Latest Odisha News

BREAKING NEWS

ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟୋତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟୋତ୍ସବ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ଗୁରୁ ନିରଞ୍ଜନ ରାଉତ, ସିମ୍ରନ ଜମାନ, ଯଜ୍ଞଦତ୍ତ ପ୍ରଧାନ, ସୋନାଲ ଆଚାର୍ଯ୍ୟ ଓ ସାଗରିକା ମହାନ୍ତି, ଅନନ୍ୟା ପରିଡା, ଶୀତଳ କର, ମାନସ ରଞ୍ଜନ ସାହୁ, ପ୍ରିୟଦର୍ଶିନୀ ପ୍ରଧାନ ଏବଂ ଛତିଶଗଡରୁ ଯୋଗଦେଇଥିବା ଇନ୍ଦିରା କଳା ସଂଗୀତ ବିଦ୍ୟାଳୟ ଗ୍ରୁପର ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶ୍ରୀନିବାସ ଘଟୁଆରୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି, ସାହିତ୍ୟ ଓ ସଂସ୍କୃତି ବିଭାଗର ନିଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ବିଶିଷ୍ଟ ନୃତ୍ୟାଙ୍ଗନା ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ଗୁରୁ ଅରୁଣା ମହାନ୍ତି, ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ତାରିଣୀ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ ।

ଉଦଯାପନୀ ଦିବସରେ ଓଡ଼ିଶୀ ନୃତ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଗାନ କରିଥିବା “ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା” ଗୀତର ତାଳେ ତାଳେ ଉତ୍କଳ ସଂଗୀତ ବିଶ୍ୱବିଦ୍ୟାଳୟର ଛାତ୍ର ବିଶ୍ୱଜିତ ମହାପାତ୍ର ଓ କଲ୍ୟାଣୀ ମହାନ୍ତିଙ୍କ ଦ୍ୱାରା ଦ୍ଵେତ ଓଡିଶୀ ନୃତ୍ୟ ପରିବେଷଣକୁ ଦର୍ଶକମାନେ ବେଶ୍ ପ୍ରଶଂସା କରିଥିଲେ । ପରେ ପରେ ଗୁରୁ ନିରଞ୍ଜନ ରାଉତ ଏବଂ ଅନ୍ୟ ସମସ୍ତ ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ପରିଶେଷରେ ଓଡ଼ିଶୀ ନୃତ୍ୟ ମହୋତ୍ସବକୁ ସଫଳ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.