Latest Odisha News

BREAKING NEWS

ବାସଗୃହ ଯୋଜନାରେ ମନ୍ଥର ଗତି, ୨ ବର୍ଷରେ ପାଇଛନ୍ତି ମାତ୍ର ୧୨ ହଜାର ହିତାଧିକାରୀ

ସୁନ୍ଦରଗଡ଼: ଗରିବ ଓ ନିରାଶ୍ରୟଙ୍କୁ ସୁରକ୍ଷିତ ବାସଗୃହ ଯୋଗାଇଦେବା ପାଇଁ ସରକାରୀସ୍ତରରେ ବ୍ୟାପକ ବ୍ୟବସ୍ଥା ରହିଛି । ହେଲେ ସଠିକ ସମୟରେ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ଏହି ସୁବିଧା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି) ଓ ଅନ୍ତ୍ୟୋଦୟ ଗୃହ ଯୋଜନା (ଏଜିୱାଇ) ଅଧୀନରେ ଘର ପାଇବାକୁ ଥିବା ଯୋଗ୍ୟ ଆବେଦନକାରୀଙ୍କୁ ଦୁଇ ବର୍ଷ ଭିତରେ କେବଳ ୧୧ ହଜାର ୮୯୬ ଟି ବାସଗୃହ ମଞ୍ଜୁର ହୋଇଛି ।

ଜିଲ୍ଲାରେ ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ଜିଲ୍ଲାରେ ୨୬୫୧ଟି ଘର ମଞ୍ଜୁର କରାଯାଇଥିବାବେଳେ ଏଜିୱାଇ ଅଧୀନରେ ୪୦୮୧ଟି ଘର ମଞ୍ଜୁର ହୋଇଥିଲା । ତେବେ ୨୦୨୫-୨୬ରେ ପିଏମ୍‌ଏୱାଇ-ଜି ରେ କୌଣସି ଗୃହ ମଞ୍ଜୁର କରାଯାଇନଥିବାବେଳେ ଏଜିୱାଇ ଅଧୀନରେ ୫୧୬୪ଟି ଘର ମଞ୍ଜୁର ହୋଇଛି ।

ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେବା ପଛରେ ପ୍ରମୁଖ କାରଣ ହେଉଛି ଆବେଦନକାରୀଙ୍କର ପ୍ରାଥମିକ ତାଲିକା ଓ ଯୋଗ୍ୟତା ଯାଞ୍ଚ ପ୍ରକ୍ରିୟାରେ ପ୍ରଶାସନିକ ଶିଥିଳତା। ଆବାସ ପ୍ଲସ୍‌ ଆପ୍ ତଥା ଅନ୍‌ଲାଇନ୍‌ ପୋର୍ଟାଲ ଜରିଆରେ ହଜାର ହଜାର ହିତାଧିକାରୀ ପଞ୍ଜୀକରଣ କରିଥିଲେ ମଧ୍ୟ ସଠିକ୍‌ ସମୟରେ ତୃଣମୂଳସ୍ତରରେ ଯାଞ୍ଚ ହୋଇପାରୁନି ।

ଗ୍ରାମାଞ୍ଚଳରେ ନିମ୍ନମାନର କାର୍ଯ୍ୟ ଓ ସ୍ଥାନୀୟ ଠିକାଦାରଙ୍କ ଦୁର୍ନୀତି ପ୍ରତିବନ୍ଧକ ସାଜିଛି । ଏକାଧିକ ସ୍ଥାନରେ ଆବାସ ଯୋଜନାର ପ୍ରଥମ ଓ ଦ୍ୱିତୀୟ କିସ୍ତି ଅର୍ଥ ନେଇ ଠିକାଦାରମାନେ କାର୍ଯ୍ୟ ଅଧାରୁ ବନ୍ଦ କରିଦେଇଥିବାରୁ ବହୁ ଗରିବ ହିତାଧିକାରୀଙ୍କ ଘର ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରିନି ।

Leave A Reply

Your email address will not be published.