Latest Odisha News

BREAKING NEWS

କେବଳ ପୂଜାରେ ନୁହେଁ ଦୈନନ୍ଦିନ ଜୀବନରେ ମଧ୍ୟ ବ୍ୟବହାର କରନ୍ତୁ କର୍ପୁର

କର୍ପୁର ଏକ ଉଦ୍‌ବାଇ, ଦହନଶୀଳ ବାନସ୍ପତିକ ଦ୍ରବ୍ୟ। କର୍ପୁର ଗଛର ଛାଳିରୁ ଉତ୍ପନ୍ନ। ଏହାର ସୁଗନ୍ଧ ପାଇଁ ଏହା ଅତି ଲୋକପ୍ରିୟ। ସାଧାରଣତଃ ପୂଜା ପାଠରେ କର୍ପୁର ବ୍ୟବହାର କରାଯାଏ। ଏହାସହ କର୍ପୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଏହାର ବ୍ୟବହାର ଆର୍ୟୁବେଦରେ ମଧ୍ୟ କରାଯାଇଛି। କର୍ପୁର କେଶ ସମସ୍ୟାରୁ ମୁକ୍ତି ଦେବା ସହ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ।

କର୍ପୁରକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ଏବଂ ଏହା ଅନେକ ପ୍ରକାରର ଅସୁବିଧାକୁ ମଧ୍ୟ ଦୂର କରେ। କର୍ପୁର ଆପଣଙ୍କ ଘରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ। କେବଳ ଏତିକି ନୁହେଁ, କର୍ପୁରକୁ ଦୈନନ୍ଦିନ ଜୀବନରେ ବ୍ୟବହୃତ କଲେ ଆପଣଙ୍କ ଜୀବନଶୈଳୀ ଭଲ ହୋଇଯିବ। ଆପଣଙ୍କ ଜୀବନ ସହ ଜଡିତ ଅନେକ ସମସ୍ୟା ମଧ୍ୟ ଦୂର କରିବ କର୍ପୁର। ବଜାରରେ ଉପଲବ୍ଧ ଏହି କର୍ପୁରର ଉପକାରିତା ସମ୍ପର୍କରେ ଖୁବ୍ କମ୍ ଲୋକେ ଜାଣନ୍ତି।

କର୍ପୁର ସାଧାରଣତଃ ତିନି ପ୍ରକାରର ଥାଏ। ପ୍ରଥମ ଜାପାନୀ, ଦ୍ୱିତୀୟ ଭୀମସେନି ଏବଂ ତୃତୀୟ ପତ୍ରୀ କର୍ପୁର। ପୂଜା ପାର୍ବଣ, ଔଷଧ ଏବଂ ସୁଗନ୍ଧ ପାଇଁ କର୍ପୁର ବ୍ୟବହୃତ ହୁଏ। ନକାରାତ୍ମକ ଶକ୍ତିକୁ ଦୂର କରିବାରେ କର୍ପୁର ସାହାଯ୍ୟ କରେ। କର୍ପୁରର ନିଆଁ ଶରୀର କଫ ଏବଂ ବାତ ଭଳି ରୋଗକୁ ଦୂର କରିଥାଏ। କର୍ପୁର ତେଲ ତ୍ୱଚାରେ ରକ୍ତ ସଞ୍ଚାଳନକୁ ସହଜ କରିଥାଏ। ତ୍ୱଚାରେ ବ୍ରଣ, ତେଲିଆପଣକୁ ଦୂର କରିବାରେ ସାହାଯ୍ୟ କରେ କର୍ପୁର। ଆର୍ଥ୍ରାରାଇଟିସ୍ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କର୍ପୁର ମିଶ୍ରିତ ମଲମ ବ୍ୟବହାର କରାଯାଏ। କର୍ପୁରଯୁକ୍ତ ମଲମ ଲଗାଇବା ଦ୍ୱାରା ବେକ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ଥଣ୍ଡାରେ ଯଦି ଛାତିରେ କଫ ଜମେ ତେବେ କର୍ପୁର ତେଲ ମାଲିସ କଲେ ଆରାମ ମିଳେ। ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ହୁଏ, ତେବେ କର୍ପୁର ସହ ଶୁଣ୍ଠି, ଅର୍ଜୁନ ଗଛର ଛାଳି ଏବଂ ଧଳା ଚନ୍ଦନ କାଠକୁ ମିଶାଇ ଛେଚିଦିଅନ୍ତୁ। ଏହାର ଏକ ମିଶ୍ରଣ ପ୍ରସ୍ତୁତ କରି ମୁଣ୍ଡରେ ଲଗାନ୍ତୁ। ମୁଣ୍ଡବିନ୍ଧା କମିଯିବ। ଥଣ୍ଡା ଏବଂ କାଶ ହେଲେ ଗରମ ପାଣିରେ କର୍ପୁର ମିଶାଇ ବାଷ୍ପ ଗ୍ରହଣ କରିବା ଦ୍ୱାରା ବହୁତ ଆରାମ ମିଳିଥାଏ। କାଶ ହେଲେ, ସୋରିଷ ତେଲରେ କର୍ପୁର ମିଶାଇ ପିଠି ଏବଂ ଛାତିରେ ହାଲୁକା ହାତରେ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ବହୁତ ଆରାମ ଲାଗେ।

କର୍ପୁର କେଶ ପାଇଁ ମଧ୍ୟ ଲାଭଦାୟକ ଅଟେ। ପ୍ରଦୂଷଣ ବୃଦ୍ଧି ଏବଂ ଖରାପ ଜଳର ବ୍ୟବହାର ଯୋଗୁଁ ଲୋକଙ୍କଠାରେ କେଶ ଝଡ଼ିବା ସମସ୍ୟା ବୃଦ୍ଧି ପାଇଛି। କର୍ପୁର ତେଲକୁ ଅନ୍ୟ ବାସ୍ନା ତେଲ ସହ ମିଶାଇ କେଶରେ ଲଗାନ୍ତୁ । ଏହା ଦ୍ୱାରା କେଶ ମୂଳ ମଜଭୂତ ହେବା ସହ ଝଡିବା ମଧ୍ୟ କମିଥାଏ । ଏହା ବ୍ୟତୀତ, ମୁଣ୍ଡରେ ରୁପି ସମସ୍ୟା ଥିଲେ ନଡ଼ିଆ ତେଲରେ କର୍ପୁର ମିଶାଇ କେଶରେ ଲଗାନ୍ତୁ, ଏହା କମିଯିବ।

ଶୀତ କିମ୍ବା ଗ୍ରୀଷ୍ମ ପୋଷାକ ଆଲମାରୀରେ ରଖିବା ବେଳେ ଆପଣ ନିଶ୍ଚିତ ଭାବରେ ସେଥିରେ ନାଫଥାଲିନ୍ ରଖୁଥିବେ। ଆପଣ ଏହା ପରିବର୍ତ୍ତେ କର୍ପୁର ବ୍ୟବହାର କରିପାରିବେ। ଏହା ପୋଷାକକୁ ସତେଜ ରଖିବ ଏବଂ କୀଟନାଶକ ଔଷଧ ଭାବେ କାମ କରିବ। କର୍ପୁରକୁ ଗ୍ରାଇଣ୍ଡ କରି ସେହି ପାଉଡରରେ ଦୁଇ ଚାମଚ ଲେଭେଣ୍ଡର ତେଲ ମିଶାଇ ଏକ ସ୍ପ୍ରେ ବୋତଲରେ ଭରି ଘରେ ସିଞ୍ଚନ କରନ୍ତୁ। ଘର ସୁଗନ୍ଧିତ ରହିବ। ଏହା ଏକ ଫ୍ରେସନର ଭାବେ କାର୍ଯ୍ୟ କରିବ। ଚର୍ମରେ କୁଣ୍ଡେଇ ହେବା ଏବଂ ଜଳିବା ଭଳି ସମସ୍ୟା ଥିଲେ ଏକ ଚାମଚ କର୍ପୁର ପାଉଡରକୁ ଏକ କପ ନଡ଼ିଆ ତେଲରେ ମିଶାଇ ଲଗାନ୍ତୁ। ଏପରି କରିବା ଦ୍ୱାରା ଚର୍ମରେ ଥିବା ସମସ୍ୟା ଦୂର ହେବ।

Leave A Reply

Your email address will not be published.