Latest Odisha News

BREAKING NEWS

ଦେବ୍ରୀଗଡ଼ ବାଘ ମୃତ୍ୟୁ: ବନବିଭାଗ କ୍ରାଇମବ୍ରାଞ୍ଚକୁ ରିପୋର୍ଟ ପ୍ରଦାନ କଲେ

ଭୁବନେଶ୍ୱର: ବରଗଡ଼ ଜିଲ୍ଲାରେ ଥିବା ଦେବ୍ରୀଗଡ଼ ବନ୍ୟପ୍ରାଣୀ ଉଦ୍ୟାନରେ ଅକ୍ଟୋବର ୨୯ ତାରିଖରେ ଉଦ୍ଧାର ହୋଇଥିବା ଏକ ବାଘର ଗଳିତ ମୃତଦେହ ସମ୍ପର୍କୀୟ ରିପୋର୍ଟକୁ ଆଜି ବନବିଭାଗ ପକ୍ଷରୁ ଓଡ଼ିଶା କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଛି ।

ଗଣମାଧ୍ୟମକୁ ଏହା ସମ୍ପର୍କରେ ସୂଚନା ପ୍ରଦାନ କରି କ୍ରାଇମବ୍ରାଞ୍ଚ ଏଡ଼ିିଜି ସନ୍ତୋଷ ଉପାଧ୍ୟାୟ ଶନିବାର ଦିନ କହିଛନ୍ତି, ଆମେ ଗତକାଲି ବନବିଭାଗ ପକ୍ଷରୁ ରିପୋର୍ଟ ଗ୍ରହଣ କରିଛୁ । ଓଡ଼ିଶା କ୍ରାଇମବ୍ରାଞ୍ଚ ଏହି ରିପୋର୍ଟ ଆଧାରରେ ତଦନ୍ତ ଆରମ୍ଭ କରିବ । ସେ ଆହୁରି ମଧ୍ୟ ସୂଚନାଦେଇ କହିଛନ୍ତି, ଏ ଘଟଣାରେ ସଂଶ୍ଳିଷ୍ଟ ଥିବା ସନ୍ଦେହ କରି ବନ ବିଭାଗ ପକ୍ଷରୁ କିଛି ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଯେହେତୁ ଏହି ବନ୍ୟପ୍ରାଣୀ ଉଦ୍ୟାନଟି ଝାଡ଼ଖଣ୍ଡ ସୀମାନ୍ତରେ ଅବସ୍ଥିତ ତେଣୁ ପଡ଼ୋଶୀ ରାଜ୍ୟର କିଛି ଶିକାରୀ ଏହି ଘଟଣା ଘଟାଇଥାଇପାରନ୍ତି ।

“ଆମେ ଏହି ଘଟଣାର ସମ୍ପୂର୍ଣ୍ଣ ନିରପେକ୍ଷ ତଦନ୍ତ କରିବୁ,”ବୋଲି କହିଛନ୍ତି ଏଡ଼ିଜି ସନ୍ତୋଷ ଉପାଧ୍ୟାୟ ।

ଆହୁରି ମଧ୍ୟ ଦେବ୍ରୀଗଡ଼ ଜଙ୍ଗଲ ମଧ୍ୟରୁ ଉଦ୍ଧାର ହୋଇଥିବା ଗଳିତ ବାଘର କିପରି ମୃତ୍ୟୁ ହୋଇଛି ସେ ସମ୍ପର୍କରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ରିପୋର୍ଟ ପ୍ରଦାନ କରିବେ । ଏନଟିସିଏର ଅଧ୍ୟକ୍ଷ ଅନୁପ ନାୟକ କହିଛନ୍ତି, ଏହି ଘଟଣା ସମ୍ପର୍କରେ ସବିଶେଷ ବିବରଣୀ ହାସଲ କରିବାକୁ ଏକ ୨ଜଣିଆ ଟିମ୍ ଦେବ୍ରୀଗଡ଼ ଅଭୟାରଣ୍ୟ ମଧ୍ୟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଦେବ୍ରୀଗଡ଼ ବନ୍ୟପ୍ରାଣୀ ଉଦ୍ୟାନରୁ ଗଳିତ ଜୀବର ମୃତ ଶରୀର ଉଦ୍ଧାର ହେବାପରେ ପ୍ରଥମେ ଏହାକୁ ଏକ ବାଘର ମୃତଦେହ ବୋଲି ସନ୍ଦେହ କରାଯାଉଥିଲା । ମାତ୍ର ପରେ ଏହା ଏକ କଲରାପତିଆ ବାଘର ଗଳିତ ମୃତଦେହ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ପ୍ରଦାନ କରିଥିଲେ । ଏହି ବାଘର ମୃତଦେହ ଉଦ୍ଧାର ହେବାର ୪ଦିନ ପରେ ବରଗଡ଼ ଡ଼ିଏଫଓ ନଭେମ୍ବର ୧ ତାରିଖରେ କାମଗାନ ଫରେଷ୍ଟର ପର୍ଶୁରାମ ବେହେରା ଏବଂ ହଜୁରୀଗଡ଼ର ଫରେଷ୍ଟଗାର୍ଡ଼ ପ୍ରଭାସିନୀ ମହାନନ୍ଦଙ୍କୁ ଚାକିରିରୁ ନିଲମ୍ବୀତ କରିଥିଲେ ।

Leave A Reply

Your email address will not be published.