ଭୁବନେଶ୍ୱର: ବିନା ଇନ୍ସୁରାନ୍ସରେ ଗାଡ଼ି ଚଲାଉଥିବା ଅମାନିଆ ଚାଳକଙ୍କ ପାଇଁ ଏବେ ଆସିଛି ଏକ ବଡ଼ ଖବର । ସଡ଼କ ସୁରକ୍ଷାକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ନିକଟରେ ‘ବୀମା ନାହିଁ ତ ପେଟ୍ରୋଲ ନାହିଁ’ (No Insurance, No Petrol) ନିୟମ ଲାଗୁ କରିବା ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଆସିବା ପରେ ଓଡ଼ିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁହଁ ଖୋଲିବା ସହ ଏନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏହି ରାୟ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ରାଜ୍ୟ ତଥା ଦେଶରେ ଏବେ ଲକ୍ଷ ଲକ୍ଷ ଗାଡ଼ି ବିନା ବୀମାରେ ରାସ୍ତାରେ ବେଧଡ଼କ ବୁଲୁଛି । ଦୁର୍ଘଟଣା ସମୟରେ ଉପଯୁକ୍ତ ବୀମା ନଥିବା କାରଣରୁ ମୃତାହତଙ୍କ ପରିବାର ଲୋକେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି କିମ୍ବା ଆଇନଗତ ଲଢ଼େଇରେ ବହୁ ହଇରାଣ ହେଉଛନ୍ତି । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଏବଂ ବୀମା ନିୟାମକ କର୍ତ୍ତୃପକ୍ଷ ପକ୍ଷରୁ ଯେଉଁ ନୂତନ ଏସଓପି ବା ଗାଇଡଲାଇନ୍ ପ୍ରସ୍ତୁତ କରାଯିବ, ତାହାକୁ ଆଧାର କରି ଓଡ଼ିଶାରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଥିଲେ ଯେ ଦେଶରେ ଚାଲୁଥିବା ପ୍ରାୟ ୫୬ ପ୍ରତିଶତ ଗାଡ଼ିର ବାଧ୍ୟତାମୂଳକ ‘ଥାର୍ଡ-ପାର୍ଟି ଇନ୍ସୁରାନ୍ସ’ ନାହିଁ। ଏହି ଖିଲାପିକୁ ରୋକିବା ପାଇଁ ରାଜପଥ ଏବଂ ସହରାଞ୍ଚଳରେ ଲାଗିଥିବା ସ୍ମାର୍ଟ ଏଏନପିଆର କ୍ୟାମେରାକୁ ବୀମା ଡାଟାବେସ୍ ଏବଂ ସରକାରୀ ‘ବାହାନ’ ପୋର୍ଟାଲ ସହ ସିଧାସଳଖ ସଂଯୋଗ କରାଯିବ। ଏହାଦ୍ୱାରା ବୀମା ନଥିବା ଗାଡ଼ି ରାସ୍ତାକୁ ବାହାରିଲେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ କଟିଯିବ। ଏହା ସହିତ ଏକ ପାଇଲଟ୍ ପ୍ରୋଜେକ୍ଟ ଜରିଆରେ ପେଟ୍ରୋଲ ପମ୍ପଗୁଡ଼ିକରେ ବୀମାବିହୀନ ଗାଡ଼ିକୁ ଇନ୍ଧନ ନଦେବା ପାଇଁ ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପରିବହନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ନୂଆ ବ୍ୟବସ୍ଥା ଲାଗୁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଆସିବ ଏବଂ ନିୟମ ଭୟରେ ସମସ୍ତେ ନିଜ ଗାଡ଼ିର ବୀମା କରାଇବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିସ୍ତୃତ ରୂପରେଖ ଆସିବା ପରେ ରାଜ୍ୟ ପରିବହନ ବିଭାଗ ସ୍ଥାନୀୟ ପେଟ୍ରୋଲ ପମ୍ପ ମାଲିକ ଓ ତୈଳ କମ୍ପାନୀମାନଙ୍କ ସହ ଆଲୋଚନା କରି ଏହାକୁ କାର୍ଯ୍ୟକାରୀ କରିବ। ପୂର୍ବରୁ ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ତେଲ ନଦେବାକୁ ନିୟମ କରାଯାଇଥିବା ବେଳେ, ଆଗାମୀ ଦିନରେ ବୀମା ନିୟମ ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ଅଧିକ କଡ଼ା ହେବାକୁ ଯାଉଛି ।
