ନୂଆଦିଲ୍ଲୀ: ଲାଲୁ-ରାବଡ଼ିଙ୍କ ୧୫ବର୍ଷ ବନାମ ନୀତିଶଙ୍କ୧୯ବର୍ଷ । ବିହାର ନିର୍ବାଚନରେ ଏନଡିଏର ସବୁଠୁ ବଡ଼ ଅସ୍ତ୍ର ଜଙ୍ଗଲରାଜ। ୧୯୯୦ରୁ ୨୦୦୫ ପର୍ଯ୍ୟନ୍ତ ଲାଲୁପ୍ରସାଦ ଯାଦବ ଓ ରାବିଡି ଦେବୀଙ୍କ ୧୫ବର୍ଷ ଶାସନ କାଳକୁ ଜଙ୍ଗଲରାଜ କହି ଟାର୍ଗେଟ୍ କରୁଛି ଏନଡିଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବାରମ୍ବାର ହମଲା କରୁଛନ୍ତି । ନୀତିଶ ନିଜ ଶାସନ ସହ ଲାଲୁ-ରାବିଡିଙ୍କ ଶାସନକାଳକୁ ତୁଳନା କରୁଛନ୍ତି । ତେବେ ଆରଜେଡି ବି ଏଥର ଜୋରଦାର କାଉଣ୍ଟର ଆଟାକ୍ ପ୍ଲାନ କରିଛି । ପ୍ରତି ନିର୍ବାଚନ ବେଳେ ଏନଡିଏ ଉଠାଉଥିବା ଏହି ଅଭିଯୋଗର ଜବାବ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ତେଜସ୍ବୀ ।
କ’ଣ ରହିଛି ତେଜସ୍ବୀଙ୍କ ରଣନୀତି?
ଜଙ୍ଗଲରାଜକୁ ନେଇ ଏନଡିଏ ଟାର୍ଗେଟ କଲେ, ତଥ୍ୟ ଆଧାରରେ ଜବାବ ଦେବାକୁ ରଣନୀତି କରିଛନ୍ତି ତେଜସ୍ବୀ । ଗୋଟେପଟେ ଲାଲୁ-ରାବିଡି ଶାସନକାଳକୁ ନେଇ ତଥ୍ୟ ରଖିବେ ତ ଅନ୍ୟପଟେ ନୀତିଶଙ୍କ ଶାସନକାଳକୁ ଅନ୍ଧକାର ଯୁଗ ଭାବେ ବି ପ୍ରମାଣ କରିବେ । ୨୦୨୨ରୁ ୨୦୨୪ ମଧ୍ୟରେ ମହାଗଠବନ୍ଧନ ସରକାର କ୍ଷମତାରେ ଥିବା ବେଳେ ୨ଲକ୍ଷ ନିଯୁକ୍ତି ଦିଆଯାଇଥିଲା । ସେତେବେଳେ ନିଜେ ତେଜସ୍ବୀ ବିହାରର ଉପମୁଖ୍ୟମନ୍ତ୍ରୀ ଥିଲେ । ଏ ତଥ୍ୟ ରାଜ୍ୟପାଳଙ୍କ ଅଭିଭାଷଣରେ ବି ରହିଛି । ଲାଲୁ ଯାଦବଙ୍କ ସାମାଜିକ ନ୍ୟାୟ ଓ ପ୍ରଶାସନିକ ଉପଲବ୍ଧିକୁ ଜନତାଙ୍କ ଆଗରେ ରଖିବ ଆରଜେଡି । ୨୦୦୫ ପର ଓ ପୂର୍ବର ବିକାଶକୁ ନେଇ ଏନଡିଏର ନାରେଟିଭକୁ ଦୁର୍ବଳ କରିବାକୁ ଉଦ୍ୟମ କରିବ ।
ଭଲ ଥିଲା ଲାଲୁ-ରାବିଡ଼ି ଶାସନ କାଳ !
ବିହାରରେ ମୁଣ୍ଡପିଛା ବାର୍ଷିକ ଆୟ ୧୧ଶହ ଡଲାର ରହିଥିବା ବେଳେ ବିଶ୍ବର ସବୁଠୁ ଗରିବ କ୍ଷେତ୍ର କୁହାଯାଉଥିବା ସବ୍ ସାହାରା ଆଫ୍ରିକାରେ ମୁଣ୍ଡପିଛା ଆୟ ୧୭ଶହ ୧୦ଡଲାର ରହିଛି । ୯ଥର ମୁଖ୍ୟମନ୍ତ୍ରୀ ରହିଥିବା ନୀତିଶ କୁମାର ବିହାରର ବିକାଶ କରିପାରିନାହାନ୍ତି । ସେପଟେ ୧୯୯୦ରେ ଲାଲୁ ଯାଦବ ବିହାରକୁ ସ୍ଥିର ସରକାର ଦେଇଛନ୍ତି । କାରଣ ୧୯୬୧ରୁ ୧୯୯୦ ମଧ୍ୟରେ ରାଜ୍ୟରେ ୨୨ଥର ସରକାର ବଦଳିଥିବା ବେଳେ ୫ଥର ରାଷ୍ଟ୍ରପତି ଶାସନ ଲାଗିଥିଲା । ରାବିଡି ଦେବୀଙ୍କ ସରକାରରେ ସ୍କୁଲ ଡ୍ରପଆଉଟ ହାର ୩.୨ପ୍ରତିଶତ ରହିଥିବା ବେଳେ ନୀତିଶ କୁମାରଙ୍କ ଶାସନରେ ଏହା ୪୧.୪ପ୍ରତିଶତ ରହିଛି। ସ୍କୁଲରୁ ମେଡିକାଲ କଲେଜ ନିଯୁକ୍ତିରୁ ବିଶ୍ବବିଦ୍ୟାଳୟ, ଲାଲୁଙ୍କ ସମୟର ଉପଲବ୍ଧି ଗଣାଉଛନ୍ତି ତେଜସ୍ବୀ ।
ନୀତିଶଙ୍କୁ ସମାଲୋଚନା କେନ୍ଦ୍ରକୁ ଟାର୍ଗେଟ୍
ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଟାର୍ଗେଟରେ ନୀତିଶ କୁମାରଙ୍କ ସହ କେନ୍ଦ୍ର ସରକାର ବି ରହିଛନ୍ତି । ବିହାରର ଦୁର୍ଦ୍ଦଶା ପାଇଁ ସେ କେନ୍ଦ୍ରକୁ ଦାୟୀ କରୁଛନ୍ତି । ଲାଲୁ-ରାବିଡ଼ି ଶାସନ ବେଳେ ବିହାରରେ ଦେଖା ଦେଇଥିବା ଅରାଜକତା ପାଇଁ କେନ୍ଦ୍ର ସରକାର ଦାୟୀ, ଏନେଇ ନାରେଟିଭ ପ୍ରସ୍ତୁତ କରୁଛନ୍ତି ତେଜସ୍ବୀ । ବିହାର ସହ କେନ୍ଦ୍ର ସବୁବେଳେ ସାବତ ପୁଅ ଭଳି ବ୍ୟବହାର କରିଆସିଛି । ୧୯୯୮ରୁ ୨୦୦୧ ମଧ୍ୟରେ କେନ୍ଦ୍ର ବିହାରକୁ ମାତ୍ର ୪ହଜାର ୪୭କୋଟି ସହାୟତା ଦେଇଥିବା ବେଳେ ଆନ୍ଧ୍ରପ୍ରଦେଶକୁ ଦୁଇଗୁଣାରୁ ଅଧିକ ଅନୁଦାନ ଦେଇଛି । ନା ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିଛି ନା ଅଧିକ ସହାୟତା । ଅବହେଳା ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତ ତେଜସ୍ବୀ ।
କାହିଁକି କୁହାଯାଉଛି ଜଙ୍ଗଲରାଜ?
ଲାଲୁ ଓ ରାବିଡ଼ି ଦେବୀଙ୍କ ଶାସନ କାଳରେ ବିହାରରେ ହେଉଥିବା ସଂଖ୍ୟାଧିକ ଅପହରଣ ମାମଲାକୁ ନେଇ ଏହାକୁ ଜଙ୍ଗଲରାଜ କହୁଛନ୍ତି ଏନଡିଏ ନେତା । ଅପହରଣକୁ ସେତେବେଳେ ଉଦ୍ୟୋଗ ବୋଲି କୁହାଯାଉଥିଲା । ସରକାରୀ ତଥ୍ୟ ଅନୁସାରେ, ଲାଲୁଙ୍କ ଶାସନ କାଳରେ ୩୫ଜଣ ଡାକ୍ତର ଓ ୨୭ଜଣ ଇଂଜିନିୟରଙ୍କ ଅପହରଣ ହୋଇଥିଲା । କେବଳ ୨୦୦୪ରେ ବିହାରରେ ୩ହଜାର ୯୪୮ଲୋକଙ୍କ ହତ୍ୟା , ୪୧୧ ଅପହରଣ ଓ ୧୩ଶହ ୯୦ଟି ଦୁଷ୍କର୍ମ ମାମଲା ଦର୍ଜ କରାଯାଇଥିଲା । ରାବିଡ଼ି ଦେବୀ ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ । ସେତେବେଳେ ନକ୍ସଲ ଆକ୍ରମଣ ବି ବହୁ ପରିମାଣରେ ବଢିଥିଲା । ବିଧାୟକ ଓ ଆଇଏଏସ ଅଧିକାରୀଙ୍କୁ ହତ୍ୟା ଘଟଣା ବି ସାମନାକୁ ଆସିଥିଲା ।
୨୦୨୨ରେ ନୀତିଶ କୁମାରଙ୍କ ଉପମୁଖ୍ୟମନ୍ତ୍ରୀ ଥିଲେ ତେଜସ୍ବୀ । ସେ ସମୟରେ ବି ବିହାରରେ ଅପରାଧ ବଢିଥିଲା । ରାଜ୍ୟର ତତ୍କାଳୀନ ଗୃହମନ୍ତ୍ରୀଙ୍କ ରିପୋର୍ଟ ହିସାବରେ ୨୦୨୨ ଅଗଷ୍ଟ ୧୦ରୁ ୨୦୨୩ ଏପ୍ରିଲ ୧୯ମଧ୍ୟରେ ୪ହଜାର ୮୪୮ଟି ଅପରାଧିକ ମାମଲା ଦର୍ଜ କରାଯାଇଥିଲା । ଆରଜେଡି ଚାପରେ ଜେଲ ମାନୁଅଲରେ ପରିବର୍ତ୍ତନ କରି ୨୬ଜଣ କଏଦୀଙ୍କୁ ଛଡାଯାଇଥିଲା । ତେଣୁ ଜଙ୍ଗଲରାଜକୁ ନେଇ ଏନଡିଏର ଅଭିଯୋଗକୁ ଭୁଲ ପ୍ରମାଣିତ କରିବା ତେଜସ୍ବୀଙ୍କ ପାଇଁ ଏତେ ସହଜ ହେବନି ।
Comments are closed.