ଭୁବନେଶ୍ୱର: ଓଡ଼ିଆରେ ଏକ ପଂକ୍ତି ରହିଛି “ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ”…।
ଏହାର ଅର୍ଥ ଯିଏ ମାତୃଭାଷାକୁ ସମ୍ମାନ ଦେଇ ଜାଣି ନାହିଁ ତାଠାରୁ ମୂର୍ଖ ସାଂସରରେ ନାହିଁ ।
ଲୋକଙ୍କ ମନରୁ ମାତୃଭାଷା ପ୍ରତି କମି ଆସୁଥିବା ସମ୍ମାନ ତଥା ବ୍ୟବହାରକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଫେବୃଆରୀ ୨୧ ତାରିଖରେ ବିଶ୍ୱବ୍ୟାପୀ ପାଳନ ହୁଏ ମାତୃଭାଷା ଦିବସ ।
ଏହା ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷା ପଣ ପ୍ରଚାର ନିମନ୍ତେ ମଧ୍ୟ ପାଳିତ ହୋଇଥାଏ । ଏହା ପ୍ରଥମେ ଇଉନେସ୍କୋଦ୍ୱାରା ୧୯୯୯ ମସିହା ନଭେମ୍ବର ୧୭ରେ ଆରମ୍ଭ ହୋଇଥିଲା । ଏହାର ପାଳନ ପ୍ରଥମେ ମିଳିତ ଜାତିସଂଘ ସାଧାରଣ ସଭାରେ ୨୦୦୮ ମସିହା ଅନ୍ତର୍ଜାତୀୟ ଭାଷା ବର୍ଷରେ ଗୃହୀତ ହୋଇଥିଲା ।
ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୦୦୦ ମସିହା ଫେବୃଆରୀ ପରଠାରୁ ପ୍ରତିବର୍ଷ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷା ପଣ ପ୍ରଚାର ନିମନ୍ତେ ପାଳିତ ହୋଇଆସୁଛି ।
ଭାଷାର ବିକାଶରେ ସାଧାରଣ ମଣିଷଟିଏର ଭୂମିକା କେତେ ଏକଥାଟି ଭାବିବା ନିହାତି ଜରୁରୀ । ମରୁ ମରୁ ବଞ୍ଚୁଥିବା ଏକ ଭାଷାର ଉଦାହରଣ ନିଆଯାଉ । ପୃଥିବୀର ଏକ ପୁରୁଣା ଭାଷା ଭିତରୁ ଗୋଟିଏ ଭାଷା ହେଲା ହିବ୍ରୁ । ହେଲେ ଏ ଭାଷାଟି ୧୫୦୦ ବର୍ଷରୁ ଅଧିକ କାଳ ଦରମଲା ରହି ଫିନିକ୍ସ ଚଢ଼େଇ ଭଳି ପାଉଁଶ ତଳୁ ଉଠିଲା । ଏବେ ଏ ଭାଷାଟି ପାଖାପାଖି ୯୦ ଲକ୍ଷ ଲୋକଙ୍କ ଦ୍ୱାରା କଥିତ କିନ୍ତୁ ଏ ଭାଷାରେ ଦେଶର ଶାସନ ଚଳେ ଆଉ କମ୍ପୁଟର ଅପରେଟିଂ ସିଷ୍ଟମ ଓ ମୋବାଇଲ ଇଣ୍ଟରଫେସରେ ଦିଶେ ।
ଏସବୁ ପଛରେ ରହିଛି ବିଜ୍ଞାନ ଓ କାରିଗରୀର କରାମତି । ଯଦି ଦେଶର ଶାସନ ନିଜ ଭାଷାରେ ହୁଏ ତେବେ ଶାସନ ପାଇଁ ଦରକାରୀ ସବୁ ଉପାଦାନ ନିଜ ଭାଷାରେ ତିଆରି ହୁଏ । ଆଉ ଏ ଉପାଦାନମାନ ତିଆରିବା ଲାଗି ଶିକ୍ଷା ବ୍ୟବସ୍ଥା ଗଢ଼ାହୁଏ । ପିଲେ ଚାକିରି କରନ୍ତି । ଆଉ ଭାଷା ଶାସନର ଭାଷା ହେଲେ ଶିକ୍ଷା ଓ ଜ୍ଞାନର ଭାଷା ହୋଇ ଭାଷା ଭାତ ଦିଏ । ନିଜ ନିଜ ସଙ୍ଗେ ଯୋଡ଼ା ଏ ରଥ ଚକର ଗୋଟେ ଅର ହୁଗୁଳା ହେଲେ ଆରଟି ଭୁଷୁଡ଼ି ପଡ଼ିବ ।
ଆମ ମାତୃଭାଷା ଓଡ଼ିଆ ପାଇଁ ଏ ଅର ଭିତରୁ କେଉଁ ଅର କେମିତି ରହିଛି ଆଉ କଣ ମରାମତି ହେବ ଆମକୁ ବେଳ ହୁଁ ଭାବିବାକୁ ପଡ଼ିବ ।
ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ବର୍ଷ ବର୍ଷ ବିତି ଚାଲିଲେ ମଧ୍ୟ ଓଡ଼ିଆ ଏବେ ଯାଏ କୋର୍ଟ କଚେରିର ଭାଷା ହୋଇପାରିଲା ନାହିଁ । ସରକାରୀ ସ୍ତରରେ ଓଡ଼ିଆର ବ୍ୟାପକ ବ୍ୟାବହାର ପାଇଁ ଯୋଜନା କେବଳ ଖାତା କଲମରେ ରହି ଯାଉଛି ।
ସିନେମାରେ ବି ସେଇଆ । ଓଡ଼ିଆ ପାଇଁ ଯେତେକ ଆନ୍ଦୋଳନ ଏବେ ଚାଲିଛି ସବୁ କେବଳ ସାହିତ୍ୟ ଓ ଶାସନକୁ ନେଇ କିନ୍ତୁ କେଉଁ କେଉଁ ଉପାଦାନକୁ ନେଇ ବାକି ଜାଗତିକ ଭାଷାଏ ଆଗକୁ ବଢ଼ିଛନ୍ତି ଆଉ ଓଡ଼ିଆରେ କି କି ଚିଜ ନିହାତି ଲୋଡ଼ା ତା’ ଲାଗି ଆକଳନ ଲୋଡ଼ା ।
ଓଡ଼ିଆ ଭାଷାକୁ ସକ୍ଷମ କରିବା ଲାଗି ଆହୁରି ଅନେକ ଉଦ୍ୟମ ଲୋଡ଼ା । ବିଶେଷ କରି ସରକାରଙ୍କ ପାଖେ ସଚେତନତା ଲୋଡ଼ା ।