ନୂଆଦିଲ୍ଲୀ: ଭାରତ ଉପରେ ଆସନ୍ତା ମାସ ୨ତାରିଖରୁ ପାରସ୍ପରିକ ଆମଦାନୀ ଶୁଳ୍କ ଲଗାଇବ ଆମେରିକା । ଆମେରିକା ସଂସଦରେ ଟାରିଫକୁ ନେଇ କୌଣସି ବୁଝାମଣା ହେବନି ବୋଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି । ଟ୍ରମ୍ପଙ୍କ ଆମେରିକା ପ୍ରଥମ ନୀତି ପାଇଁ ସାରା ବିଶ୍ବରେ ବ୍ୟାପାର ଅସ୍ତବ୍ୟସ୍ତ ହେବାର ଆଶଙ୍କା ଦେଖାଦେଇଛି । ଚୀନ୍, କାନାଡା ପରି ଦେଶ ଆମେରିକା ସହ ଟାରିଫକୁ ନେଇ ମୁହାଁମୁହିଁ ହୋଇଥିବା ବେଳେ ନିରବ ରହିଛି ଭାରତ । ଟ୍ରମ୍ପଙ୍କ ବ୍ୟାପାର ନୀତିରେ କିଛି ପଦକ୍ଷେପ ଭାରତ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ତେବେ ଆଉ କିଛି ଭାରତ ପାଇଁ ପରୋକ୍ଷରେ ଲାଭପ୍ରଦ ହୋଇପାରେ ବୋଲି ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି ।
ଭାରତ ପାଇଁ ଖୋଲିବ ସୁଯୋଗ
ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ପରୋକ୍ଷରେ ଭାରତ ପାଇଁ ଅନେକ ସୁଯୋଗ ଖୋଲିପାରେ । ଚୀନ ଉପରେ ଟ୍ରମ୍ପ ଅତିରିକ୍ତ ୧୦ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିସାରିଛନ୍ତି । ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୬୦ପ୍ରତିଶତ ଶୁଳ୍କ ଲଗାଇବା ସହ ୪ବର୍ଷ ମଧ୍ୟରେ ସେଠାରୁ ଆସୁଥିବା ଇଲେକ୍ଟ୍ରୋନିକ୍ସ, ଇସ୍ପାତ, ଔଷଧ ସହ ଅନ୍ୟ ସାମଗ୍ରୀର ରପ୍ତାନୀ ସଂପୂର୍ଣ୍ଣ ବନ୍ଦ କରିବାକୁ କହିଥିଲେ । ଯଦି ଏଭଳି ହୁଏ ତେବେ ବ୍ୟାପାର ଓ ନିବେଶ କ୍ଷେତ୍ରରେ ଭାରତ ପାଇଁ ନୂଆ ସୁଯୋଗ ଖୋଲିବ । କାରଣ ଚୀନ ବାହାରେ ବିକଳ୍ପ ଖୋଜିବେ କମ୍ପାନୀ। ଭାରତରେ ବଡ ଉପଭୋକ୍ତା ବଜାର ରହିଥିବାରୁ ନିବେଶ ବଢିପାରେ ।
ଫସିଯିବ ଆମେରିକା !
ଟାରିଫ ଯୁଦ୍ଧର ଘୋଷଣା କରିଥିବା ଆମେରିକା ଅଧିକ ସମସ୍ୟା ଭୋଗିପାରେ । ପାରସ୍ପରିକ ଆମଦାନୀ ଶୁଳ୍କ ଲାଗୁ କଲେ ଭାରତରୁ ଯାଉଥିବା ଔଷଧ, ଲୁଗା, ମାଂସ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମହଙ୍ଗା ହେବ । କୋଭିଡ୍ ଓ ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକା ମହଙ୍ଗା ମାଡ଼ ସହ ଯୁଝୁଛି । ନିତିଦିନିଆ ସାମଗ୍ରୀ ମହଙ୍ଗା ହେଲେ ଆମେରିକାର ଲୋକ ହଇରାଣ ହେବେ । ଭାରତରେ ନିଜ ସାମଗ୍ରୀ ଉତ୍ପାଦନ କରୁଥିବା ଆପଲ ପରି ଆମେରିକୀୟ କମ୍ପାନୀ କ୍ଷତି ସହିବେ । ଭାରତରେ ଆମେରିକୀୟ ସାମଗ୍ରୀର ସେଭଳି ଚାହିଦା ନାହିଁ । ଦର ବଢିଲେ ଭାରତୀୟ ସେସବୁକୁ କିଣିବେନି । ଭାରତରେ ଫୋର୍ଡ ଓ ଜେନରାଲ ମୋଟର୍ସ ପରି କାର କମ୍ପାନୀ ଅପେକ୍ଷା ଦେଶରେ ତିଆରି ହେଉଥିବା ଟାଟା ଓ ମହିନ୍ଦ୍ରା କାରକୁ ଅଧିକ ପସନ୍ଦ କରାଯାଏ । ତେଣୁ ଟାରିଫ ବଢିବା ଦ୍ବାରା ଆମେରିକାରେ ଦରବୃଦ୍ଧି ହେବ ଓ ସେଠାକାର ଲୋକଙ୍କର କିଣିବା କ୍ଷମତା କମିବ ।
ଆମେରିକାକୁ ଭାରତ ଦରକାର
ଆମେରିକା ଟାରିଫ ଯୁଦ୍ଧ ନେଇ ଯେତେ ହୁଙ୍କାର ଭରିଲେ ବି ଏଭଳି ଅନେକ ପ୍ରସଙ୍ଗ ଅଛି, ଯେଉଁଠି ଆମେରିକା ଭାରତକୁ ଖୋଜିବ । ଆମେରିକା ଓ ଚୀନ ମଧ୍ୟରେ କେବେବି ସଂପର୍କ ମଧୁର ହେବନି । ଏଭଳି ସ୍ଥିତିରେ ଚୀନର ମୁକାବିଲା କରିବାକୁ ଭାରତର ସାଥ୍ ଚାହିଁବ ଆମେରିକା । ଚୀନ ମୁକାବିଲାରେ ଭାରତର ଶକ୍ତି ବଢାଇବା ପାଇଁ ହିଁ ଆମେରିକା ଫାଇଟର ଜେଟର ହଟ୍ ଇଞ୍ଜିନର ଟେକ୍ନୋଲୋଜି ଭାରତକୁ ଦେଇଛି । ଦକ୍ଷିଣ ଏସିଆରେ ଚୀନର ବଢୁଥିବା ହସ୍ତକ୍ଷେପ ଓ ତାଇଓ୍ବାନକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଭାରତର ଗୁରୁତ୍ବ ବଢିଛି । କାରଣ ଭାରତ ହିଁ ଚୀନର ସାମନା କରିବାର ଶକ୍ତି ରଖିଛି । କ୍ବାଡ୍ ଦ୍ବାରା ଚୀନକୁ କାବୁ କରିବାକୁ ଚାହୁଁଛି ଆମେରିକା । ତେବେ ଭାରତ ବିନା କ୍ବାଡର ଗୁରୁତ୍ବ ରହିବନି । ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରୁଥିବା ଭାରତ ପରି ଦେଶ ଆମେରିକାକୁ ପସନ୍ଦ କଲେ ହିଁ ସେଠାରେ ଅର୍ଥବ୍ୟବସ୍ଥାରେ ସୁଧାର ଆସିବ । କାରଣ ଏବେବି ଭାରତ ଋଷଠାରୁ ସବୁଠୁ ଅଧିକ ଅସ୍ତ୍ର ଆଣୁଛି ।
Comments are closed.