ଭୁବନେଶ୍ୱର: ୨୦୨୪-୨୫ ବର୍ଷ ଇଂରାଜୀରେ ସୃଜନଶୀଳ ଲେଖା ପାଇଁ ସୁଷମା (ପାଣିଗ୍ରାହୀ) ରଥ ପୁରସ୍କାର ଘୋଷଣା କରାଯାଇଛି। ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁରର ଛାତ୍ରୀ ସୁଶ୍ରୀ ଏନ. ହରପ୍ରିୟା ରେଡ୍ଡିଙ୍କୁ ଭଲ ସୃଜନଶୀଳ ଲେଖା ପାଇଁ ପୁରସ୍କାର ଦିଆଯାଇଛି।
ଏଥିସହିତ ତାଙ୍କୁ ୧୦,୦୦୦ ଟଙ୍କା ପୁରସ୍କାର ଏବଂ ଏକ ପ୍ରମାଣପତ୍ର ଦିଆଯାଇଛି। ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠି ତାଙ୍କୁ କଲେଜ ପକ୍ଷରୁ ଏକ ଟ୍ରଫି ମଧ୍ୟ ପ୍ରଦାନ କରିଛନ୍ତି ।
ସେହିପରି ଦୁଇଟି ଯୋଗ୍ୟତା ପୁରସ୍କାର (ମେରିଟ ଆୱାର୍ଡ) ୨୦୦୦ ଟଙ୍କା ଏବଂ ସାର୍ଟିଫିକେଟ୍ ଭୁବନେଶ୍ୱରର ଓୟୁଏଟି କୃଷି ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସେଠି ଏବଂ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ସୁଶ୍ରୀ କିର୍ତ୍ତୀ ସୌମ୍ୟା ମୁଣ୍ଡାଙ୍କୁ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ପଦ୍ମଭୂଷଣ ଭକ୍ତ ଭୂଷଣ ରଥ ୨୦୧୭ ମସିହାରୁ ଓଡ଼ିଶାର ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟର ମହିଳା ଛାତ୍ରୀମାନଙ୍କ ପାଇଁ “ଇଂରାଜୀରେ ସୃଜନଶୀଳ ଲେଖା ପ୍ରତିଯୋଗିତା” ଆରମ୍ଭ କରିଛନ୍ତି। ଇଂରାଜୀ ଭାଷାରେ ସୃଜନଶୀଳ ଲେଖା ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତା ପ୍ରତିବର୍ଷ ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ଚାଲିଥାଏ।
Comments are closed.