Latest Odisha News

BREAKING NEWS

ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ, ହୃଦଘାତରେ ଯାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଶନିବାର ଏକ ଇଣ୍ଡିଗୋ ବିମାନ-୬ଇ ୮୨୨କୁ ଜରୁରୀ ଅବତରଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କୋଲକାତାରୁ ବାଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏହି ବିମାନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗିଡି ଯିବାରୁ ବିମାନର ଜରୁରୀ ଅବତରଣ କରାଯାଇଥିବା ନେଇ ଜଣାପଡିଛି ।

ମୃତ ଯାତ୍ରୀ ଜଣଙ୍କ ପଶ୍ଚିମବଙ୍ଗ ସ୍ଥିତ ମାଲଦା ଅଞ୍ଚଳର ବୋଲି ସୂଚନା ମିଳିଛି ।

ରାଜକୁମାର କର୍ମକାର ନାମକ ଏହି ଯାତ୍ରୀ ଚିକିତ୍ସା ନିମନ୍ତେ ବାଙ୍ଗାଲୁରୁ ଅଭିମୁଖେ ଗସ୍ତ କରୁଥିଲେ । ବିମାନ ଉଡାଣର ପ୍ରାୟ ୪୫ ମିନିଟ୍ ପରେ ସେ ଅଚାନକ ଅସୁସ୍ଥତା ଅନୁଭବ କରିଥିଲେ । ରାଜକୁମାରଙ୍କ ସହ ଯାତ୍ରା କରୁଥିବା ତାଙ୍କ ଭିଣୋଇଙ୍କ କହିବାନୁଯାୟୀ ଶୌଚାଳୟରୁ ଆସିବା ପରେ ରାଜକୁମାରଙ୍କୁ ହୃଦଘାତ ହୋଇଥିଲା ।

ଆହୁରି ମଧ୍ୟ ବିମାନ ଅବତରଣ ପରେ ରାଜକୁମାରଙ୍କୁ ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ରାଜକୁମାରଙ୍କ ମୃତ୍ୟୁର ସଠିକ୍ କାରଣ ଏଯାବତ୍ ଜଣାପଡିନଥିଲା ବେଳେ ତାଙ୍କ ପେଟରେ ପାଣି ଜମିରହିଥିବା ନେଇ ରାଜକୁମାରଙ୍କ ଭିଣୋଇ ପ୍ରକାଶ କରିଛନ୍ତି ।

ଖବର ପାଇ ଏୟାର ଫିଲ୍ଡ୍ ପୋଲିସ ହସ୍ପିଟାଲରେ ପହଞ୍ଚିଛି । ମୃତକଙ୍କ ପରିବାର ବର୍ଗଙ୍କୁ ଘଟଣା ସମ୍ପର୍କରେ ସୂଚିତ କରାଯାଇଥିବା ବେଳେ ସେମାନେ ପହଞ୍ଚିବା ପରେ ଯାଇ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.