Latest Odisha News

BREAKING NEWS

ପୁଅର ଚିକିତ୍ସା ପାଇଁ ଆଣିଥିବା ୬୦ ହଜାର ଟଙ୍କା ମୋ ବସ୍‌ରୁ ଚୋରି

ଭୁବନେଶ୍ୱର: ମୋ ବସ୍‌ରେ ହସ୍ପିଟାଲକୁ ଯାଉଥିବା ବ୍ୟକ୍ତିଙ୍କ ଟଙ୍କା ଲୁଟ୍। ପୁଅର ଚିକିତ୍ସା ପାଇଁ ନେଉଥିବା ୬୦ ହଜାର ଟଙ୍କାକୁ ଚୋରି ନେଲେ ଦୁର୍ବୃତ। ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ପୁଅର ଚିକିତ୍ସା ପାଇଁ ବହୁ କଷ୍ଟରେ ଟଙ୍କା ସଂଗ୍ରହ କରି ଗଞ୍ଜାମରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ବାପା ବୃନ୍ଦାବନ ସାହୁ। ହେଲେ ମୋ ବସ୍‌ରେ ହସ୍ପିଟାଲକୁ ଯାଉଥିବାବେଳେ ସବୁ ଟଙ୍କା ଚୋରି ହୋଇଗଲା। ଚୋରିର ଶିକାର ହୋଇଥିବା ଗଞ୍ଜାମ ହିଞ୍ଜିଳିକାଟୁର ବୃନ୍ଦାବନ ସାହୁ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଏହି ଘଟଣା ନିକଟରେ ଘଟିଥିବା ବେଳେ ରାଜଧାନୀର ଏକ ଡାକ୍ତରଖାନାରେ ପୁଅର ଚିକିତ୍ସା ପାଇଁ ମୋ ବସ୍ ଯାତ୍ରୀ ୬୦ ହଜାର ଟଙ୍କା ନେଇ ଯାଇଥିଲେ। ସେ ନୟାପଲ୍ଲୀରୁ ୧୯ ନମ୍ବର ମୋ ବସ୍‌ରେ ଏମ୍ସକୁ ଯାଉଥିବାବେଳେ ବସ୍‌ ଭିତରେ ଲୁଟେରା ଦଳ ତାଙ୍କୁ ଘେରି ଯାଇ କୌଶଳ କ୍ରମେ ୬୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୀଡିତା ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି ହୋଇଥିବା ପୁଅର ଚିକିତ୍ସା ପାଇଁ ତାଙ୍କ ଗାଁରୁ ଟଙ୍କା ବ୍ୟବସ୍ଥା କରିଥିଲେ। ଗାଁରୁ ଟଙ୍କା ପାଇବା ପରେ ସେ ନୟାପଲ୍ଲୀ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ରହିଥିଲେ। ଗତକାଲି ସକାଳେ ସେ ନୟାପଲ୍ଲୀ ଡିଏଭି ସ୍କୁଲ ନିକଟ ବସ୍‌ଷ୍ଟାଣ୍ଡ୍‌ରୁ ମୋ ବସ୍‌ରେ ଚଢିଥିଲେ। ଏମ୍ସ ଗେଟ ଆଗରେ ଓହ୍ଲାଇବା ପରେ ତାଙ୍କ ପକେଟରେ ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ। ଯେତେବେଳେ ବସଟି ଖଣ୍ଡଗିରି ଅଞ୍ଚଳ ଦେଇ ଯାଉଥିଲା ସେତେବେଳେ ଏଠାରେ ବହୁତ ଭିଡ ହୋଇଯାଇଥିଲା। ଏହି ସମୟରେ ଟଙ୍କା ଲୁଟ ହୋଇଥିବା ସନ୍ଦେହ କରାଯାଉଛି। ଏହାପରେ ସେ ବସ୍‌ ଡ୍ରାଇଭର ଓ ହେଲପରଙ୍କୁ ଜଣାଇବା ସହ ସିସିଟିଭି ଦେଖିବାକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ।

ଏହାପରେ ନିରାଶ ହେବା ହୋଇ ବୃନ୍ଦାବନ ଖଣ୍ଡଗିରି ଥାନାରେ ପହଞ୍ଚି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇବା ସହ ଲିଖିତ ଅଭିଯୋଗ କରିଥିଲେ। ତେବେ ଟଙ୍କା ଚୋରି ହୋଇଯାଇଥିବାରୁ ପୁଅର ଚିକିତ୍ସାକୁ ନେଇ ବାପା ବୃନ୍ଦାବନ ଚିନ୍ତାରେ ପଡିଛନ୍ତି। ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି। ଯାତ୍ରୀମାନଙ୍କଠାରୁ ଅନେକ ଚୋରି ପାଇଁ ମୋ ବସ୍ ନିକଟରେ ଚର୍ଚ୍ଚାର ବିଷୟ ପାଲଟିଛି। ମୋ ବସ୍‌ ଓ ଷ୍ଟାଣ୍ଡ୍‌ରୁ ଗହଳିର ସୁଯୋଗନେଇ ଚୋରି ବଢ଼ୁଛି। ଯାତ୍ରୀ ଏବେ ମୋ ବୋସରେ ସୁରକ୍ଷା ମନେ କରୁନାହାଁନ୍ତି। ମୋ ବସ୍‌ରେ କାର୍ଯ୍ୟ କରୁଥିବା ଏବଂ ଯାତ୍ରୀଙ୍କୁ ଟାର୍ଗେଟ କରି କମିଶନରେଟ୍ ପୋଲିସ ମଧ୍ୟ ପଶ୍ଚିମବଙ୍ଗର ମହିଳା ଗ୍ୟାଙ୍ଗ ଓ ଅନ୍ୟ ଏକ ପୁରୁଷ ଗ୍ୟାଙ୍ଗକୁ ଗିରଫ କରିଥିଲା।

Leave A Reply

Your email address will not be published.