରେ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି। ସବୁ ଦଳ ପକ୍ଷରୁ ଦିଲ୍ଲୀବାସୀଙ୍କ ପାଇଁ ପ୍ରତିଶ୍ରୁତି ବର୍ଷା ହେଉଥିବା ବେଳେ, ବିଜେପିର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛି ଓଡିଶା ଆମ ଆଦମୀ ପାର୍ଟି। ଓଡିଶାବାସୀଙ୍କୁ ଧୋକା ଦେଇଥିବା ବିଜେପି, ଦିଲ୍ଲୀରେ ବି ଭୋଟରଙ୍କୁ ଭୁଆଁ ବୁଲାଉଥିବା କହି ଆପ୍ ନେତା ବର୍ଷିଛନ୍ତି। ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଜନହିତକର ଯୋଜନାକୁ ରେବିଡି ଯୋଜନା କହି ସମାଲୋଚନା କରୁଥିବା ବିଜେପି ନିଜ ସଂକଳ୍ପ ପତ୍ରରେ ସେସବୁକୁ ନକଲ କରିଥିବା ଆପ୍ କହିଛି।

ମିଛ କହୁଛି ବିଜେପି !
ଓଡ଼ିଶାରେ ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ କହି ଭୁଆଁ ବୁଲାଇଥିବା ବିଜେପି ଦିଲ୍ଲୀରେ ବି ସମାନ କଥା ଦୋହରାଇଛି। ସୁଭଦ୍ରା ଯୋଜନାରେ ଦୁଇଟି କିସ୍ତିରେ ୫୦ହଜାର ଟଙ୍କା ଦେବାକୁ କହି ଏଯାଏଁ ମାତ୍ର ୫ହଜାର ଟଙ୍କା ବି ସମସ୍ତଙ୍କୁ ଦେବାରେ ଅକ୍ଷମ। ଦିଲ୍ଲୀରେ ମହିଳାଙ୍କୁ ମାସିକ ଅଢେଇ ହଜାର ଟଙ୍କା ଦେବା କଥା ବିଜେପି ଠକ ମନୋବୃତ୍ତିକୁ ସ୍ପଷ୍ଟ କରୁଥିବା ଆପ୍ କହିଛି।ବରିଷ୍ଠ ନାଗରିକଙ୍କୁ ୩ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେବାକୁ କହି ଠକିଥିବା ବିଜେପିର ଦିଲ୍ଲୀରେ ବାର୍ଦ୍ଧକ୍ୟ ଭତ୍ତା ଅଢେଇ ହଜାର ଟଙ୍କାକୁ ବୃଦ୍ଧି କରିବା ପ୍ରତିଶ୍ରୁତି ବି ପାଣିର ଗାର। ସରକାରକୁ ଆସିବାର ଛଅ ମାସ ଭିତରେ ଓଡ଼ିଶାର ପୂର୍ବ ସରକାରଙ୍କ ସମୟରେ ବନ୍ଦ ହୋଇଥିବା ୮ହଜାର ସ୍କୁଲ ଖୋଲିବାକୁ କହି ଶୋଇଥିବା ସରକାର ଦିଲ୍ଲୀରେ ଶିକ୍ଷା କ୍ରାନ୍ତି କଥା କହିବା ଦିନରେ ଆଲୁଅ ଦେଖେଇବା ସଦୃଶ ବୋଲି ଆପ୍ କହିଛି।

କେବଳ ସେତିକି ନୁହେଁ, ଚାଷୀ କଟନି ଛଟନିରେ ଛଟପଟ ହେଉଛନ୍ତି ତ ଚିଟଫଣ୍ଡ ଠକେଇ ଶିକାର ନିରାଶାରେ ରହିଛନ୍ତି। ମିଛ ଓ ଲୋଭନୀୟ ପ୍ରତିଶ୍ରୁତି ଦେଇ କଳେ ବଳେ କୌଶଳେ କ୍ଷମତାକୁ ଆସିବା ଏବଂ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ପାଳନ ନକରିବା ବିଜେପିର ଆଚରଣ ବୋଲି ଆପ୍ କହିଛି। ଦିଲ୍ଲୀ ନିର୍ବାଚନରେ ଉଭୟ ଆପ୍ ଓ ବିଜେପି ମଧ୍ୟରେ ସିଧା ଟକ୍କର ହେଉଥିବା ବେଳେ ଓଡିଶାରେ ବିଜେପି ପ୍ରତାରଣ କଥା କହି ବିଜେପିକୁ ସିଧା ଟାର୍ଗେଟ୍ କରିଛି ଆମ ଆଦମୀ ପାର୍ଟି। ତେବେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.