Latest Odisha News

BREAKING NEWS

ନକ୍ସଲଗଡରୁ ଇସ୍ରୋ: ଚର୍ଚ୍ଚାରେ ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ

ମାଲକାନଗିରି: ଉପାନ୍ତ ଅଞ୍ଚଳରୁ ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରଯାନ ୩ ପ୍ରକଳ୍ପରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର । ଜୟନ୍ତ କେରଳ ତିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଚନ୍ଦ୍ରଯାନ-୩ ସଫଳ ଅବତରଣ ପରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ।

ମାଲକାନଗିରି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଜୟନ୍ତ କୁମାର ହାଲଦାର। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପରେ କୋରାପୁଟ ପଳାଇ ଯାଇଥିଲେ । ସେଠାରେ ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିବାରୁ ଏରୋସ୍ପେସ ଇଂଜିନିୟରିଂ କରିବା ପାଇଁ ସୁଯୋଗ ପାଇଥିଲେ। ୨୦୧୨ ମସିହାରେ ଏରୋସ୍ପେସ ଇଂଜିନିୟରିଂରେ ଉତ୍ତୀର୍ଣ୍ଣ ହେବା ପରେ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବେ କାମ କରୁଥିଲେ।

ପ୍ରଥମେ ୨୦୧୨ ଠାରୁ ୨୦୧୮ ଯାଏଁ ଶ୍ରୀହରିକୋଟା ଉତକ୍ଷେନ କେନ୍ଦ୍ର କ୍ରାୟୋଜେନିକ୍ ପ୍ରୋପେଲର ବିଭାଗରେ କାମ କରୁଥିଲେ। ପରେ ୨୦୧୮ ମସିହା ଠାରୁ କେରଳ ତିରୁଅନନ୍ତପୁରମ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ବରିଷ୍ଠ ମେକାନିକ୍ସ ବୈଜ୍ଞାନିକ ଭାବେ ଯୋଗ ଦେଇ ଚନ୍ଦ୍ରଯାନ ୩ ପ୍ରକଳ୍ପର ରକେଟ ପେଲୋଡ୍ ଫେରିଙ୍ଗ ଡିଭିଜନର ଦାୟୀତ୍ବରେ ଥିଲେ ଜୟନ୍ତ ଓ ତାଙ୍କ ଟିମ। ଆଉ ସେହି ବିଭାଗରେ ଦିନ ରାତି କାମ କରି ସଫଳତା ହାସଲ କରିଥିଲେ। ଯାହାକୁ ନେଇ ପରିବାର ସହ ଜିଲ୍ଲାବାସୀ ଗର୍ବିତ। ଜୟନ୍ତଙ୍କ ସ୍ବର୍ଗୀୟ ବାପା ଜୟଦେବ ହାଲଦାର ମାଲକାନଗିରି ଜିଲ୍ଲାରେ ଶିକ୍ଷକତା କରୁଥିଲେ । ଜୟନ୍ତ ବିବାହିତ। ସେ ସଂପ୍ରତି ତିରୁଅନନ୍ତପୁରମରେ ରହୁଛନ୍ତି।

Leave A Reply

Your email address will not be published.