Latest Odisha News

BREAKING NEWS

ଓଡ଼ିଶୀ ଓ ରାଜସ୍ଥାନୀ କଳା ସମିଶ୍ରଣରେ ନିଆରା କଳାର ଉଦଭାବକ : ଭାସ୍କର୍ଯ୍ୟ ଶିଳ୍ପୀ ଶଙ୍କର

( କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ )

ସଙ୍କଳ୍ପରୁ ସିଦ୍ଧି । ଏହାହିଁ ତାଙ୍କ ଜୀବନର ସାରମର୍ମ । ପିଲାଦିନୁ କଳା ପ୍ରତି ଅନୁରକ୍ତି ତାଙ୍କୁ କରିଛି ପଥରର ଯାଦୁଗର । ନିହାଣ ତାଙ୍କୁ ପ୍ରେରିତ କରିଛି ନୂଆ ନୂଆ ସୃଷ୍ଟିକୁ ଲୋକଲୋଚନକୁ ଆଣିବାରେ । ଓଡିଶୀ ଓ ରାଜସ୍ଥାନୀ କଳାର ସମିଶ୍ରଣରେ ନୂତନ ପିଢୀକୁ ଆକୃଷ୍ଟ କଲା ଭଳି ଏକ ନିଆରା କଳାର ଉଦଭାବକ ସେ । କେବେ ଗଡିଆ ତୁଠର ଘସା ପଥର ହେବା ପାଇଁ ଯୋଗ୍ୟ ହୋଇ ଥାଆନ୍ତେ କି ନାହିଁ ସନ୍ଦେହ ; ଏମିତି ଅନେକ କଠିନ ଶିଳାଖଣ୍ଡ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ହୋଇ କେବେ ମନ୍ଦିର କାନ୍ଥରେ କଳାନୁରାଗୀ ମଣିଷର ମନୋରଂଜନ କରୁଛିତ ଆଉ କେବେ ମନ୍ଦିର ଗର୍ଭ ଗୃହରେ ବସି ଆର୍ତ୍ତର୍ ମଣିଷର ଗୁହାରି ଶୁଣୁଛି । ଧନ୍ୟ ତୁମେ ଶିଳ୍ପୀ, ଧନ୍ୟ ତୁମ ସର୍ଜନା । ନିଜେ ବଞ୍ଚି ଅନ୍ୟକୁ ଜୀଇଁବାର ରାହା ଦେଖାଇବାରେ ବିଶ୍ୱାସ ରଖୁଥିବା ଶିଳ୍ପୀ, ଆଜି ଅନେକଙ୍କ ଆପଣାର ମଣିଷ ଶଙ୍କର୍ଷଣ ସେଠୀ ବା ଶଙ୍କର ଭାଇ ।

ବାଲେଶ୍ୱର ଜିଲ୍ଲାର ପଥର ହସ୍ତକଳା ପାଇଁ ବିଖ୍ୟାତ ଶିଳ୍ପୀଗ୍ରାମ ବଉଳଗଡିଆ । ତା ୧୦ ଅକ୍ଟୋବର ୧୯୭୦ ରିଖ, ଏହି ଗାଁର ନଗେନ୍ଦ୍ର ସେଠୀଙ୍କ କୋଳ ମଣ୍ଡନ କରି ଜନ୍ମ ନେଲା ଶିଶୁ ପୁତ୍ରଟିଏ । କୁଆଁ ରାବରେ ସାରା ଘର ଫାଟି ପଡିଲା । ସେ ଥିଲା ବାପା ମାଙ୍କର ସପ୍ତମ ସନ୍ତାନ । ୟା ପୁର୍ବରୁ ତାର ୫ଟି ଭାଇ ଓ ଗୋଟିଏ ଭଉଣୀ ଜନ୍ମ ନେଇ ସାରିଥିଲେ । ପିଲା ବେଳେ ଟିକେ ଟିକେ କଥାରେ ରୁଷି ଯାଉଥିବାରୁ ନାଁ ତାର ରଖାଗଲା ଶଙ୍କର ।

ସେତେବେଳେ ଦୁଃଖ ଓ ଦାରିଦ୍ର୍ୟ ମଧ୍ୟରେ କାଳତିପାତ କରୁଥିଲା ନଗେନ୍ଦ୍ରଙ୍କ ପରିବାର । ନାମକୁ ମାତ୍ର ଚାଷ ଜମିରେ ଘର ଚଳାଇବା କଷ୍ଟକର ଥିବାରୁ ପଥର କୁନ୍ଦା କାମ ତାଙ୍କ ପରିବାରର ଏକ ରକମ କୈାଳିକ ବୃତି ଥିଲା । ନଗେନ୍ଦ୍ର ନିଜ ବାପାଙ୍କ ଭଳି ପଥର କୁନ୍ଦି ସେଥିରୁ ବାସନ, ଢାଳ, ଗ୍ଲାସ, ଥାଳି ଓ ବାଟି ଆଦି ତିଆରି କରୁଥିଲେ । ଦିନ ତମାମ ଯାହା କାମ ବାହାରୁଥିଲା ତାକୁ ସଂଧ୍ୟାରେ ବଉଳଗଡିଆ ପଥର ସମବାୟ ସମିତିକୁ ବିକ୍ରି କରି ଦେଉଥିଲେ । କୁନ୍ଦା କାମରୁ ମିଳୁଥିବା ସାମାନ୍ୟ ଅର୍ଥରେ ପରିବାର ଚଳାଇବା ନଗେନ୍ଦ୍ରଙ୍କ ପାଇଁ ବଡ କଷ୍ଟକର ଥିଲା । ଓଳିଏ ଖାଇଲେ ଆର ଓଳିକୁ ଓପାସ ରହିବାକୁ ପଡୁଥିଲା । କେବେ କେବେ ବାପାଙ୍କ ଦେହ ଅସୁସ୍ଥ ହେଲେ ମାଙ୍କୁ ପର ଘରେ ମୂଲ ଲାଗି ଘର ଚଳାଇବାକୁ ପଡୁଥିଲା । ଅନ୍ନ ଚିନ୍ତା ଯେଉଁଠି ଚମତ୍କାର ସେଠି ପିଲାଙ୍କ ପାଠପଢା କଥା ପଚାରେ କିଏ? ପିଲାମାନେ ଟିକେ ବଡ ହେବାରୁ ନଗେନ୍ଦ୍ର ବାଧ୍ୟ ହୋଇ ସେମାନଙ୍କୁ ମଧ୍ୟ ଏହି ପଥର କୁନ୍ଦା କାମରେ ଲଗାଇଦେଲେ ।

ବାପା ଅଧିକ ପଢାଇବାରେ ସକ୍ଷମ ନଥିବାରୁ ଶଙ୍କରଙ୍କର ସପ୍ତମ ଶ୍ରେଣୀରେ ହିଁ ପାଠ ପଢାରେ ଡୋରୀ ବନ୍ଧାଗଲା । ମାତ୍ର ତେର ବର୍ଷ ବୟସରେ ଅନ୍ୟ ଭାଇମାନଙ୍କ ଭଳି ସେ ମଧ୍ୟ ପଥର କୁନ୍ଦା କାମରେ ମନୋନିବେଶ କଲେ । କଅଁଳ ବୟସରୁ ନିହାଣ ମୁଗୁର ସହ ଟାଣ ମୁଗୁନି ପଥର ବନିଗଲା ଶଙ୍କରଙ୍କର ଚିର ସହଚର । ନିହାଣ ମୁଗୁର ନେଇ ପଥରର ସହ ଖେଳୁ ଖେଳୁ ପଡିଗଲେ ସେମାନଙ୍କ ମୋହରେ । ପିଲାଦିନୁ ଚିତ୍ରକଳା ପ୍ରତି ଆକର୍ଷଣ ଆଜିବି ତାଙ୍କୁ ପ୍ରେରଣା ଯୋଗାଉଛି ଭାସ୍କର୍ଯ୍ୟ କଳାର ଭିନ୍ନ ଭିନ୍ନ ଦିଗକୁ ଜାଣିବାରେ । ଏକ ଅନିସନ୍ଧିତ୍ସୁ ମନ ନେଇ ଆଜିବି ସେ ଲାଗିଛନ୍ତି କଳା ସାଧନାରେ ।

ବାପାଙ୍କ ପରାମର୍ଶ କ୍ରମେ ୧୯୮୪ ମସିହାରେ ବଉଳଗଡିଆରେ ଖୋଲିଥିବା ସରକାରୀ ପଥର ଖୋେଦେଇ ତାଲିମ କେନ୍ଦ୍ରରେ ଦୁଇ ବର୍ଷିଆ ପାରମ୍ପରିକ ହସ୍ତକଳା ସମ୍ପର୍କରେ ତାଲିମ ଗ୍ରହଣ କଲେ । ତାଲିମ ସରିବା ପରେ ମୂର୍ତ୍ତିକଳା ସଂପର୍କରେ ଅଧିକ ଜ୍ଞାନ ଆହାରଣ ପାଇଁ ଗୁରୁଙ୍କ ସନ୍ଧାନରେ ଥାଆନ୍ତି ଶଙ୍କର । ଏହି ସମୟରେ ତାଙ୍କ ବାପାଙ୍କ ନିକଟରୁ ପଥରର ବାସନ କିଣୁଥିବା ପୁରୀର ଜଣେ ଲୋକ ଶଙ୍କରଙ୍କ ସହ ପଥର ଶିଳ୍ପୀ ବାମଦେବ ମହାରଣାଙ୍କ ଚିହ୍ନା ପରିଚିତ କରାଇଦେଲେ । ମାସିକ ମାତ୍ର ୧୩୬ ଟଙ୍କା ଦରମାରେ ରେ ପୁରୀରେ ଗୁରୁଙ୍କ ନିକଟରେ ରହି ଅଢେଇ ବର୍ଷ କାମ ଶିଖିଲେ । ନିଜ ସ୍ୱାଧୀନରେ କାମ କରିବେ ବୋଲି ଇଚ୍ଛା କରି ନିଜ ବାଲ୍ୟବନ୍ଧୁ ଶିଳ୍ପୀ ଆନନ୍ଦ ରାଉଳଙ୍କ ସହ ମିଶି ଗାଁରେ ମୂର୍ତ୍ତୀକଳାର ଏକ ୟୁନିଟ ଖୋଲିଲେ । ତାଙ୍କ ବଡଭାଇ ଶଙ୍କରଙ୍କ ହାତ ତିଆରି ମୂର୍ତ୍ତି ବିକିବାକୁ ଭୁବନେଶ୍ୱର ଆସିଥିବାବେଳେ ତାଙ୍କ କାମକୁ ଏଠାକାର ବିଶିଷ୍ଟ ଶିଳ୍ପୀ ଦୁର୍ଯ୍ୟୋଧନ ମହାପାତ୍ର କିଣିଥିଲେ । ମୂର୍ତ୍ତିକଳା ସମ୍ପର୍କରେ ଅଧିକ ଜାଣିବାକୁ ସେ ଶିକ୍ଷକ ଥିବା ଭୁବନେଶ୍ୱର ସ୍ଥିତ ଗଣ୍ଡମୁଣ୍ଡା ହସ୍ତକଳା ତାଲିମ କେନ୍ଦ୍ରରେ ତାଲିମ ନେବାକୁ ଶଙ୍କରଙ୍କ ବଡ ଭାଇଙ୍କୁ ପରାମର୍ଶ ଦେଲେ । ବଡ ଭାଇଙ୍କ ନିର୍ଦ୍ଦେର୍ଶ କ୍ରମେ ୧୯୮୮ ମସିହାରେ ଗଣ୍ଡମୁଣ୍ଡା ସ୍ଥିତ ତାଲିମ କେନ୍ଦ୍ରର ପଥର ଖୋଦେଇ ବିଭାଗରେ ଶଙ୍କର ପ୍ରଶିକ୍ଷଣ ପାଇଁ ଭର୍ତି ହେଲେ । ମାତ୍ର ମାସିକ ୨୫୦ ଟଙ୍କାର ବୃତ୍ତିରେ ଚଳିବା ଅସୁବିଧା ହେବାରୁ ଦୁର୍ଯ୍ୟୋଧନ ସାରଙ୍କ ଘରେ ରହି ତାଙ୍କ କାମରେ ସହଯୋଗ କରିବା ସହ ଦିନ ବେଳା ତାଲିମ କେନ୍ଦ୍ରକୁ କାମ ଶିଖିବାକୁ ଆସୁଥିଲେ । ଦୁଇ ବର୍ଷର ଶିକ୍ଷା ଶେଷ ପରେ କିଛି ଦିନ ମାସିକ ମାତ୍ର ୧୯୦୦ ଟଙ୍କା ଦରମାରେ ଦୁର୍ଯ୍ୟୋଧନ ସାରଙ୍କ ଘରେ କାମ ଚାଲୁ ରଖିଲେ ଶଙ୍କର । ସେତେବେଳକୁ ମୂର୍ତ୍ତିକଳା ସଂପର୍କିତ କିଛି ଜ୍ଞାନ ତାଙ୍କର ହୃଦଗସ୍ଥ ହୋଇ ସାରିଥାଏ ।

୧୯୯୦ ମସିହାରେ ଦିନେ ଗାଁକୁ ଆସିଥିବାବେଳେ ଦିଲ୍ଲୀରେ ମନ୍ଦିର କାମ ଠିକା ନେଇ ନିର୍ମାଣ କରୁଥିବା ବାଲେଶ୍ୱରର ଠିକାଦାର ଗଦାଧର ନାୟକଙ୍କ ସହ ଭେଟ ହେଲା । ସେ ଶଙ୍କରଙ୍କୁ ମାସିକ ୨୭୦୦ ଟଙ୍କା ଦରମାରେ ଦିଲ୍ଲୀ ଆସି କାମ କରିବାକୁ ଆମନ୍ତ୍ରଣ ଜଣାଇଲେ । ସେହିବର୍ଷ ବାପାଙ୍କର ଦେହାନ୍ତ ହୋଇ ସାରିଥାଏ । ଘରର ଅଧିକ ଅର୍ଥ ଆବଶ୍ୟକତା ଥିବାରୁ ସେ ଭୁବନେଶ୍ୱର ଛାଡି କାମ କରିବାକୁ ଦିଲ୍ଲୀ ଚାଲି ଆସିଲେ । ଦୁଇ ବର୍ଷରେ ମନ୍ଦିର କାମ ସରିଯିବାରୁ ପୁଣି ଥରେ ଗାଁକୁ ଫେରିବାକୁ ପଡିଲା । କାମ ଖୋଜୁଖୋଜୁ କଟକ ଜିଲ୍ଲା ଲଳିତଗିରିର ଶିଳ୍ପୀ କ୍ଷୀରୋଦ ମହାରଣାଙ୍କ ନିକଟରେ ମାସିକ ୩୬୦୦ ଟଙ୍କାରେ କାମ କଲେ ଶଙ୍କର । ୧୯୯୫ ମସିହାରେ ଗୁଜୁରାଟରେ ରହି କାମ କରୁଥିବା ଗାଁର ସାଙ୍ଗ ସହଦେବ ନାୟକ ଶଙ୍କରଙ୍କୁ ଗୁଜୁରାଟ ଆସି ତାଙ୍କ ନିକଟରେ କାମ କରିବାକୁ ପ୍ରବର୍ତ୍ତାଇଲେ । ଗୁଜରାଟର ପାଲିତନାରେ ରହି କାମ କରୁଥିବାବେଳେ ଭେଟ ହେଲା ବିଶିଷ୍ଟ ସ୍ଥପତି ହର୍ଷତ ଚାଓଡାଙ୍କ ସହ । ଠିକ କୃଷ୍ଣ ସୁଦାମଙ୍କ ଭେଟ ଭଳି । ଆଉ ତା ସହ ବଦଳିଗଲା ଶଙ୍କରଙ୍କ ଜୀବନର ଗତିପଥ ।

ମନ୍ଦିରର ଗଠନ ଶୈଳୀ ସମ୍ପର୍କରେ କଳାନୁରାଗୀ ହର୍ଷତ ଚାଓଡାଙ୍କର ଥାଏ ଅନେକ ଅଭିଜ୍ଞତା । ହର୍ଷତଙ୍କୁ ଗୁଜୁରାଟର ଶଂଖେଶ୍ୱରରେ ମିଳିଥିବା ଜୈନ ମନ୍ଦିର ନିର୍ମାଣ କାମରେ ଶଙ୍କର ସହଯୋଗ କଲେ । ଜୈନ ମନ୍ଦିର କାମ ସରିବାପରେ ହର୍ଷତଙ୍କୁ ଗୁଜୁରାଟର ସ୍ୱାମୀ ନାରାୟଣ ସଂସ୍ଥା ପକ୍ଷରୁ ଦିଲ୍ଲୀ ଅକ୍ଷରଧାମ ମନ୍ଦିର ନିର୍ମାଣ ପାଇଁ ଡାକରା ଆସିଲା । ଯମୁନା ନଦୀ କୂଳରେ ଥିବା ୧୦୦ ଏକର ଜମି ଉପରେ ପ୍ରତିଷ୍ଠିତ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ୨୦୦୧ ମସିହାରେ । ଏହି ବିଶାଳ ଓ କମନୀୟ ମନ୍ଦିରର ନିର୍ମାଣ କାର୍ଯ୍ୟ ମାତ୍ର ୫ ବର୍ଷରେ ସାରିବାକୁ ପଡିଲା । ଏଥିପାଇଁ ସତର ହଜାରରୁ ଉର୍ଦ୍ଧ ଲୋକ ନିଜ ଶ୍ରମ ଦାନ କରିଥିଲେ । ଶଙ୍କର ୩୦୦ରୁ ଉର୍ଦ୍ଧ ଓଡିଆ କାରିଗରଙ୍କ ଏକ ବିଶାଳ ଟିମ ଗଢି ନିର୍ମାଣ କାର୍ଯ୍ୟରେ ସହଯୋଗ କରିଥିଲେ । ଦିନରାତି ଏକ କରି ନିଜ ସାଥୀ ଶିଳ୍ପୀ ଭାଇମାନଙ୍କ ସହ ମିଶି ଗଢିଥିଲେ ୧୪୮ଟି ସୁଦୃଶ୍ୟ ହାତୀ ଓ ୨୨ ହଜାର କମନୀୟ ମୂର୍ତ୍ତି । ଅକ୍ଷରଧାମ ମନ୍ଦିରର ତଳ ପ୍ୟାନେଲରେ ଲାଗିଛି ଏହି ବିଶାଳ ହାତୀ ମୂର୍ତ୍ତି ସବୁ ଯାହାକି ଗଜେନ୍ଦ୍ର ପୀଠ ନାମରେ ଖ୍ୟାତ । କାହାଣୀ, ପୁରାଣ ଓ ଇତିହାସରେ ହାତୀ ସଂପର୍କିତ ରହିଥିବା ବର୍ଣ୍ଣନା ସହ ହାତୀ ମଣିଷର କେଉଁ କାର୍ଯ୍ୟରେ ଲାଗୁଛି ତାହର ସୁନ୍ଦର ଉପସ୍ଥାପନା କରାଯାଇଛି ଏହି ମୂର୍ତ୍ତି ଗୁଡିକ ମାଧ୍ୟମରେ । ଗଜେନ୍ଦ୍ର ପୀଠ ବୁଲି ଦେଖିବାବେଳେ ୨ଟି ସ୍ଥାନରେ ପଥର ମୂର୍ତି ଦେହରେ ଓଡିଆରେ ଯଥାକ୍ରମେ ଓଡିଶା ଓ ଓଡିଶା କାରିଗର ଲେଖା ମନରେ ସ୍ୱତଃ ଓଡିଆ ବୋଲି ଗର୍ବ ଆଣିଦିଏ । ହାତୀ ବ୍ୟତୀତ ମନ୍ଦିରର ଗର୍ଭ ଗୃହରେ ପୂଜା ପାଉଥିବା ଅନେକ ମୂର୍ତ୍ତି ସହ କାନ୍ଥ ଓ ଖିଲାଣରେ ଲାଗିଥିବା ଅନେକ କମନୀୟ ମୂର୍ତ୍ତି ସବୁ ଆଜିବି ଶ୍ରଦ୍ଧାଳୁଙ୍କୁ ସ୍ତମ୍ବିଭୂତ କରେ । ଅକ୍ଷରଧାମ ମନ୍ଦିର ବୁଲି ଦେଖିବାପରେ ହିଁ ସ୍ୱତଃ ଶଙ୍କର ଓ ତାଙ୍କ ଶିଳ୍ପୀ ଦଳ ନିକଟରେ ମଥା ନଇଁଯାଏ । ଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରେ ଏବେ ଶଙ୍କର ଓ ତାଙ୍କ ଦଳ ସ୍ୱାମୀ ନାରାୟଣ ସଂସ୍ଥା ପକ୍ଷରୁ ଆମେରିକାରେ ଚାଲିଥିବା ଅନ୍ୟ ଏକ ହିନ୍ଦୁ ମନ୍ଦିର ନିର୍ମାଣ କାମରେ ଲାଗିପଡିଛନ୍ତି । ରାଜସ୍ଥାନର ସ୍ୱରୁପଗଂଜରେ ରହି ଆର୍କିଟେକ୍ଟଙ୍କ ବରାଦ ମୁତାବକ କାମ ଜାରି ରଖିଛନ୍ତି । ଏବେ ତାଙ୍କ ନିକଟରେ ବାଲେଶ୍ୱର, ଳଳିତଗିରି,ଶୁଖୁଆପଡା, ପୁରୀ, କୋଣାର୍କ, କେଶନା ଆଦି ସ୍ଥାନରୁ ୨ଶହରୁ ଊର୍ଦ୍ଧ ଶିଳ୍ପୀ ରହି ଶଙ୍କରଙ୍କ ମାର୍ଗଦର୍ଶନରେ କାମ କରୁଛନ୍ତି । ନିକଟରେ ଶଙ୍କର ନିଜ ଗ୍ରାମ ବଉଳଗଡିଆରେ କିଛି କାରିଗରଙ୍କୁ ନେଇ ନିଜର ଏକ ମୂର୍ତି ଗଢିବା ନିମନ୍ତେ ଷ୍ଟୁଡିଓର ସ୍ଥାପନା କରିଛନ୍ତି । ଇଚ୍ଛା ନିଜ ଗାଁରେ ରହି ତାଙ୍କ ଭଳି କିଛି ନୂତନ ପ୍ରତିଭାବାନ ଶିଳ୍ପୀ ଗଢିବା ।

୧୩ ବର୍ଷ ବୟସରୁ ଆସି ଶଙ୍କରଙ୍କୁ ୫୦ ଛୁଇଁଲା । ସକାଳରୁ ସଞ୍ଜ ଯାଏଁ ସେହି ପଥର ସହ କସରତ କରୁ କରୁ ବନିଯାଇଛନ୍ତି ଜଣେ ନାଁକରା ଭାସ୍କର୍ଯ୍ୟ ଶିଳ୍ପୀ । ନିକର୍ମା ଶିଳା ଖଣ୍ଡରୁ ଅନାବଶ୍ୟକ ଅଂଶ ସବୁ ହଟାଇ ତା ମଧ୍ୟରୁ ହଜାର ହଜାର ଦେବୀ ଦେବତାଙ୍କ ମୂର୍ତ୍ତିକୁ ଦେଖାଇଛନ୍ତି ସେ ଦୁନିଆର ଆଲୋକ । ଇତି ମଧ୍ୟରେ ମୂର୍ତ୍ତି ନିର୍ମାଣ କାମରେ ବେଶ ଦକ୍ଷ ହୋଇପାରିଛନ୍ତି ଶଙ୍କର । ଓଡିଶୀ ଓ ରାଜସ୍ଥାନୀ କଳାର ସମିଶ୍ରଣରେ ନୂତନ ପିଢୀକୁ ଆକୃଷ୍ଟ କଲା ଭଳି ଏକ ନିଆରା କଳାର ଉଦଭାବକ ସେ । ତାଙ୍କ କାମକୁ ଦେଖିବା ମାତ୍ରେ ସ୍ୱତଃ ଭିନ୍ନତା ବାରି ହୋଇ ପଡିଥାଏ । ଶଙ୍କରଙ୍କ କାମ ସଂପର୍କରେ ଓଡିଶାରେ ସେତେଟା ଚର୍ଚ୍ଚା ଆଲେଚନା ହୋଇ ନାହିଁ ସତ , ହେଲେ କୋଣାର୍କ ମନ୍ଦିରର ବିଶୁ ମହାରଣା ଭଳି ସେ ଯାହା କରିଯାଇଛନ୍ତି, ତାହା ଯୁଗ ଯୁଗ ଧରି ଚର୍ଚ୍ଚାର ବିଷୟବସ୍ତୁ ହୋଇ ରହିବ ।

ପ୍ରିୟରଂଜନ କର
ସଂପାଦକ, ଓଡିଶା ଶିଳ୍ପୀ ମହାସଂଘ
ମୋ- ୯୩୩୮୪୬୩୭୧୯

Leave A Reply

Your email address will not be published.