Latest Odisha News

BREAKING NEWS

ଆର୍ଥିକ ଅଭିବୃଦ୍ଧି ହାରରେ ଭାରତଠାରୁ ପଛରେ ପଡ଼ିବେ ଚୀନ, ଫ୍ରାନ୍ସ: IMF

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ମୁଦ୍ରାକୋଷ (IMF) ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଭଲ ସଂକେତ ଦେଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୨ ଅଙ୍କ ଛୁଇଁବ । ଆଇଏମଏଫ ଅନୁମାନ ଅନୁସାରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ବଢ଼ିବ । କରୋନା ସଂକଟ କାଳରେ ଏକମାତ୍ର ଦେଶ ଭାବେ ଭାରତୀୟ ଅର୍ଥ ବ୍ୟବସ୍ଥା ବହୁତ ଦ୍ରୁତଗତିରେ ଆର୍ଥିକ ଅଭିବୃଦ୍ଧି ହାସଲ କରିବ । ଏଥିସହ ଆଗାମୀ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥ ବ୍ୟବସ୍ଥା ଚୀନ ସମେତ ଦୁନିଆର ଅନେକ ବଡ଼ ଦେଶର ଆର୍ଥିକ ଅଭିବୃଦ୍ଧିକୁ ପଛରେ ପକାଇବ ବୋଲି ରିପୋର୍ଟରେ ଆକଳନ କରାଯାଇଛି ।

ଆଇଏମଏଫ ପକ୍ଷରୁ ଜାରି ବିଶ୍ୱ ଅର୍ଥନୈତିକ ରିପୋର୍ଟରେ ଭାରତୀୟ ଅର୍ଥନୀତିରେ ଦ୍ରୁତ ସୁଧାର ଆସିବା ଅନୁମାନ କରାଯାଇଛି । ଯେତେବେଳେ କି ୨୦୨୦ରେ କରୋନା ପାଇଁ ଦେଶର ଅର୍ଥ ବ୍ୟବସ୍ଥା ରେକର୍ଡ ସ୍ତରରେ ହ୍ରାସ ପାଇଥିଲା । ଆଇଏମଏଫ ଅନୁମାନ ଅନୁସାରେ ଚୀନ ୮.୧ ପ୍ରତିଶତ ଗତିରେ ଆର୍ଥିକ ଅଭିବୃଦ୍ଧି ହାସଲ କରିବ । ସେହିଭଳି ସ୍ପେନ୍ ୫.୯ ପ୍ରତିଶତ, ଫ୍ରାନ୍ସ ୫.୫ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହାସଲ କରିବା ନେଇ ଆକଳନ କରିଛି ଆଇଏମଏଫ ।

ରିପୋର୍ଟରେ କୁହାଯାଇଛି- ଦ୍ରୁତଗତିରେ ବଢ଼ୁଥିବା ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ଅନ୍ୟତମ । ବିଗତ ୩ ମାସରେ କରୋନା ଭ୍ୟାକ୍ସିନକୁ ନେଇ କିଛି ଦେଶକୁ ଆଶାତୀତ ସଫଳତା ମିଳିଛି । ଅନେକ ଦେଶ ଟିକାକରଣ ଆରମ୍ଭ କରିଛନ୍ତି । ଆଇଏମଏଫ ୨୦୨୧ ଆର୍ଥିକ ବର୍ଷ ପାଇଁ ବିଶ୍ୱ ଅର୍ଥନୀତିରେ ୫.୫ ପ୍ରତିଶତ ଅଭିବୃଦ୍ଧି ଆକଳନ କରିଛି । ଯାହାକି ଅକ୍ଟୋବର ୨୦୨୦ରେ ଲଗାଯାଇଥିବା ଅନୁମାନ ଠାରୁ ୦.୩ ପ୍ରତିଶତ ଅଧିକ ।

Leave A Reply

Your email address will not be published.