ଦୁବାଇ: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫାଇନାଲରେ ଭାରତ ୪ ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିୟନ ହୋଇଛି । ସ୍ପିନରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୨୪ ବର୍ଷ ତଳର ମଧୂର ପ୍ରତିଶୋଧ ନେଇପାରିଛି । ଭାରତର ଏହା ତୃତୀୟ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ହୋଇଥିବା ବେଳେ ଟି୨୦ ବିଶ୍ୱକପ ପରେ କ୍ରମାଗତ ଦ୍ୱିତୀୟ ଆଇସିସି ଟ୍ରଫି ଜିତିଛି ।
ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୫୨ ରନର ବିଜୟ ଲକ୍ଷ୍ୟ ରଖିଥିଲା । ରୋହିତ ଓ ଶୁଭମନ ଗିଲ ପ୍ରଥମ ୱିକେଟରେ ୧୦୫ରନ ଯୋଗ କରି ଭାରତକୁ ସୁବିଧାଜନକ ସ୍ଥିତିରେ ପଂହଚାଇ ଦେଇଥିଲେ । ମାତ୍ର ଏହା ପରେ ଗିଲ ୩୧ ଓ ବିରାଟ କୋହଲି ୧ ରନ କରି ଆଉଟ ହେବା ଫଳରେ ଭାରତ ବ୍ୟାକଫୁଟକୁ ଠେଲି ହୋଇ ଯାଇଥିଲା । ନ୍ୟୁଜିଲାଣ୍ଡର ସ୍ପିନରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବାନ୍ଧି ରଖିବାରେ ସଫଳ ହୋଇଥିଲେ ।
ଦଳର ସ୍କୋର ୧୨୨ ରନ ହୋଇଥିବା ବେଳେ ରୋହିତ ୭୬ ରନ କରି ଆଉଟ ହୋଇଥିଲେ । ଶ୍ରେୟାଶ ଆୟାର ଓ ଅକ୍ଷର ପଟେଲ ଏହା ପରେ ସତର୍କତାର ସହ ଖେଳିଥିଲେ । ଉଭୟ ୪ର୍ଥ ୱିକେଟରେ ୬୧ ରନ ଯୋଗ କରିଥିଲେ । ୩୮.୪ ଓଭରରେ ଦଳର ସ୍କୋର ୧୮୩ ହୋଇଥିବା ବେଳେ ଆୟାର ୪୮ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଅକ୍ଷର ପଟେଲ(୨୯), ହାର୍ଦ୍ଦିକ ପାଣ୍ଡ୍ୟା(୧୮) ରନ କରିଥିଲେ । ଶେଷ ଭାଗରେ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ଭାରତକୁ ୪୯ତମ ଓଭରରେ ବିଜୟୀ କରାଇଥିଲେ । ରାହୁଲ ଗୁରୁତ୍ୱପୂର୍ଣ୍ଣ ୩୪ ଓ ଜାଡେଜା ୯ ରନ କରି ଅପରାଜିତ ରହିଥିଲେ । ମିଚେଲ ସାଂଟେନର ଓ ମାଇକେଲ ବ୍ରେସୱେଲ ନ୍ୟୁଜିଲାଣ୍ଡ ପକ୍ଷରୁ ୨ଟି ଲେଖାଏଁ ୱିକେଟ ନେଇଥିଲେ ।
ପୂର୍ବରୁ ଡାରେଲ ମିଚେଲଙ୍କ ଧୈର୍ଯ୍ୟପୂର୍ଣ୍ଣ ୬୩ ଏବଂ ଶେଷ ଭାଗରେ ମାଇକେଲ ବ୍ରେସୱେଲଙ୍କ ଅପରାଜିତ ୫୩ ରନ ଯୋଗୁ ନ୍ୟୁଜିଲାଣ୍ଡ ୨୫୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଥିଲା । ଗ୍ଲେନ ଫିଲିପ୍ସଙ୍କ ସହ ମିଚେଲ ୫୭ ଓ ବ୍ରେସୱେଲଙ୍କ ସହ ୪୭ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ରଚୀବ ରବୀନ୍ଦ୍ର (୩୭), ୱିଲ ୟଙ୍ଗ(୧୫) ଓ କେନ ୱିଲିୟମସନ ୧୧ ରନ କରିବାକୁ ସକ୍ଷମ ହୋଇଥିଲେ । ନ୍ୟୁଜିଲାଣ୍ଡ ଶେଷ ୧୦ ଓଭରରେ ୭୯ ରନ ସଂଗ୍ରହ କରିଥିଲା । ମହମ୍ମଦ ସାମୀ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଭାବହୀନ ବୋଲିଂ ଏବଂ ଖରାପ ଫିଲ୍ଡିଂ ଯୋଗୁ ଭାରତ ୨୦ରୁ ୩୦ ଅଧିକ ରନ ବ୍ୟୟ କରିଥିଲା । ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଂଟେନର ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ ।
Comments are closed.