Latest Odisha News

BREAKING NEWS

ମକର ପାଇଁ ଚଳଚଞ୍ଚଳ ମୟୁରଭଞ୍ଜ: କୁଡୁମୀ ସମ୍ପ୍ରଦାୟ କରିବେ ଟୁସୁ ଦେବୀଙ୍କ ପୂଜା

ବାରିପଦା: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଦିନକୁ ସମଗ୍ର ଭାରତ ବର୍ଷରେ ଭିନ୍ନଭିନ୍ନ ଢଙ୍ଗରେ ପାଳନ କରାଯାଏ । ତେବେ ମୟୁରଭଞ୍ଜ ଜିଲ୍ଲାରେ ଏହି ଦିବସର ସ୍ୱତନ୍ତ୍ରତା ରହିଛି । ଏହି ଜିଲ୍ଲାରେ ବସବାସ କରୁଥିବା ଭିନ୍ନଭିନ୍ନ ସମ୍ପ୍ରଦାୟ ପକ୍ଷରୁ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତା କରି ଏହି ଦିବସକୁ ଜାକଜମକରେ ପାଳନ କରାଯାଏ ।

ବିଶେଷକରି କୁଡୁମୀ (ମହାନ୍ତ) ସମ୍ପ୍ରଦାୟରେ ଏହି ମକର ସଂକ୍ରାନ୍ତିର ଯଥେଷ୍ଟ ଗୁରୁତ୍ୱ ରହିଛି । କାରଣ ମକର ସଂକ୍ରାନ୍ତିର ଦିନକ ପୂର୍ବରୁ ଏଠାରେ ଆରମ୍ଭ ହୁଏ ଟୁସୁ ଦେବୀଙ୍କ ପୂଜା । ସମ୍ପ୍ରଦାୟର ଅବିବାହିତା ଯୁବତୀମାନେ ଏହି ପୂଜା କରିଥାନ୍ତି । ଟୁସୁଙ୍କୁ ଏହ ସମ୍ପ୍ରଦାୟରେ ଦେବୀ ବୋଲି ବିବେଚିତ କରାଯାଏ ।

ଜନଶୃତି ଅନୁସାରେ ଏହି ସମ୍ପ୍ରଦାୟର ଜଣେ ଜମିଦାରଙ୍କ ଅଳିଅଳ କନ୍ୟା ଥିଲେ ଟୁସୁ । ଦେଖିବାକୁ ସେ ବହୁତ ସୁନ୍ଦର । ତାଙ୍କ ରୂପରେ ବିମୋହିତ ହୋଇ ଜଣେ ମୋଗଲ ବାଦଶାହ୍ ଜୋର ଜବରଦସ୍ତ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ଟୁସୁଙ୍କ ବାପା ଏହାକୁ ବିରୋଧକରି ବର ପାତ୍ର ଯୋଗାଡ କରିଥିଲେ ଫଳରେ ମୋଗଲ ବାଦଶାହ୍ ରାଗିଯାଇ ଟୁସୁଙ୍କ ଭାବି ସ୍ୱାମୀଙ୍କୁ ହତ୍ୟା କରିବା ସହିତ ତାଙ୍କ ପରିବାରକୁ ଅସହ୍ୟ ନିର୍ଯ୍ୟାତନା ଦେଇଥିଲେ ।

ପରେ ଏହି ମୋଗଲ ବାଦଶାହ୍ଙ୍କ ନଜରରୁ ନିଜକୁ ବଂଚାଇବା ପାଇଁ ଟୁସୁ ଏକ ନଦୀରେ ଡେଇଁ ଆତ୍ମହତ୍ୟା କରିଥିଲେ । ସେହି ଦିନଠାରୁ ଟୁସୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପୂଜା ହୋଇ ଆସୁଥିବା ଲୋକକଥା ରହିଛି । । ଟୁସୁଙ୍କ ମୃଣ୍ମୟୀ ମୂତ୍ତୀକୁ ପିଠା ପଣା ଅଦି ଅର୍ପଣ କରିବା ସହିତ ସ୍ୱତନ୍ତ୍ର ଗୀତ ଗାଇ ତିନି ଦିନ ଧରି ପୂଜା କରାଯାଏ ଏବଂ ଶେଷ ଦିନରେ ବିସର୍ଜନ କରାଯାଏ ।

Leave A Reply

Your email address will not be published.