Latest Odisha News

BREAKING NEWS

ଚାଳିଶ ଟଙ୍କାରେ ପେଟଭର୍ତ୍ତି ଫ୍ରୁଟ୍ ସାଲାଡ୍

ଭୁବନେଶ୍ୱର: ଭଳିକିଭଳି ଫଳ । ଦେଶୀବିଦେଶୀ ସବୁକିଛି ପାଇବେ ମାତ୍ର ୪୦ ଟଙ୍କାରେ । ବେଶ କିଛିଦିନ ଧରି ଏହି ଫ୍ରୁଟ୍ ସାଲାଡ ଚର୍ଚ୍ଚାରେ ରହିଛି । ଦୋକାନର ନାଁ ରହିଛି ମା ଦୁର୍ଗା ସ୍ନାକ୍ସ, ମାତ୍ର ୪୦ ଟଙ୍କାରେ ମିଳୁଛି ଭରପୁର ଫ୍ରୁଟ୍ ସଲାଡ । ଦୋକାନୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ପରମାଣିକ । ଘର ବାଲେଶ୍ୱର, ହେଲେ ବେଉସା ରାଜଧାନୀରେ । ତେବେ ଦିନେ ଏହି ବ୍ୟକ୍ତି ଜଣକ ଫଳ ବିକିବାକୁ ଭୁବନେଶ୍ୱର ଆସିନଥିଲେ । ମନରେ ଭରପୁର ଆଶା ନେଇ ଚାକିରୀ କରିବାକୁ ରାଜଧାନୀ ମାଟି ମାଡିଥିଲେ । ହେଲେ ଚାକିରୀରେ ପରିବାର ଚଳାଇବା କଷ୍ଟର ହୋଇପଡିଥିଲା । ଶେଷରେ ସହିଦନଗର ଦୁର୍ଗା ମଣ୍ଡପ ନିକଟରେ ଖୋଲିଥିଲେ ଗୋଟିଏ ଛୋଟ ପାନ ଦୋକାନ । ମହାମାରୀରେ ବେପାର ମାନ୍ଦା ହେବାରୁ ଫ୍ରୁଟ୍ ସାଲାଡ ବିକିବା ଆରମ୍ଭ କରିଥିଲେ । ସେବେଠୁ ଆଉ ପଛକୁ ଫେରି ଚାହିଁନାହାନ୍ତି ପୁର୍ଣ୍ଣଚନ୍ଦ୍ର ।

ପୁର୍ଣ୍ଣଚନ୍ଦ୍ରଙ୍କ ଦୋକାନରେ ମହଜୁଦ ବିଭିନ୍ନ ରକମର ଫଳ । ଗରାଖ ଦେଖିଲେ ଚଟାପଟ କାଟି ଫଟାଫଟ ପ୍ଲେଟରେ ଭରି ହାତକୁ ବଢାଇଦିଅନ୍ତି । ମାତ୍ର ୪୦ ଟଙ୍କାରେ ପେଟ ଭର୍ତ୍ତି । ସେଓ, କମଳା, ଭଣ୍ଡା, ଆମ୍ବ ଓ ଅଙ୍ଗୁର ଭଳି ଅନେକ ଫଳ ସହ ପୁର୍ଣ୍ଣଚନ୍ଦ୍ରଙ୍କ ଫ୍ରୁଟ୍ ସଲାଡରେ ରହିଛି କିୱି ଓ ଡ୍ରାଗନ ଫ୍ରୁଟ୍ ଭଳି ଦାମୀ ଫଳ । ଗରାଖଙ୍କ ପସନ୍ଦ ଅନୁଯାୟୀ ଏହି ଦୋକାନରେ ଜୁସ ମଧ୍ୟ ମିଳେ । ତେବେ ଖାସ କରି ଗରାଖମାନେ ଏଠି ଫ୍ରୁଟ୍ ସଲାଡ୍ ଖାଇବାକୁ ଭିଡ ଜମାଇଥାନ୍ତି ।

କରୋନା ମହାମାରୀ ପୂର୍ଣ୍ଣଚନ୍ଦ୍ରଙ୍କ କିଛି ଭିନ୍ନ କରିବାକୁ ପ୍ରେରଣା ଯୋଗାଇଥିଲା । ନିତିଦିନିଆ ହୁଅନ୍ତୁ ଅବା ନୂଆ ଗରାଖ, ଏଠିକାର ଫ୍ରୁଟ୍ ସାଲାଡ କାଇ ସମସ୍ତେ ହାସଲ କରିଥାନ୍ତି ଆତ୍ମତୃପ୍ତି । ଗରାଖଙ୍କ ଆତ୍ମତୃପ୍ତି ହିଁ ମୋର ପ୍ରକୃତ ପାଉଣା ବୋଲି କୁହନ୍ତି ପୂର୍ଣ୍ଣଚନ୍ଦ୍ର ପରମାଣିକ ।

 

Comments are closed, but trackbacks and pingbacks are open.