Latest Odisha News

ଶ୍ରୀଜଗନ୍ନାଥଙ୍କ ଦେହରେ ଶ୍ରୀରାମଙ୍କୁ ଦର୍ଶନ କଲେ ସନ୍ଥ ତୁଳସୀ

ନୀଳାଚଳ ନିବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଯେ ସ୍ୱୟଂ ପରଂବ୍ରହ୍ମ ତାହା ଅନେକଥର ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିରରେ ପ୍ରମାଣିତ ହୋଇଛି । ଏହି ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିରାଜିତ ହୋଇ ମାନବୀୟ ଲୀଳାଖେଳା କରୁଛନ୍ତି ଦାରୁବ୍ରହ୍ମରୂପୀ ସ୍ୱୟଂ ପରଂବ୍ରହ୍ମ । ପରଂବ୍ରହ୍ମଙ୍କର ସେହି ଅପୂର୍ବ ରୂପକୁ ଦର୍ଶନ କରିବା ଲାଗି ଅନେକ ମହାପୁରୁଷ, ଜ୍ଞାନୀ, ଗୁଣୀ ତଥା ଅନେକ ଧର୍ମ ପ୍ରବର୍ତ୍ତକ ଛୁଟିଆସିଛନ୍ତି ଶ୍ରୀକ୍ଷେତ୍ରକୁ । ପ୍ରଭୁ ଜୀଶୁଙ୍କ ଠାରୁ ଆରମ୍ଭ କରି ଧର୍ମପ୍ରବତ୍ତର୍ତକ ଗୁରୁ ନାନକ ଏହି ପବିତ୍ର ଧାମକୁ ଆସିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶହଶହ ଭକ୍ତ ରତ୍ନ ସିଂହାସନରେ ପରଂବ୍ରହ୍ମଙ୍କ ସତ୍ତା ଅନୁଭବ କରି ନିଜକୁ କୃତାର୍ଥ କରିଛନ୍ତି । ସେହିପରି ଶୀରାମ ଭକ୍ତ ସନ୍ଥ ତୁଳସୀ ଦାସ ରତ୍ନ ସିଂହାସନ ଉପରେ ନିଜ ଚର୍ମଚକ୍ଷୁରେ ଶ୍ରୀରାମଙ୍କ ରୂପ ଦର୍ଶନ କରି ନିଜକୁ ମହିମାନ୍ୱିତ କରିପାରିଛନ୍ତି । ଶ୍ରୀଜଗନ୍ନାଥଙ୍କ ମୁଖ ନିଃସୃତ ନିର୍ଦ୍ଦେଶରେ ସନ୍ଥ ତୁଳସୀ ଲେଖିଛନ୍ତି ଶ୍ରୀରାମ ଚରିତ ମାନସ ।

ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ତୁଳସୀ ଦାସଙ୍କ ରଚିତ ଶ୍ରୀରାମଚରିତ ମାନସ ଓ ଶ୍ରୀହନୁମାନ ଚାଳିଶା ଆଜି ଘରେ ଘରେ ପରିଚିତ । ପାଠକେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସନ୍ଥ ତୁଳସୀ ଦାସ ପୁରୀରେ ତାଙ୍କ ରହଣୀ ସମୟରେ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ତଥା ଶ୍ରୀଜଗନ୍ନାଥଙ୍କ ଆଦେଶାନୁସାରେ ଶ୍ରୀରାମଚରିତ ମାନସ ରଚନା କରିଛନ୍ତି । ସୁଦୂର ଅଯୋଧ୍ୟାରେ ରହି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉପାସନା କରୁଥିବା ସନ୍ଥ ତୁଳସୀ ଏକଦା ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ମନସ୍ଥ କଲେ ।

ଅସଂଖ୍ୟ ନଈ-ନାଳ, ପାହାଡ଼-ପର୍ବତ ତଥା ବଣ-ଜଙ୍ଗଲର କଣ୍ଟକିତ ପଥ ଅତିକ୍ରମ କରି ସେ ଶ୍ରୀକ୍ଷେତ୍ରରେ ପହଁଚିଲେ । ପୁରୀରେ ରାତ୍ରି ଅବସ୍ଥାନ କରି ତହିଁ ପରଦିନ ପ୍ରାତଃକାଳରେ ତୁଳସୀ ଚାଲିଲେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ । ଶ୍ରୀରାମ ଭକ୍ତ ସନ୍ଥ ତୁଳସୀ ସିଂହଦ୍ୱାରରେ ପହଞ୍ôଚ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କରିବା ମାତ୍ରେ ଆଚମ୍ବିତ ହୋଇପଡ଼ିଲେ । ତିନିଠାକୁରଙ୍କ ଅଧାଗଢା ହସ୍ତ ପଦାଦି ନଥିବା ଅବୟବ ଦେଖି ତୁଳସୀଙ୍କ ମନ ଦୁଃଖ ଓ କ୍ଷୋଭରେ ଜର୍ଜରିତ ହୋଇ ପଡ଼ିଲା । ସେଇଠି ଦଣ୍ଡେ ଛିଡ଼ା ହୋଇ ତୁଳସୀ ଭାବିବାକୁ ଲାଗିଲେ – ମୋ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚନ୍ଦ୍ର ପରି ବଦନ, କେତେ ସୁନ୍ଦର ତଥା ଭ୍ରାତା ଲକ୍ଷ୍ମଣ ଓ ମାତା ସୀତା ତଥା ଭକ୍ତ ହନୁମାନଙ୍କ ସହିତ ରାଜସିଂହାସନରେ ବସିଥିବାର ମୂର୍ତ୍ତି କେତେ ଅପୂର୍ବ ! ମୁଁ କଣ ଏଠି ଦେଖୁଛି? ହାତ ପାଦ ନଥିବା ତଥା ମୁହଁ କଳାରେ ପରିପୂର୍ଣ୍ଣ ଥିବା କାଠର ଅବୟବରେ ନା ନାସାଗ୍ର ଅଛି ନା କର୍ଣ୍ଣ ଦ୍ୱୟ ଦୃଷ୍ଟି ଗୋଚର ହେଉଛି? ଇଏ ମୋର ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ସ୍ୱରୁପ କଦାପି ନୁହେଁ । ଶ୍ରୀରାମ ଭକ୍ତ ତୁଳସୀ ସେଠାରେ ଶ୍ରୀଜଗନ୍ନାଥଙ୍କୁ ଦଣ୍ଡବତ କରିବାକୁ ଭୁଲିଯାଇ ଆଉ ଦଣ୍ଡେ ମାତ୍ର ସେଠାରେ ନରହି ସେଠାରୁ ଗୃହ ଅଭିମୁଖେ ପ୍ରସ୍ଥାନ କଲେ । ପୁରୀରେ ସେହି ରାତ୍ରି ବିଶ୍ରାମ କରି ପରଦିନ ସକାଳୁ ଅଯୋଧ୍ୟା ଅଭିମୁଖେ ଗମନ କରିବାକୁ ଦୁଃଖ ଜଜ୍ଜରିତ ମନରେ ମନସ୍ଥ କଲେ ।

ଅଯୋଧ୍ୟାରୁ କେତେ ମନକରି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ କଳିଯୁଗରେ ଅବତାର ଦର୍ଶନ କରିବାର ଆଶା ନେଇ ଆସିଥିବା ତୁଳସୀ ଦାସ ସେଦିନ ରାତିରେ କିଛି ନଖାଇ ଉପାସରେ ନିରାଶରେ କାନ୍ଦି ଶୋଇ ପଡ଼ିଲେ । ରାତି ଅଧ ବେଳକୁ ସେ ଏକ ସ୍ୱପ୍ନ ଦେଖିଲେ । ତୁଳସୀଙ୍କ ଆରାଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ର କହୁଛନ୍ତି, ଆରେ ତୁଳସୀ ତମେ ମୋତେ ଆଜି ଦର୍ଶନ କଲ ଅଥଚ ପ୍ରଣାମ କଲ ନାହିଁ? ମୋ ସହିତ ଟିକେ ବି କଥା ହେଲ ନାହିଁ? କ’ଣ ତୁମର ହୋଇଛି ତୁଳସୀ? ସେହି ସ୍ୱପ୍ନ ଦେଖୁଥିବା ଅବସ୍ଥାରେ ହିଁ ତୁଳସୀ କାନ୍ଦି କାନ୍ଦି ତାଙ୍କ ପ୍ରଭୁଙ୍କୁ କହିଲେ, – ମୁଁ ଅଯୋଧ୍ୟାରେ ଯେପରି ଆପଣଙ୍କ ଦର୍ଶନ କରିଥିଲି ସେଠାରେ ତାହା ଦେଖିବାକୁ ପାଇଲି ନାହିଁ ବରଂ ଏକ ଭୟାନକ କଳା କଳା ମୁଖ ଓ ଅଧାଗଢା ଅବସ୍ଥାରେ ମାଦଳପ୍ରାୟ ତିନୋଟି କାଠର ଅବୟବ କିପରି ମୋର ପ୍ରଭୁ ଶ୍ରୀରାମଚନ୍ଦ୍ର ହୋଇ ପାରିବେ? ତେଣୁ ମନ ଦୁଃଖରେ ତଥା ଅତିଶୟ ଯନ୍ତ୍ରଣାସିକ୍ତ ହୃଦୟରେ ଜାଣିଶୁଣି ଦଣ୍ଡବତ କଲି ନାହିଁ । ପ୍ରଭୁ ଶ୍ରୀରାମଚନ୍ଦ୍ର କହିଲେ ଶ୍ରୀକ୍ଷେତ୍ରରେ ମୁଁ ସେହି ଶ୍ରୀରାମଚନ୍ଦ୍ର ତମେ ଯାହାଙ୍କୁ ଅଯୋଧ୍ୟାରେ ପୂଜା କରୁଛ । ମୁଁ ଜଗନ୍ନାଥଙ୍କ ଦାରୁବ୍ରହ୍ମ ରୂପରେ କଳିଯୁଗରେ ଏଠାରେ ଅବସ୍ଥାନ କରୁଛି ।

ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ମଧ୍ୟରେ ଟିକିଏ ବି ଫରକ ନାହିଁ । ତମେ କାଲି ପ୍ରାତଃକାଳରେ ପୂନର୍ବାର ରତ୍ନସିଂହାସନ ନିକଟକୁ ଆସ । ତମେ ଯେଉଁ ରୂପରେ ମୋତେ ଦେଖିବାକୁ ଚାହୁଁଛ ଦେଖି ପାରିବ । ଏହି ସ୍ୱପ୍ନ ଦେଖିବା ପରେ ତୁଳସୀଙ୍କ ନିଦ ଚାଉଁକିନା ଭାଙ୍ଗିଗଲା । ସକାଳୁ ସକାଳୁ ତୁଳସୀ ସିଧା ଚାଲିଲେ ମନ୍ଦିର ଅଭିମୁଖେ ତାଙ୍କ ପ୍ରଭୁଙ୍କୁ ଦର୍ଶନ କରିବାକୁ । ରତ୍ନ ସିଂହାସନ ସାମ୍ନାରେ ଆଖି ବନ୍ଦ କରି ଆଖି ଖୋଲିଲା ବେଳକୁ ଭକ୍ତ ତୁଳସୀ ତାଙ୍କର ଆରାଧ୍ୟ ଦେବତା ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ କଲେ । ପ୍ରଭୁ ଶ୍ରୀରାମଙ୍କ ଅପୂର୍ବ ଦର୍ଶନ କରିବା ସହିତ ମାତା ସୀତା, ଭ୍ରାତା ଲକ୍ଷ୍ମଣ ଓ ଶ୍ରୀହନୁମାନଙ୍କ ସାକ୍ଷାତ ଉପସ୍ଥିତି ରତ୍ନ ସିଂହାସନରେ ଦେଖି ନିଜକୁ କୃତାର୍ଥ ମନେ କଲେ । ସେହିଠାରେ ହିଁ ଖୁସିରେ କାନ୍ଦି କାନ୍ଦି ଭକ୍ତିରେ ସାଷ୍ଟାଙ୍ଗ ପ୍ରଣିପାତ କଲେ ସନ୍ଥ ତୁଳସୀ ଦାସ । ଅପୂର୍ବ ଖୁସିରେ ତୁଳସୀଦାସ ନାଚିନାଚି କହି ଚାଲିଥିଲେ ଜୟ ଜଗନ୍ନାଥ…ଜୟ ଶ୍ରୀରାମ…ଜୟ ଜଗନ୍ନାଥ… ।

ରତ୍ନସିଂହାସନ ଉପରୁ ସେହିକ୍ଷଣି ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥ କହୁଥିଲେ, – ତୁଳସୀ ତମେ ଆଜିଠାରୁ ଶ୍ରୀରାମ ଚରିତ ମାନସ ରଚନା ଆରମ୍ଭ କର, ମୁଁ ତୁମକୁ ସବୁପ୍ରକାର ସହାୟତା କରିବି । ସେହି ଶ୍ରୀମନ୍ଦିରରୁ ହିଁ ସନ୍ଥ ତୁଳସୀ ଦାସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ତାଙ୍କର ମହାନ ଗ୍ରନ୍ଥ ଶ୍ରୀରାମଚରିତ ମାନସର ରଚନା ଆରମ୍ଭ କରିଥିଲେ । ପ୍ରକୃତରେ ଭକ୍ତର ପ୍ରଚୁର ବିଶ୍ୱାସ ଓ ନିରନ୍ତର ଭକ୍ତି ଭାବନାରେ ହିଁ ଯୁଗେ ଯୁଗେ ବନ୍ଧା ସ୍ୱୟଂ ଭଗବାନ ।

Leave A Reply

Your email address will not be published.