Latest Odisha News

ଧାନକିଣା ନେଇ ଅଚଳାବସ୍ଥା: ପ୍ରଶାସନ ଓ ମିଲର୍ସଙ୍କ ଟଣାଓଟରାରେ ବଳି ପଡୁଛି ଚାଷୀ

ଢେଙ୍କାନାଳ: ୪ ଦିନ ହେବ ଖୋଲାପଡିଛି ମଣ୍ଡି। ଢେଙ୍କାନାଳ ଜିଲ୍ଲାରେ ଧାନକିଣା ନେଇ ଜାରି ରହିଛି ଅଚଳାବସ୍ଥା। ଚାଷୀମାନେ ଧାନ କିଣା ନେଇ ଦ୍ବନ୍ଦ୍ବରେ ରହିଛନ୍ତି। ବାହାର ଦଲାଲଙ୍କୁ ବିକିବାକୁ ଚାହିଲେ ମଧ୍ୟ ସେମାନେ ଆଉ ଧରାଛୁଆଁ ଦେଉ ନଥିବାରୁ ଚାଷୀମାନେ ଅସହାୟ ହୋଇପଡ଼ିଛନ୍ତି। ପ୍ରଶାସନ ଓ ମିଲର୍ସଙ୍କ ଟଣାଓଟରାରେ ବଳି ପଡୁଛନ୍ତି ଚାଷୀ। ସରକାର ତାଙ୍କ ନୀତିରୁ ଓହରୁ ନଥିବା ବେଳେ ମିଲର୍ସ ଏଫ୍‌ଏକ୍ୟୁ ମାନର ଧାନ ଉଠାଇବାକୁ ଅଡ଼ିବସିଛନ୍ତି।

ସୂଚନା ଅନୁସାରେ ଜିଲ୍ଲାରେ ଗତ ୮ ତାରିଖରୁ ଧାନକିଣା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଲକ୍ଷ୍ୟ ଥିଲା ୧୩ ଲକ୍ଷ ୯୫ ହଜାର ୩୦୮କୁଇଣ୍ଟାଲ୍‌ ଧାନ କିଣିବା। ହେଲେ ପ୍ରଥମ ଦିନ ୨ ଜଣ ଚାଷୀ ୫୦ କୁଇଣ୍ଟାଲ୍‌ ଧାନ ଆଣିଥିଲେ ମଧ୍ୟ ତାହା ଏଫ୍‌ଏକ୍ୟୁ ମାନର ହୋଇ ନଥିବାରୁ ମଣ୍ଡି ନେଇ ନଥିଲା। ଏହା ପରେ ମଧ୍ୟ ଚାଷୀ ଏଫ୍‌ଏକ୍ୟୁ ମାନର ଧାନ ଆଣିବେ ବୋଲି ଆଶା କରାଯାଇଥିଲା, ହେଲେ ଚାଷୀ ମଣ୍ଡିକୁ ଧାନ ଆଣି ନଥିଲେ। ଲଘୁଚାପଜନିତ ପ୍ରାକୃତିକ ବିପର୍ଯ୍ୟୟ ଭିତରୁ ଚଳିତବର୍ଷ ଯେଉଁ ଧାନ ପାଇଥିଲେ, ସେହି ଧାନକୁ ବିକିବାକୁ ହେଲେ ୧୨ ପ୍ରତିଶତ କଟ୍‌ନିଛଟ୍‌ନି ଦେବାକୁ ପଡ଼ିଥିଲା।

କେତେକ ଚାଷୀ ବାଧ୍ୟବାଧକତାରେ ଧାନ ବିକିଥିଲେ। ମାତ୍ର ୧ ଲକ୍ଷ ୫ ହଜାର କୁଇଣ୍ଟାଲ୍‌ ଧାନ କିଣାଯିବା ପରେ ଏହି କଟ୍‌ନିଛଟ୍‌ନି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା। ପରେ ମିଲର୍ସ ସଂଘ ଓ ଚାଷୀନେତାଙ୍କ ମଧ୍ୟରେ ଏକ ଅଲିଖିତ ଚୁକ୍ତି ହୋଇ ଉଭୟେ ଅଧା କ୍ଷତି ସହିବା ନିଷ୍ପତ୍ତି ନେଇ ଧାନକିଣା ଆରମ୍ଭ ହୋଇଥିଲା। ଏହି ଘଟଣାରେ ସରକରାଙ୍କ କାନକୁ ଗଲା ପରେ କିଛି ମଣ୍ଡିରେ ଚଢ଼ଉ ହୋଇଥିଲା। ଏଥିରେ ମିଲର୍ସ ସଂଘ ଅସନ୍ତୋଷ ପ୍ରକାଶ କରି ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏମିତି ସ୍ଥିତିରେ ୪ ଦିନ ବିତିଥିଲେ ମଧ୍ୟ ସରକାରୀସ୍ତରରେ କୌଣସି ବିକଳ୍ପ ନିଷ୍ପତ୍ତି ହୋଇପାରୁ ନାହିଁ। ଅନ୍ୟପଟେ ଚାଷୀମାନେ ମଧ୍ୟ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରି ଧାନକୁ ଧରି ବସିଛନ୍ତି।

Comments are closed.