Latest Odisha News

BREAKING NEWS

ବଢିଲା ଭାରତୀୟ ନୌସେନାର ବଳ, ନୌସେନାରେ ସାମିଲ ହେଲା INS ଇମ୍ଫାଲ

ମୁମ୍ବାଇ: ବଢିଲା ଭାରତୀୟ ନୌସେନାର ବଳ । ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଅତ୍ୟାଧୁନିକ ଷ୍ଟିଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଆଇଏନଏସ ଇମ୍ଫାଲ । ଆଜି ମୁମ୍ବାଇ ଡକୟାର୍କରେ ପହଞ୍ଚି ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଶୁଭ ଉଦଘାଟନ କରିବା ପରେ ପଶ୍ଚିମ ନୌସେନାରେ ଏହାକୁ ସାମିଲ କରାଯାଇଛି । ଏହା ଆରବ ସାଗରରେ ଶ୍ରତ୍ରୁକୁ ଦମନ କରିବ ।

ଭାରତୀୟ ନୌସେନାର ଓ୍ବାରସିପ ଡିଜାଇନ ବ୍ୟୁରୋ ଦ୍ବାରା ଓ ମୁମ୍ବାଇର ମାଜଗାଁ ଡକ ଲିମିଟେଡ ଦ୍ବାରା ନିର୍ମିତ ହୋଇଛି ଆଇଏନଏସ ଇମ୍ଫାଲ । ଏହାର ଲମ୍ବ ରହିଛି ୧୬୩ ମିଟର ଓ ଡିସପ୍ଲେସମେଣ୍ଟ କ୍ଷମତା ରହିଛି ୭ ହଜାର ୪୦୦ ଟନ । ଏହାର ଯନ୍ତ୍ରାଂଶ ମଧ୍ୟରୁ ୭୫ ପ୍ରତିଶତ ରହିଛି ସ୍ବଦେଶୀ । ଗତ ଅକ୍ଟୋବର ୨୦ରେ ଏହାକୁ ନୌସେନା ହାତରେ ଅର୍ପଣ କରାଯାଇଥିଲା । ପରୀକ୍ଷାମୂଳକ ଭାବେ ଏଥିରୁ ସୁପରସୋନିକ ବ୍ରହ୍ମୋସ ମିସାଇଲର ପରୀକ୍ଷଣ ଗତ ନଭେମ୍ବରରେ ହୋଇଥିଲା ।

ଏଥିରେ ସ୍ବଦେଶୀ ଅସ୍ତ୍ର, ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପିତ ହୋଇପାରୁଥିବା ମିସାଇଲ ପରିବହନ କ୍ଷମତା ରହିଛି । ଏଥିରେ ବୁଡାଜାହାଜ ବିଧ୍ବଂସୀ ଅସ୍ତ୍ର, ରକେଟ ଲଞ୍ଚର, ଟର୍ପେଡୋ ଲଞ୍ଚର, ଏଏସଡବ୍ଲୁ ହେଲିକପ୍ଟର ପରିବହନ କ୍ଷମତା ରହିଛି । ଆଣବିକ, ଜୈବିକ ଓ ରାସାୟନିକ ବା ଏନବିସି ଯୁଦ୍ଧ କରିପାରିବାର କ୍ଷମତା ଆଇଏନଏସ ଇମ୍ଫାଲ ନିକଟରେ ରହିଛି । ଏଥିରେ ସୁପର ରାପିଡ ଗନ ମାଉଣ୍ଟ, କମ୍ବାଟ ମ୍ୟାନେଜମେଣ୍ଟ ସିଷ୍ଟମ, ହେଲୋ ଟ୍ରାଭର୍ସିଂ ସିଷ୍ଟମ, ସୋନାର ସିଷ୍ଟମ ଆଦି ରହିଛି ।

ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର, ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର , ଟର୍ପେଡୋ ଆଦି ଠୁଳ କରିବା ପାଇଁ ବିସ୍ତୃତ ପ୍ଲାଟଫର୍ମ ରହିଛି। ମିଳିତ ଗ୍ୟାସ୍‌ ଏବଂ ଗ୍ୟାସ୍‌ ପ୍ରପଲଶନରେ ଚାଲୁଥିବା ଏହି ଜାହାଜର ଘଣ୍ଟା ପ୍ରତି ବେଗ ୫୬ କିଲୋମିଟର ରହିବ।

Leave A Reply

Your email address will not be published.