Latest Odisha News

BREAKING NEWS

ଏନଏସଏସ ଶିବିରରେ ପ୍ରଥମ ଥର ପାଇଁ ଡାକ ବିଭାଗ ପକ୍ଷରୁ ପୋଷ୍ଟାଲ୍ କଭର ଉନ୍ମୋଚିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ଠାରେ ଆୟୋଜିତ ଜାତୀୟ ଏକତା ଶିବିର ଅବସରରେ ପ୍ରଥମ ଥର ପାଇଁ ଡାକ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋଷ୍ଟାଲ୍ କଭର ଉନ୍ମୋଚନ କରାଯାଇଛି ।

ଅକ୍ଟୋବର ୨୯ ତାରିଖ ଠାରୁ ଏକ ସପ୍ତାହ ବ୍ୟାପି ଆୟୋଜିତ ଏହି ଶିବିରରେ ୧୦ଟି ରାଜ୍ୟରୁ ୨୫୦ ରୁ ଅଧିକ ଏନଏସଏସ ସ୍ୱେଚ୍ଛାସେବୀ ଯୋଗ ଦେଇଛନ୍ତି । ସେମାନେ ୨୦ଟି ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଅଟନ୍ତି ।

ଏହି ସ୍ୱତନ୍ତ୍ର ପୋଷ୍ଟାଲ୍ କଭରରେ ଧଉଳି ଶାନ୍ତିସ୍ତୂପର ଚିତ୍ର ଏବଂ ସୋଆ ଓ ଏନ୍ଏସ୍ଏସର ଲୋଗୋ ସ୍ଥାନିତ କରାଯାଇଛି । ଖଣ୍ଡଗିରିସ୍ଥିତ ଉପ-ଡାକଘରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ଡାକ ବିଭାଗର ସିନିୟର ସୁପରିଟେଣ୍ଡେଂଟ ସତ୍ୟବାଦୀ ବିଶ୍ୱାଳ ଏନ୍ଏସ୍ଏସ୍ (ଓଡ଼ିଶା)ର ଆଂଚଳିକ ନିର୍ଦ୍ଦେଶକ  ଆର୍. ଗୋକୁଳକ୍ରିଷ୍ଣନଙ୍କୁ ଏହି ପୋଷ୍ଟାଲ୍ କଭର ପ୍ରଦାନ କରିଥିଲେ ।

ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ଏବଂ ଶିବିରରେ ଯୋଗ ଦେଇଥିବା ୧୦ ଟି ରାଜ୍ୟର ଏନଏସଏସ ପ୍ରୋଗ୍ରାମ୍ ଅଫିସରଙ୍କ ଉପସ୍ଥିତିରେ ଏହି ପୋଷ୍ଟାଲ୍ କଭର ଉନ୍ମୋଚନ କରାଯାଇଥିଲା । ଏହାକୁ ଏକ ସ୍ମରଣୀୟ ମୁହୂତ୍ୱର୍ ବୋଲି କହିବା ସହ  ଗୋକୁଳକ୍ରିଷ୍ଣନ୍ କହିଥିଲେ ଯେ “ଏନ୍ଏସ୍ଏସ୍ ଶିବିର ଅବସରରେ ଡାକ ବିଭାଗ ପକ୍ଷରୁ ଦେଶରେ ପ୍ରଥମ ଥର ପାଇଁ ଏଭଳି ପୋଷ୍ଟାଲ୍ କଭର୍ ଉନ୍ମୋଚନ କରାଯାଇଛି” ।

ଏହି ସ୍ୱତନ୍ତ୍ର ପୋଷ୍ଟାଲ୍ କଭର ଉପରେ ଗୁରୁତ୍ୱାରୋପ କରି ବିଶିଷ୍ଟ ଡାକଟିକଟ ବିଶେଷଜ୍ଞ ତଥା ଇଷ୍ଟର୍ଣ୍ଣ ଇଣ୍ଡିଆ ଫିଲାଟେଲିକ୍ ଆସୋସିଏସନର ସମ୍ପାଦକ ଶାନ୍ତିସ୍ୱରୂପ ରଥ କହିଥିଲେ ଯେ “ଯେତେବେଳେ ଡାକଟିକଟ ହୋଇପାରି ନଥାଏ ଏହି ସ୍ୱତନ୍ତ୍ର କଭରକୁ ରିଲିଜ କରାଯାଇଥାଏ । ଏହି ପୋଷ୍ଟାଲ୍ କଭରକୁ ଯତ୍ନର ସହ ସାଇତି ରଖିବା ଉଚିତ୍ କାରଣ ଏହାର ଅନେକ ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ” ।

ସ୍ୱତନ୍ତ୍ର ପୋଷ୍ଟାଲ୍ କଭରରେ ଥିବା ଧଉଳି ଶାନ୍ତିସ୍ତୂପର ବିଶେଷତ୍ୱ ଉପରେ ସୂଚନା ଦେଇ ସୋଆ କୁଳପତି ପ୍ରଫେସର ବାନାର୍ଜୀ କହିଥିଲେ ଯେ ଏହି ଲୋଗୋ ଭୁବନେଶ୍ୱର ସହରର ଐତିହାସିକ ଗୁରୁତ୍ୱକୁ ଦର୍ଶାଇବା ସହ ଭଗବାନ ବୁଦ୍ଧଙ୍କ ଆଦର୍ଶ ଏବଂ ଶାନ୍ତି ଏବଂ ଅହିଂସାର ବାର୍ତା ପ୍ରଦାନ କରୁଛି । ଧଳା ରଂଗର ପାଗୋଡା ସ୍ୱଚ୍ଛ ଏବଂ ଶାନ୍ତିର ବାର୍ତ୍ତା ଦେଉଥିବା ସେ କହିଥିଲେ । ଏହି ଅବସରରେ ଛାତ୍ର ମଙ୍ଗଳ ଡିନ୍ ଡ. ଜ୍ୟୋତି ରଞ୍ଜନ ଦାସ ଏବଂ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡ. ନଚିକେତା ଶର୍ମା ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.