Latest Odisha News

BREAKING NEWS

ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଡାଉ, ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଜବତ

ଭୁବନେଶ୍ଵର: ଆଗକୁ ନିର୍ବାଚନ । ସେଥିପାଇଁ ଆକ୍ସନ ମୋଡରେ ସରକାରଙ୍କ ସମସ୍ତ ବିଭାଗ । ସ୍ଵଚ୍ଛ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଏହାରିଭିତରେ ଭୁବନେଶ୍ଵରର ଜଣେ ବ୍ୟବସାୟୀଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ । ଭୁବନେଶ୍ଵର ବୁଦ୍ଧେଶ୍ଵରୀ କଲୋନୀରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ତରଫରୁ ଚଡାଉ ଜାରି ରହିଛି । ଚଢାଉ ବେଳେ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଛି ଆୟକର ବିଭାଗ ।

ସୂଚନା ଅନୁସାରେ, ଗତକାଲିଠୁ ଆୟକର ବିଭାଗର ଏହି ଚଢାଉ ଜାରି ରହିଛି । ଉକ୍ତ ବ୍ୟବସାୟୀଙ୍କର ଏକ ଫ୍ଲେକ୍ସ ପ୍ରିଣ୍ଟ ଅଛି । ସେଠାରେ ବିଭିନ୍ନ ରାଜନୈତୀକ ଦଳଙ୍କର ପ୍ରିଣ୍ଟିଙ୍ଗ କାର୍ଯ୍ୟ ଚାଲିଛି । ତେବେ ପ୍ରଥମେ ଗତକାଲି ଜିଏସଟି ଅଧିକାରୀ ଚଢାଉ କରିଥିଲେ । ଚଢାଉ ବେଳେ ଘରୁ ବିପୁଳ ପରିମାଣର ଟଙ୍କା ଥିବା ଦେଖି ଆୟକର ବିଭାଗକୁ ସୂଚନା ଦେଇଥିଲେ । ଏହି ସୂଚନା ଆଧାରରେ ଆୟକର ବିଭାଗ ଚଡାଉ ଜାରି ରଖିଛି । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ଏବଂ ଏହା କାହାର ସେନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି ଆୟକର ଅଧିକାରୀ । ସେପଟେ କିନ୍ତୁ ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା ଜବତ ହୋଇଥିବାରୁ କୌଣସି ରାଜନୈତିକ କାମ ପାଇଁ ଅଣାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ସେପଟେ କିନ୍ତୁ ଆୟକର ବିଭାଗର କୌଣସି ପ୍ରଶ୍ନର ସଠିକ ଭାବରେ ଉତ୍ତର ଦେଇପାରୁନାହାଁନ୍ତି ଉକ୍ତ ବ୍ୟବସାୟୀ ।

Leave A Reply

Your email address will not be published.