ନୂଆଦିଲ୍ଲୀ: ଇସ୍ରାଏଲ-ଗାଜା ଯୁଦ୍ଧକୁ ନେଇ ଜାତିସଂଘର ମାନବାଧିକାର ପରିଷଦରେ ଏକ ଚାଞ୍ଚଲ୍ୟକର ରିପୋର୍ଟ ଉପସ୍ଥାପନ କରାଯାଇଛି। UN ରାଷ୍ଟ୍ରଦୂତ ଫ୍ରାନ୍ସେସ୍କା ଆଲବାନିଜ୍ କେବଳ ଇସ୍ରାଏଲ ନୁହେଁ, ବରଂ ଏହି ପ୍ରସଙ୍ଗରେ ଭାରତର ଭୂମିକାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଉଠାଇଛନ୍ତି।
ୱାଶିଂଟନରେ ଉପସ୍ଥାପିତ ଏହି ରିପୋର୍ଟରେ ଗାଜାକୁ ଏକ ‘ବଡ଼ ଯାତନା ଶିବିର’ ବା Torture Camp ଭାବେ ବର୍ଣ୍ଣନା କରାଯାଇଛି। ରିପୋର୍ଟ ଅନୁସାରେ, ଇସ୍ରାଏଲ କେବଳ ଜେଲ୍ ଭିତରେ ନୁହେଁ, ବରଂ ଜେଲ୍ ବାହାରେ ମଧ୍ୟ ପାଲେଷ୍ଟାଇନ ନାଗରିକଙ୍କ ଉପରେ କଠୋର ନିୟନ୍ତ୍ରଣ ରଖିଛି। ଆଧୁନିକ ଟେକ୍ନୋଲୋଜି, ଫେସ୍ ରିକୋଗ୍ନିସନ, ଡ୍ରୋନ୍ ଏବଂ ଚେକ୍-ପଏଣ୍ଟ ମାଧ୍ୟମରେ ସେମାନଙ୍କ ଜୀବନକୁ ଦୁର୍ବିଷହ କରିଦିଆଯାଇଛି।
ଏହି ଘଟଣାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ଉପରେ ଲଗାଯାଇଥିବା ଅଭିଯୋଗ। ଫ୍ରାନ୍ସେସ୍କା ଆଲବାନିଜ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଭାରତ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରୁଛି। ଭାରତ ଓ ଇସ୍ରାଏଲ ମଧ୍ୟରେ ଥିବା ‘Special Strategic Partnership’ ଏବଂ ପ୍ରତିରକ୍ଷା ସମ୍ପର୍କ ଏବେ ସନ୍ଦେହ ଘେରରେ। ICJ ବା ଅନ୍ତର୍ଜାତୀୟ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ୱେ ଭାରତ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ପଠାଉଥିବା ନେଇ ଜାତିସଂଘ ରାଷ୍ଟ୍ରଦୂତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଇସ୍ରାଏଲ ସହ ଘନିଷ୍ଠ ସମ୍ପର୍କ ରଖି ଭାରତ ନିଜର ଅନ୍ତର୍ଜାତୀୟ ନୈତିକ ଦାୟିତ୍ୱରୁ ଓହରି ଯାଉଛି।
ଏହି ରିପୋର୍ଟରେ ଆଉ ଏକ ସାଂଘାତିକ ଦିଗ ଉପରେ ଆଲୋକପାତ କରାଯାଇଛି। ଇସ୍ରାଏଲରେ କାର୍ଯ୍ୟରତ ଡାକ୍ତର, ସାମ୍ବାଦିକ ଏବଂ ମାନବାଧିକାର କର୍ମୀଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଉଛି। ଦକ୍ଷିଣ ଆଫ୍ରିକା, ସ୍ପେନ୍ ଏବଂ ମାଲେସିଆ ଭଳି ଦେଶ ଇସ୍ରାଏଲ ଉପରେ ଚାପ ପକାଉଥିବା ବେଳେ ପ୍ରଭାବଶାଳୀ ଗୋଷ୍ଠୀଙ୍କ ଯୋଗୁଁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ।
ତେବେ UN ରାଷ୍ଟ୍ରଦୂତଙ୍କ ଏହି ଅଭିଯୋଗ ପରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ତେବେ ଭାରତ ସବୁବେଳେ ଶାନ୍ତି ଏବଂ ଅନ୍ତର୍ଜାତୀୟ ନିୟମକୁ ସମ୍ମାନ ଦେବା କଥା କହିଆସିଛି।