କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ଏନେଇ ୨୧ ଜଣ ୱାର୍ଡ ମେମ୍ବରଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ଗତ ୨୩ ତାରିଖରେ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । ଏଥିପାଇଁ ୱାର୍ଡମେମ୍ବରମାନଙ୍କୁ ଉପଜିଲ୍ଲାପାଳଙ୍କ ଅଫିସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସଂପର୍କରେ ମହାକାଳପଡ଼ା ବିଡିଓଙ୍କୁ ପତ୍ର ଲେଖି ଜଣାଇଛନ୍ତି ଉପଜିଲ୍ଲାପାଳ ।
ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରିଥିବା ୱାର୍ଡ ମେମ୍ବର ମାନଙ୍କର ଆସନ୍ତା ଜୁଲାଇ ୨୭ରେ ଉପ ଜିଲ୍ଲାପାଳଙ୍କ ଅଫିସରେ କାଗଜପତ୍ର ଯାଞ୍ଚ ହେବ l
ଅନାସ୍ଥା ଆସିବା ପରେ ମୁହଁ ଖୋଲିଛନ୍ତି ଚାମେଲି । ସେ କହିଛନ୍ତି, ଆକ୍ରୋଶ ରଖି ମୋ’ ବିରୋଧରେ ଏପରି ଅନାସ୍ଥା ଅଣାଯାଇଛି । ଓ୍ବାର୍ଡମେମ୍ବରମାନଙ୍କୁ ଧମକାଇ ଚମକାଇ ଦସ୍ତଖତ ନିଆଯାଇଛି ।
ଗତ ଜୁନ୍ ମାସରେ ବିଡିଓଙ୍କ ସହ ବିବାଦ ଏବଂ ଚାମେଲିଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରାପଡ଼ା ମହାକାଳପଡ଼ାରେ ବଡ଼ ରାଜନୈତିକ ହଙ୍ଗାମା ଦେଖାଦେଇଥିଲା । ସ୍ଥାନୀୟ ସମସ୍ୟାକୁ ନେଇ ମହାକାଳପଡ଼ା ବ୍ଲକ ଅଫିସ ଭିତରେ ଚାମେଲୀ ଓଝା ଓ ବିଡିଓଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ସରକାରୀ କାର୍ଯ୍ୟରେ ବାଧା ଦେବା ଏବଂ ଦୁର୍ବ୍ୟବହାର ଅଭିଯୋଗରେ ଜୁନ୍ ୧୩ ତାରିଖରେ ପୋଲିସ ଚାମେଲିଙ୍କୁ ଗିରଫ କରିଥିଲା । ଗିରଫ ହେବାର କିଛି ଦିନ ପରେ କୋର୍ଟରୁ ଚାମେଲୀ ଓଝାଙ୍କୁ ଜାମିନ ମିଳିଥିଲା ।