Latest Odisha News

BREAKING NEWS

ଝାରସୁଗୁଡ଼ା ଉପନିର୍ବାଚନ, ନଅରୁ ତିନି ଲଢ଼ିବେ!

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢେଇ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପ୍ରାର୍ଥୀଙ୍କ ସମ୍ପର୍କରେ ସ୍ପଷ୍ଟତା ଆସିଛି। ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଲଢେଇ ପାଇଁ ନିଜ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି।

BjdElectrycity

ପ୍ରାର୍ଥୀଙ୍କ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବା ପରେ ପ୍ରମୁଖ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନରେ ବିଶେଷ କରି ବିଜେଡି ବିଜେପି କଂଗ୍ରେସ ମଧ୍ୟରେ ଲଢେ଼ଇ ହେବ।

ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପକ୍ଷରେ ସହାନୁଭୂତି ଭୋଟ ସହ ମହିଳାଙ୍କ ସମର୍ଥନ ତଥା ବିଜେଡି ଓ ନବୀନଙ୍କ ଲୋକପ୍ରିୟତା ମୁଖ୍ୟତଃ ପ୍ରମୁଖ ଅସ୍ତ୍ର ଭାବେ କାର୍ଯ୍ୟ କରିବ। ଏଥିସହିତ ଝାରସୁଗୁଡ଼ାରେ ନବ ଦାସଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ମଧ୍ୟ ଦୀପାଳିଙ୍କୁ ବେଶ ସହାୟକ ହେବ ବୋଲି କୁହାଯାଉଛି। ବିଜୟର ବ୍ୟବଧାନକୁ ବଢାଇବା ପାଇଁ ଦଳ ବହୁ ପରିଶ୍ରମ କରୁଥିବା ଆଲୋଚନା ହେଉଛି।

ସେପଟେ ବିଜେପି ଯୁବ ନେତା ଟଂକଧରଙ୍କୁ ପ୍ରାର୍ଥୀ କରି ଯୁବ ବର୍ଗଙ୍କ ସମର୍ଥନ କୁ ଅପେକ୍ଷା ରଖିଛି। ଏପରିକି ନବ ଦାସଙ୍କ ହତ୍ୟାକୁ ନେଇ ସରକାରଙ୍କୁ କାଠଗଡାରେ ଛିଡା କରାଇଥିବା ବିଜେପି ନବଙ୍କ ହତ୍ୟାକୁ ମୁଖ୍ୟ ଅସ୍ତ୍ର କରିଛି। ଏପରିକି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ପ୍ରମୁଖ ମୁଦ୍ଦା କରି ନିର୍ବାଚନକୁ ଓଲ୍ହାଇଛି ଦଳ।

ସେପଟେ କଂଗ୍ରେସ ନିଜର ପୁରୁଣା ଭୋଟ ବ୍ୟାଙ୍କକୁ ପାଇବାକୁ ଉଦ୍ୟମ ଆରମ୍ଭ କରିଛି। ଝାରସୁଗୁଡ଼ା ଦିନେ କଂଗ୍ରେସର ଗଡ଼ ଥିଲା। ସାରା ରାଜ୍ୟରେ ଶାସକ ବିଜେଡି ଜିତୁଥିବା ବେଳେ ଝାରସୁଗୁଡ଼ାରେ କଂଗ୍ରେସ ବାଜି ମାରୁଥିଲା। କିନ୍ତୁ ସେତେବେଳେ ନବ ଦାସ ଝାରସୁଗୁଡ଼ାରେ କଂଗ୍ରେସର ମଙ୍ଗ ଧରିଥିଲେ। କିନ୍ତୁ ସେ ବିଜେଡିକୁ ଆସିବା ପରେ କଂଗ୍ରେସ ଦୁର୍ବଳ ହୋଇଥିଲା।

ଏବେ କିନ୍ତୁ ପୂର୍ବତନ ବିଧାୟକଙ୍କ ପୁଅ ତରୁଣ ପାଣ୍ଡେଙ୍କୁ ଦଳ ପ୍ରାର୍ଥୀ କରିଛି। ତାଙ୍କ ପରିବାର ପ୍ରତି ଝାରସୁଗୁଡ଼ାର କିଛି ଲୋକଙ୍କ ସମର୍ଥନ ଥିବା କୁହାଯାଉଛି। ତେଣୁ ଦଳ ଏହାକୁ ସମ୍ବଳ କରି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିଥିବା କୁହାଯାଉଛି। ତେଣୁ ଏଭଳି ଗଣିତ କଷି ତିନି ପ୍ରମୁଖ ଦଳ ନିର୍ବାଚନ ଲଢ଼ୁଥିବା ବେଳେ ଜିତାପଟ କାହାର ହେବ ତାକୁ ନେଇ ଚର୍ଚ୍ଚା।

Leave A Reply

Your email address will not be published.