Latest Odisha News

BREAKING NEWS

ଭାରତୀୟ ନୌସେନାରେ ଆମେରିକୀୟ ଡ୍ରୋନ୍‌, ଚୀନ୍ ଉପରେ ରଖିବ ନଜର

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା ଆମେରିକୀୟ ଡ୍ରୋନ୍ । ଚୀନ୍ ସହ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ନୌସେନାରେ ଏହି ଦୁଇଟି ଡ୍ରୋନ୍ ସାମିଲ କରାଯାଇଛି । ଚୀନ୍ ସୀମାରେ ଏହି ଡ୍ରୋନ୍ ମୁତୟନ କରାଯାଇପାରେ । ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଡ୍ରୋନ୍ ଭାରତୀୟ ସୀମାର ସୁରକ୍ଷା କରିବ । ଆବଶ୍ୟକ ପଡିଲେ ଡ୍ରୋନ ଗୁଡିକୁ ଭାରତ-ଚୀନ୍ ସୀମା ସଂଲଗ୍ନ ଏଲଏସିରେ ମୁତୟନ କରାଯାଇପାରେ ।

ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଦୁଇଟି ଡ୍ରୋନ୍ ପାଇଁ ଅନୁମତି ଦେଇଥିଲେ । ସୂଚନା ଅନୁସାରେ ନଭେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ଏହି ଦୁଇଟି ଡ୍ରୋନ୍ ଭାରତରେ ପହଞ୍ଚି ସାରିଥିଲା । ନଭେମ୍ବର ୨୧ରେ ଆଇଏନଏସ୍ ରଜାଲୀରୁ ଡ୍ରୋନ୍ ସମୁଦ୍ର ଉପରେ ଉଡାଣ ମଧ୍ୟ କରିଥିଲା । ଦୁଇଟି ଡ୍ରୋନ୍ ସମୁଦ୍ର ଅଞ୍ଚଳରେ ନଜର ରଖିବା ପାଇଁ ଉଡାଣ ଭରିବା ଆରମ୍ଭ କରିଦେଇଥିବା ସୂଚନା ମିଳିଛି । ଏହି ଡ୍ରୋନ୍ ଏକା ସଙ୍ଗେ ତିନି ଘଣ୍ଟାରୁ ଅଧିକ ସମୟ ଉଡାଣ ଭରିବାରେ ସକ୍ଷମ । ଏହା ଭାରତୀୟ ନୌସେନା ପାଇଁ ବେଶ ଫଳପ୍ରଦ ହେବ ବୋଲି କୁହାଯାଉଛି ।

ଡ୍ରୋନ୍ ସହିତ ଆମେରିକା ନିର୍ମାତା କମ୍ପାନୀର ଜଣେ ଅଧିକାରୀ ମଧ୍ୟ ଭାରତ ଆସିଛନ୍ତି । ଡ୍ରୋନ୍ ସଞ୍ଚାଳନ ପାଇଁ ସେ ଭାରତୀୟ ସେନାଙ୍କୁ ସହଯୋଗ କରୁଛନ୍ତି । ସୂଚନା ଅନୁସାରେ ଏହି ଦୁଇଟି ଡ୍ରୋନକୁ ୧ ବର୍ଷ ପାଇଁ ଲିଜରେ ଅଣାଯାଇଛି । ଏହାର ଗୁରୁତ୍ବକୁ ଦେଖି ଆଉ ୧୮ଟି ଡ୍ରୋନ୍ ଆଣିବାକୁ ଯୋଜନା କରାଯାଉଛି । ପୂର୍ବ ଲଦାଖରେ ଚୀନ୍ ଅନୁପ୍ରବେଶ ବିରୋଧରେ ଭାରତ ଓ ଆମେରିକା ଏକତ୍ର ହୋଇ କାମ କରୁଛନ୍ତି ।

Leave A Reply

Your email address will not be published.