ବ୍ୟୁରୋ: ଡିସେମ୍ବର ୧୩ରେ ଦିଲ୍ଲୀରେ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍ । ଦିଲ୍ଲୀରୁ ଅହମ୍ମଦାବାଦ୍ ସ୍ଥାନ ପରିବର୍ତ୍ତନ ଖବରକୁ ଖଣ୍ଡନ କଲା ବିସିସିଆଇ । ସ୍ପଷ୍ଟୀକରଣ ରଖିଲେ ସମ୍ପାଦକ ଦେବଜିତ ସାଇକିଆ । ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍ର ସ୍ଥାନ ପରିବର୍ତ୍ତନ ନେଇ ଖବର ପ୍ରସାରଣ ହୋଇଥିଲା । ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ନିଜେ ବିସିସିଆଇ ସମ୍ପାଦକ । ମ୍ୟାଚ୍ ଯେଉଁ ସ୍ଥାନରେ ହେବାକୁ ସ୍ଥିର ହୋଇଥିଲା ସେହିଠାରେ ହିଁ ହେବ । ଆମର ସ୍ଥାନ ବଦଳାଇବା ନେଇ କୌଣସି କଥାବାର୍ତ୍ତା ହୋଇନାହିଁ ବୋଲି ସେ କହିଛନ୍ତି । ତେଣୁ ଡିସେମ୍ବର ୧୩ରେ ଦିଲ୍ଲୀରେ ହିଁ ମ୍ୟାଚ୍ ହେବ ।
ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିଅମରେ ନିର୍ମାଣ କାମ ଚାଲିଥିବାରୁ ମ୍ୟାଚ୍କୁ ଅହମ୍ମଦାବାଦ୍ ସ୍ଥାନାନ୍ତର ହୋଇଥିବା ଖବର ପ୍ରସାରିତ ହୋଇଥିଲା । ଏଭଳି କୌଣସି ନିଷ୍ପତି ହୋଇନଥିବା ସାଇକିଆ କହିଛନ୍ତି । ଏହି ଶୃଙ୍ଖଳାର ଶେଷ ଦିନିକିଆ ଅହମ୍ମଦାବାଦରେ ଖେଳାଯିବ ବୋଲି ସେ କହିଛନ୍ତି । ଏହାସହ ଭାରତ ଗସ୍ତରେ ଆସୁଥିବା ଟିମ୍ ଶ୍ରୀଲଙ୍କା ୩ଟି ଟି-୨୦ ମ୍ୟାଚ୍ ଖେଳିବ ବୋଲି ମଧ୍ୟ କହିଛନ୍ତି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ।

