Latest Odisha News

ଅଭିଷେକ ଝଡ ପରେ ବୋଲରଙ୍କ କମାଲ, ଇଂଲଣ୍ଡକୁ ୧୫୦ ରନରେ ହରାଇଲା ଭାରତ

ମୁମ୍ବାଇ: ଏଠାରେ ଅନୁଷ୍ଠିତ ୫ମ ଟି୨୦ ମ୍ୟାଚରେ ଅଭିଷେକ ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ୧୫୦ ରନରେ ଶୋଚନୀୟ ଭାବେ ଇଂଲଣ୍ଡକୁ ପରାସ୍ତ କରିଛି । ଟି୨୦ରେ ଏହା ରନ ବ୍ୟବଧାନ ଦୃଷ୍ଟିକୋଣରୁ ଦ୍ୱିତୀୟ ବୃହତ ବିଜୟ । ଏଥିସହ ୫ ମ୍ୟାଚ ବିଶିଷ୍ଟ ମୁକାବିଲାରେ ଭାରତ ୪-୧ରେ ସିରିଜ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୯ ୱିକେଟ ବିନିମୟରେ ୨୪୭ ରନ କରିଥିଲା । ୨୪୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୧୦.୩ ଓଭରରେ ୯୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଫିଲ ସଲ୍ଟ ଦଳ ପକ୍ଷରୁ ସର୍ବାଧିକ ୫୫ ରନ କରିଥିଲେ । ଭାରତ ତରଫରୁ ମହମ୍ମଦ ସାମୀ ୩ଟି ଏବଂ ବରୁଣ ଚକ୍ରବର୍ତି, ଶିବମ ଦୁବେ ଓ ଅଭିଷେକ ଶର୍ମା ୨ଟି ଲେଖାଏଁ ୱିକେଟ ନେଇଥିଲେ । ରନ ଦୃଷ୍ଟିକୋଣରୁ ଟି୨୦ରେ ଇଂଲଣ୍ଡର ଏହା ସବୁଠାରୁ ବଡ ପରାଜୟ ।

ପୂର୍ବରୁ ଅଭିଷେକ ମାତ୍ର ୩୭ ବଲରେ ଶତକ ହାସଲ କରିଥିଲେ । ସେ ଆନ୍ତର୍ଜାତୀୟ ଟି୨୦ରେ ଓଭରାଲ ତୃତୀୟ ଓ ଭାରତ ପକ୍ଷରୁ ୨ୟ ଖେଳାଳି ଭାବେ ଦ୍ରୁତ ଶତକ ହାସଲ କରିଛନ୍ତି । ଡେଭିଡ ମିଲର ୩୫ ଓ ରୋହିତ ଶର୍ମା ୩୫ ବଲରେ ଶତକ ଅର୍ଜନ କରି ତାଙ୍କଠାରୁ ଆଗରେ ରହିଛନ୍ତି । ଅଭିଷେକ ୧୭ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ପୂର୍ଣ୍ଣ ସଦସ୍ୟ ଦେଶର ଖେଳାଳିଙ୍କ ମଧ୍ୟରେ ତୃତୀୟ ଖେଳାଳି ଭାବେ ଦ୍ରୁତ ଶତକ ହାସଲ କରିଛନ୍ତି । ଅଭିଷେକ ୫୪ ବଲରୁ ୭ ଚୌକା ଓ ୧୩ ଛକା ସହାୟତାରେ ୧୩୫ ରନ କରିଥିଲେ । ଏହା ଭାରତ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ପ୍ରଭାବୀ ପ୍ରଦର୍ଶନ ପାଇଁ ଅଭିଷେକଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Comments are closed.