ବେଜିଂ: ଚୀନରେ ଏ ଭଳି ଏକ ଜୀବାଶ୍ମ ମିଳିଛି ଯାହାକି ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହି ଜୀବାଶ୍ମ ଏ ପର୍ଯ୍ୟନ୍ତ କୌଣସି ପ୍ରଜାତି ସହ ମେଳ ଖାଉନି । ଅବଶ୍ୟ ଏହା କିଛିମାତ୍ରାରେ ମନୁଷ୍ୟ ସହ ମିଶୁଛି । ଯାହା ଫଳରେ ମନୁଷ୍ୟଙ୍କ ପରି ଆଉ ଏକ ପ୍ରଜାତି ଥିବା ଅନୁମାନ କରାଯାଉଛି । ଚୀନର ବିଭିନ୍ନ ସ୍ଥାନରୁ ମିଳୁଥିବା ଅବଶେଷରେ ଖପୁରୀର ଅଂଶ, ଦାନ୍ତ ଓ ମାଢ଼ି ରହିଛି । ଏହି ଜୀବାଶ୍ମ ୩୦୦,୦୦୦ ରୁ ୧୦୦,୦୦୦ ବର୍ଷ ତଳର ବୋଲି ଅନୁମାନ କରାଯାଉଛି । ଉଦ୍ଧାର କରାଯାଇଥିବା ଅଂଶବିଶେଷକୁ ପରୀକ୍ଷଣ କରାଯିବା ପରେ ଏହାର ମସ୍ତିଷ୍କର ଆକାର ସାଧାରଣ ମନୁଷ୍ୟଙ୍କ ତୁଳନାରେ ବହୁତ ବଡ ରହିଥିଲା । ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂଆ ପ୍ରଜାତି ବୋଲି ବୈଜ୍ଞାନିକମାନେ କହିଛନ୍ତି ।
ଏହାର ନାମ ହୋମୋ ଜୁଲୁ ଏନ୍ସିସ ରଖାଯାଇଛି । ତେବେ କେତେକ ବୈଜ୍ଞାନିକମାନେ ଏହା ଅନ୍ୟ ପ୍ରଜାତିର ନୁହେଁ ବୋଲି କହିଛନ୍ତି । ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସାଧାରଣ ମନୁଷ୍ୟ ମସ୍ତିଷ୍କର କ୍ଷମତା ୧୩୫୦ ସିିସି ହୋଇଥିବା ବେଳେ ଏହାର ୧୭୦୦ରୁ ୧୮୦୦ ସିସି ରହିଛି । ଅଧିକ ଗବେଷଣା ପରେ ଏହା ମନୁଷ୍ୟ ପ୍ରଜାତିର କିମ୍ବା ସମ୍ପୂର୍ଣ୍ଣ ଭାବେ ନୂଆ ତାହା ଜଣାପଡିବ । ୧୯୭୦ ଦଶକରେ ବୈଜ୍ଞାନିକମାନେ ମନୁଷ୍ୟ ସୃଷ୍ଟି ନେଇ ଯେଉଁ ସିଦ୍ଧାନ୍ତ ଦେଇଥିଲେ ଏବେ ଏଥିରେ ଅନେକ ପରିବର୍ତନ ହୋଇଛି । ଅତ୍ୟାଧୂନିତ ଗବେଷଣା ରହସ୍ୟର ପରତ ଖୋଲିବାରେ ଲାଗିଛି । ଆଗାମୀ ଦିନରେ ଆହୁରି ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।
Comments are closed.