Latest Odisha News

BREAKING NEWS

ଆଜି ସଂସଦରେ ଆଗତ ହେବ ଅନ୍ତରୀଣ ବଜେଟ୍

ନୂଆଦିଲ୍ଲୀ: ସଂସଦରେ ଆଜି ଆଗତ ହେବ ଅନ୍ତରୀଣ ବଜେଟ୍ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ । ଦିନ ୧୧ ଟା ରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ନିକଟରେ ଏକ କାର୍ଯ୍ୟକ୍ରମରେ ସୀତାରମଣ ସ୍ପଷ୍ଟ କରିଥିଲେ ଯେ, ବଜେଟ୍‌ରେ କୌଣସି ଆଖିଦୃଶିଆ ଘୋଷଣା ହେବନାହିଁ । ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବଜେଟ୍‌ରେ ଯାହା କିଛି ବ୍ୟବସ୍ଥା କରିବେ । ଆଗକୁ ନିର୍ବାଚନ ଥିବାରୁ ଆଜିର ଏହି ବଜେଟ୍ ଉପରେ ରହିବ ସମସ୍ତଙ୍କ ନଜର । ଚଳିତ ବର୍ଷ ଲୋକସଭା ନିର୍ବାଚନ ଥିବାରୁ ଏହା ଏକ କାମଚଳା ବଜେଟ୍ ହେବ । ଏଥିରେ କୌଣସି ବଡ଼ ଘୋଷଣା କରିବା ଲାଗି ସରକାରଙ୍କ ପାଖରେ ବିଶେଷ ସୁଯୋଗ ରହିବ ନାହିଁ । ଜୁଲାଇ ମାସରେ ନୂତନ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ ।

ତେବେ ଅର୍ଥନିତିକୁ ଶିଖରରେ ପହଁଚାଇବା ପାଇଁ ବିଭିନ୍ନ ଦିଗ ଉପରେ ଫୋକସ କରିପାରନ୍ତି କେନ୍ଦ୍ର ସରକାର । ସେହିପରି ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଭଳି କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରାଯିବାର ମଧ୍ୟ ସମ୍ଭାବନା ରହିଛି । ପିଏମ କିଷାନ ଯୋଜନାରେ ବଢ଼ିପାରେ ସହାୟତା ରାଶି, ଆୟୁଷ୍ମାନ ଭାରତ ଯୋଜନାରେ ମଧ୍ୟ କେନ୍ଦ୍ର ସରକାର ଏହି ବଜେଟରେ ବୀମା ରାଶି ବଢାଇବାର ସମ୍ଭାବନା ରହିଛି ।

ସେହିପରି ଚଳିତ ବଜେଟରେ ଜୀବନବୀମା ଓ ସ୍ୱାସ୍ଥ୍ୟବୀମା ପଲିସିକୁ ଜିଏସଟିମୁକ୍ତ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଦାମ କମାଇବା ସହ ଆୟକରରେ ରିହାତି ଦେବାର ଆଶା କରାଯାଉଛି ।

 

Leave A Reply

Your email address will not be published.