Latest Odisha News

BREAKING NEWS

ଖୁବଶୀଘ୍ର ଯାତ୍ରୀମାନଙ୍କୁ ଏହିସବୁ ସୁଖସୁବିଧା ଯୋଗାଇଦେବ ରେଳ ବିଭାଗ !

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଚାହିଦା ମୁତାବକ କଣ୍ଟେଣ୍ଟ ସେବା (ସିଓଡି) ଖୁବଶୀଘ୍ର ଯୋଗାଇ ଦିଆଯିବ । ଏହି ସେବା ସମସ୍ତ ପ୍ରିମିୟମ, ଏକ୍ସପ୍ରେସ, ମେଲ ଟ୍ରେନ ଓ ସହରାଂଚଳ ଟ୍ରେନରେ ମିଳିପାରିବ । ଅଧିକ ଅଣଭଡ଼ା ରାଜସ୍ୱ ସଂଗ୍ରହ ଉଦ୍ଦେଶ୍ୟରେ ରେଳ ମନ୍ତ୍ରଣାଳୟ ଅଧୀନ ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ରେଲଟେଲ ସହିତ ମିଶି ରେଳବାଇ ବୋର୍ଡ ଟ୍ରେନରେ ଯାତ୍ରୀଙ୍କ ପାଇଁ ଚାହିଦା ମୁତାବକ ସେବା ଯୋଗାଇ ଦିଆଯିବାକୁ ଯୋଜନା କରାଯାଇଛି ।

ଏଥିପାଇଁ ରେଲଟେଲ ପକ୍ଷରୁ ଜି ଏଣ୍ଟରଟେନମେଣ୍ଟର ଏକ ସହାୟକ କମ୍ପାନୀ ମେସର୍ସ ମାର୍ଗୋ ନେଟୱାର୍କକୁ ଡିଜିଟାଲ ମନୋରଞ୍ଜନ ସେବା ପ୍ରଦାନକାରୀ ଭାବେ ଚୟନ କରାଯାଇଛି । ଏହା ଟ୍ରେନ ଓ ରେଳ ଷ୍ଟେସନରେ ଚାହିଦା ମୁତାବକ କଣ୍ଟେଣ୍ଟ ସେବା (ସିଓଡି) ଯୋଗାଇ ଦେବ । ଏହି ପ୍ରକଳ୍ପ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ପ୍ରକାରର କଣ୍ଟେଣ୍ଟ ଯଥା ଚଳଚ୍ଚିତ୍ର, ମନୋରଞ୍ଜନ କାର୍ଯ୍ୟକ୍ରମ, ଶିକ୍ଷା କାର୍ଯ୍ୟକ୍ରମ ଆଦି ଯାତ୍ରୀଙ୍କ ପାଇଁ ଶୁଳ୍କଯୁକ୍ତ ଏବଂ ନିଃଶୁଳ୍କ ଭାବେ ମିଳିପାରିବ । ଏହି ସେବା କଂଟ୍ରାକ୍ଟ କାର୍ଯ୍ୟକାରୀ ହେବାର ପ୍ରଥମ ଦୁଇ ବର୍ଷ ସହିତ ମୋଟ ୧୦ ବର୍ଷର ଅବଧି ପର୍ଯ୍ୟନ୍ତ ରହିବ ।

ଏହି ପ୍ରକଳ୍ପ ଅନ୍ତର୍ଗତ ରେଲଟେଲ ପକ୍ଷରୁ ଚଳନ୍ତା ଟ୍ରେନରେ ସଂଯୋଗ ହୋଇଥିବା ମିଡିଆ ସର୍ଭର ଜରିଆରେ ପୂର୍ବରୁ ଲୋଡ ହୋଇଥିବା ବିଭିନ୍ନ ଭାଷାର କାର୍ଯ୍ୟକ୍ରମ(ଚଳଚ୍ଚିତ୍ର, ସଂଗୀତ ଭିଡିଓ, ସାଧାରଣ ମନୋରଞ୍ଜନ, ଲାଇଫଷ୍ଟାଇଲ ଆଦି) ଯୋଗାଇ ଦିଆଯିବ । ସିଓଡି ପ୍ଲାଟଫର୍ମ ଜରିଆରେ ଇ-କମର୍ସ/ଏମ-କମର୍ସ ସେବା, ଯାତ୍ରା ବୁକିଂ (କ୍ୟାବ, ବସ, ଟ୍ରେନ) ସେବା ଯୋଗାଇ ଦିଆଯିବ । ଏହାଛଡ଼ା ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ
ବିଭିନ୍ନ ଅଭିନବ ସମାଧାନ ମଧ୍ୟ ଉପଲବ୍ଧ ହେବ । ସିଓଡି ମାଧ୍ୟମରେ ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କ ବ୍ୟକ୍ତିଗତ ଡିଭାଇସ ଜରିଆରେ ବାଧାମୁକ୍ତ ମାଗଣା କିମ୍ବା ଶୁଳ୍କଯୁକ୍ତ ମନୋରଞ୍ଜନ ସେବା ଏବଂ ଉଚ୍ଚ ମାନର ଇଣ୍ଟରନେଟ ସେବା ପାଇପାରିବେ ।

ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ରେଲଟେଲର ସିଏମଡି ପୁନୀତ ଚାଓଲା କହିଛନ୍ତି ଯେ ୨୦୨୨ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ । ଚାହିଦା ଅନୁଯାୟୀ କଣ୍ଟେଣ୍ଟ ସେବା ଯାତ୍ରୀଙ୍କ ଯାତ୍ରା ଅନୁଭୂତିରେ ସୁଧାର ଆଣିପାରିବ । ଏହା ଅଣଭଡ଼ା ରାଜସ୍ୱ ମଧ୍ୟ ବୃଦ୍ଧି କରିବ । ଏହି ସେବା ଭାରତୀୟ ରେଳପଥର ସମସ୍ତ ୧୭ଟି ଜୋନରେ ଉପଲବ୍ଧ ହେବ । ଏହି ପ୍ରକଳ୍ପରୁ ମୁଖ୍ୟତଃ ତିନୋଟି ମାର୍ଗରେ ଆୟ ହେବ ଯଥା ବିଜ୍ଞାପନ ରାଜସ୍ୱ, ଶୁଳ୍କଯୁକ୍ତ ସେବା ରାଜସ୍ୱ ଏବଂ ଇ-କମର୍ସ ଓ ଭାଗିଦାରୀ ସେବାରୁ ମିଳୁଥିବା ରାଜସ୍ୱ । ସାରା ଦେଶରେ ଚାଲୁଥିବା ୩୦୦୩ଟି ପ୍ରିମିୟମ, ମେଲ ଓ ଏକ୍ସପ୍ରେସ ଟ୍ରେନ, ୨୮୬୪ ଯୋଡ଼ା ସହରାଂଚଳ ଟ୍ରେନ (ମୋଟ ୫୭୨୮ଟି ଟ୍ରେନ)କୁ ମିଶାଇ ୮୭୩୧ଟି ଟ୍ରେନରେ ଏହି ସେବା ଯୋଗାଇ
ଦେବା ଲାଗି ଯୋଜନା ହୋଇଛି । ସେହିପରି ଦେଶରେ ଥିବା ୫୫୬୩ଟି ୱାଇଫାଇ ସଂଯୁକ୍ତ ରେଳ ଷ୍ଟେସନରେ ସିଓଡି ସେବା ମିଳିପାରିବ ।

Leave A Reply

Your email address will not be published.