Latest Odisha News

BREAKING NEWS

୯ରୁ ୯୦ ହେବ କଂଗ୍ରେସ, ୨୦୨୪ରେ ସରକାର ଗଢିବେ କହିଲେ ପିସିସି ସଭାପତି

ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନରେ କମବ୍ୟାକ କରିବ କଂଗ୍ରେସ । ୨୦୧୯ରେ ୯ଟି ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହୋଇଥିଲା ୨୦୨୪ ବେଳକୁ ଏହି ସଂଖ୍ୟା ୯୦ ଛୁଇଁବ । ନବ ନିଯୁକ୍ତ ପିସିସି ସଭାପତି ଏହା କହିଛନ୍ତି । ଆଉ ଏଥିପାଇଁ ସେ ରୋଡମ୍ୟାପ ପ୍ରସ୍ତୁତ କରିସାରିଥିବା କହିଛନ୍ତି ।

ଶୁକ୍ରବାର ଦିଲ୍ଲୀରୁ ଆସିବା ପରେ ଶରତ ପଟ୍ଟନାୟକଙ୍କୁ ବିମାନ ବନ୍ଦରରେ ଏକ ବିରାଟ ପଟୁଆର ଯାଇ ପାଛୋଟି ଆଣିଥିଲା । ଦଳୀୟ ଅଫିସରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଉତ୍ତରୀୟ ଦେଇ ଶରତଙ୍କୁ ସରକାରୀ ଭାବରେ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ । ଏହାପରେ ଦଳ ଆରମ୍ଭ କରିଛି ମାନସ ମନ୍ଥନ । କିଏ କେଉଁ ଦାୟିତ୍ୱ ନେବ, ସଂଗଠନ କିଭଳି ଆଗକୁ ବଢିବ ସେ ନେଇ ଶରତ ପଟ୍ଟନାୟକ ରୋଡ୍ ମ୍ୟାପ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ।

ତେବେ ରାଜ୍ୟରେ ଗୋଟିଏ ଲୋକପ୍ରିୟ ଦଳ ବିଜେଡି ରହିଥିବା ବେଳେ ପ୍ରମୁଖ ବିରୋଧୀ ଆସନରେ ବିଜେପି ରହିଛି । ଯିଏକି କେନ୍ଦ୍ରରେ କ୍ଷମତାରେ ରହିଛି । ଆଉ ଓଡିଶାର ୩ ଜଣ କେନ୍ଦ୍ରରେ ମଧ୍ୟ ରହିଛନ୍ତି । ଏପରି ସ୍ଥିତିରେ କଂଗ୍ରେସ କିଭଳି ଆଗକୁ ବଢିବ ଆଉ ୯ରୁ ୯୦ ଆସନ କେଉଁ ଆଧାରରେ ଜିତିବ ବୋଲି ଗଣମାଧ୍ୟମ ପ୍ରତିନିଧି ଶରତ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ଶରତ ୧୯୯୫ର କଂଗ୍ରେସ ରାଜନୀତି କଥା ମନେ ପକାଇ ଦେଇଛନ୍ତି ।

ସେ କହିଛନ୍ତି ୧୯୯୦ରେ ଜାନକୀ ବଲ୍ଲଭ ପଟ୍ଟନାୟକ ପିସିସି ସଭାପତି ଥିଲେ । ବିଜୁ ପଟ୍ଟନାୟକ କ୍ଷମତାରେ ଥିଲେ । ଆଉ ସେ ସାଂସଦ ଥିଲେ । ହେଲେ ଗାଁକୁ ଗାଁକୁ ବୁଲି କଂଗ୍ରେସ ସେତେବେଳେ ୧୯୯୫ରେ ସରକାର ଗଢିଲା । ଠିକ୍ ସେହିପରି ୨୦୨୪ରେ ରିପିଟ ହେବ ବୋଲି ସେ କହିଛନ୍ତି । ତେବେ ସେକାଳ ରାଜନୀତି ଏବେ ନାହିଁ ବୋଲି ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, କଂଗ୍ରେସ ଚାରିଆଡେ ନିଜର କ୍ୟାମ୍ପ ଖୋଲି କର୍ମୀ ଗୋଟାଇବା ଆରମ୍ଭ କରିବ । ସେହିପରି ବିଭିନ୍ନ କଲେଜରେ ଛାତ୍ରଛାତ୍ରୀଙ୍କୁ ଏକାଠି କରି କିଭଳି କଲେଜରେ ଥିବା ସମସ୍ୟାର ସମାଧାନ କରାଯିବ । ଆଉ ରାଜ୍ୟରେ ଦଳକୁ ମଜବୁତ କରିବା ପାଇଁ ଛାତ୍ର କଂଗ୍ରେସକୁ ମୂଳ ଆଧାର ବନାଇବ ବୋଲି ପରୋକ୍ଷରେ ନୂଆ ପିସିସି ସଭାପତି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଶରତ ଯେଉଁସମୟରେ ପିସିସି ସଭାପତି ବୋଲି ଜାତୀୟ କଂଗ୍ରେସ ଘୋଷଣା କଲା ସେତେବେଳେ ସେ ବ୍ରଜରାଜନଗର ଆସନ ପାଇଁ ପ୍ରଚାର କରୁଥିଲେ । ଆଉ ୨୦୧୯ରେ ଯେତେବେଳେ ଦଳର ଏଠାରେ କୌଣସି ସ୍ଥିତି ନଥିଲା ସେତେବେଳେ ପ୍ରଚାର କରିବା ପରେ ଦଳ ଦ୍ୱିତୀୟ ସ୍ଥାନକୁ ଆସିଛି । ଯାହାକୁ ନେଇ ଶରତ ଆତ୍ମବିଶ୍ୱାସ ରଖିଛନ୍ତି ଯେ ପରିଶ୍ରମ କଲେ ଦଳ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ ।

Leave A Reply

Your email address will not be published.