କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି ସୁରକ୍ଷିତ କି ନାହିଁ, ତାହା ଏକ ବିବାଦୀୟ ପ୍ରସଙ୍ଗ ରହିଥିବାବେଳେ, ଏହା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ଗତ ବର୍ଷ ଡିସେମ୍ବର ମାସରେ ସୂର୍ଯ୍ୟମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ନମୂନା ସଂଗ୍ରହ କରାଯାଇଥିଲା । ଉକ୍ତ ବାଲିକୁ ସେହି ମାସ ୮ ତାରିଖରେ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସକୁ ପଠାଇଥିଲା । ସେଠାରେ ଯାଞ୍ଚ ପରେ ଭିତର ବାଲି ପୂର୍ବପରି ସୁରକ୍ଷିତ ଥିବା ରିପୋର୍ଟ ପ୍ରକାଶ ପାଇଛି ।
ବାଲି କାଢ଼ିଲେ କୋଣାର୍କ ମନ୍ଦିରକୁ କୌଣସି ବିପଦ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ଏଥିପାଇଁ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଛି ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି । ରିପୋର୍ଟ ଆସିବା ପରେ ଏଏସଆଇ ପକ୍ଷରୁ ବାଲି କାଢ଼ିବା ନେଇ ଚୂଡ଼ାନ୍ତ କରାଯାଇଛି ।
ସୂଚନା ଅନୁଯାୟୀ, ସୂର୍ଯ୍ୟମନ୍ଦିରର ୮୦ ଫୁଟ ଉଚ୍ଚରେ ପଶ୍ଚିମ ପାର୍ଶ୍ଵ କାନ୍ଥରେ ୯ ଫୁଟ ଚଉଡ଼ାରେ ପଥର କଟାଯାଇ ଭିତରକୁ ପ୍ରବେଶ ପାଇଁ ଟନେଲ୍ ନିର୍ମାଣ କରାଯିବ। ସୁରକ୍ଷା ଦୃଷ୍ଟିରୁ ଟନେଲ୍ ମଧ୍ୟରେ କୌଣସି ମଣିଷ ପ୍ରବେଶ କରିବେ ନାହିଁ । ଏହା ମଧ୍ୟକୁ ସ୍ବୟଂଚାଳିତ ରୋବୋଟିକ୍ ଟ୍ରଲି ପ୍ରବେଶ କରି ଗର୍ଭଗୃହରୁ ବାଲି ସଂଗ୍ରହ କରି ତଳକୁ ଅଣାଯିବ । ସେଠାରୁ ପାଇପ୍ ସାହାଯ୍ୟରେ ମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ସୁରକ୍ଷିତ ରଖାଯିବ । ଏନେଇ ସମସ୍ତ ମେକାନିକାଲ୍ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି ।