Latest Odisha News

BREAKING NEWS

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସମାରୋହ ଉଦଘାଟିତ

ଭୁବନେଶ୍ବର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସମାରୋହ ଉଦଘାଟିତ ହୋଇଯାଇଛି। ସମାରୋହକୁ ଉଦଘାଟନ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି ଭିନ୍ନକ୍ଷମମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ସଶକ୍ତ କରିବା ଆବଶ୍ୟକ। ଏଥିସହ ସେମାନଙ୍କୁ ସାମାଜିକ ମୂଳସ୍ରୋତରେ ସାମିଲ କରିବା ଗୁରୁତ୍ଵପୂର୍ଣ୍ଣ । ସେମାନଙ୍କ ପ୍ରତି ଥିବା ବୈଷମ୍ୟ ବିଚାରର ବିଲୋପ ସାଙ୍ଗକୁ ସେମାନଙ୍କୁ ସ୍ଵାବଲମ୍ବୀ କରାଇବା ବର୍ତ୍ତମାନର ବଡ଼ ଆବଶ୍ୟକତା । ଭିନ୍ନକ୍ଷମମାନଙ୍କ ପ୍ରତିଭା ଓ ଅନ୍ତର୍ନିହିତ ଗୁଣରାଜିର ପର୍ଯ୍ୟାପ୍ତ ଉପଯୋଗ କରି ସେମାନଙ୍କୁ ସମାଜ ଓ ଅଭିବୃଦ୍ଧିର ସମର୍ଥ ଅଂଶୀଦାର କରିବାକୁ ସବୁସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି । ଭୁବନେଶ୍ଵରରେ ଭିନ୍ନକ୍ଷମମାନଙ୍କ ଖେଳକୁଦ ବିକାଶ ନିମନ୍ତେ ଏକ ସାଟେଲାଇଟ୍‌ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।


ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ଭିନ୍ନକ୍ଷମମାନଙ୍କ କଲ୍ୟାଣ ନିମନ୍ତେ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ସେ କହିଛନ୍ତି । ଭୁବନେଶ୍ଵର (ମଧ୍ଯ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ବିଷ୍ଣୁପଦ ସେଠୀ। ଭିନ୍ନକ୍ଷମମାନେ ଆମ ସମାଜର ସମ୍ବଳ ଓ ସେମାନଙ୍କ ବିକାଶ ହେଲେ ସମାଜ ଆଗକୁ ବଢ଼ିବ ବୋଲି ସେ କହିଥିଲେ ।

ଏହି ତିନି ଦିନିଆ ସମାବେଶରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହଯୋଗୀ ଅନୁଷ୍ଠାନ ତଥା ସଂପୃକ୍ତ ସଂଗଠନଗୁଡ଼ିକ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀରେ ୪୦ଟି ଷ୍ଟଲ
ଖୋଲାଯାଇଛି । ଏଥିସହ ପୋଖରୀପୁଟସ୍ଥିତ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ(ସିପ୍) ରେ ଏକ ସ୍ଵାସ୍ଥ୍ୟ ଶିବିର ଉଦ୍‌ଘାଟିତ ହୋଇଛି । ସାଇଭର୍ସ ତଥା ସହଯୋଗୀ ସଂଗଠନଗୁଡ଼ିକର ପରିଚାଳନାରେ ଆୟୋଜିତ ଏହି ଶିବିର ଉଦ୍‌ଘାଟନରେ ମନ୍ତ୍ରୀ ଶ୍ରୀ ପଣ୍ଡା, ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ଓ ବିଭାଗର ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.