Latest Odisha News

BREAKING NEWS

IPL ଲଢ଼େଇ: ପଦାର୍ପଣ ସିଜିନ୍ ଫାଇନାଲରେ ଗୁଜରାଟ ଟାଇଟନ୍ସ

ଡେଭିଡ୍ ମିଲର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟକୁ ଦେଲେ ଫାଇନାଲ୍ ଟିକେଟ

ସ୍ପୋର୍ଟସ ବ୍ୟୁୋ(ଓଡ଼ିଶା ସମ୍ବାଦ): ଆଇପିଏଲରେ ପଦାର୍ପଣ ସିଜିନରେ କମାଲ କରିଛି ଗୁଜରାଟ ଟାଇଟନ୍ସ । ଫାଇନାଲରେ ପ୍ରବେଶ କରିଛି ଏହି ନୂଆ ଫ୍ରାଞ୍ଚାଇଜି ଟିମ୍ । ଗତକାଲି ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟାର ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇ ଫାଇନାଲ୍ ଟିକେଟ ହାତେଇଛି ଗୁଜରାଟ ଟାଇଟନ୍ସ । ୧୮୯ ରନ୍ ବିଜୟ ଲକ୍ଷ୍ୟକୁ ୩ଟି ବଲ୍ ବାକି ଥାଇ ହାସଲ କରି ନେଇଥିଲା ଟିମ୍ ପାଣ୍ଡ୍ୟା ।

ଗୁଜରାଟ ପକ୍ଷରୁ ବିସ୍ଫୋରକ ଇନିଂସ ଖେଳିଥିଲେ ଡେଭିଡ୍ ମିଲର । ତାଙ୍କୁ ସାଥ ଦେଇଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଦୁହେଁ ୧୦ ଓଭରରେ ୧୦୬ ରନ୍ ଯୋଡ଼ି ରାଜସ୍ଥାନ ହାତରୁ ମ୍ୟାଚ ଛଡ଼ାଇ ଆଣିଥିଲେ ।

ଶେଷ ଓଭରରେ ଗୁଜରାଟକୁ ଜିତିବା ପାଇଁ ଦରକାର ଥିଲା ୧୬ ରନ୍ । ପ୍ରସିଦ୍ଧି କ୍ରିଷ୍ଣାଙ୍କ ପ୍ରଥମ ତିନିଟି ବଲରେ ହାଟ୍ରିକ ଛକା ମାରି ବିଜୟ ମୁଣ୍ଡି ମାରିଥିଲେ ଡେଭିଡ୍ ମିଲର । ସେ ୩୮ ବଲରୁ ଅପରାଜିତ ୬୮ ରନ୍ କରିଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା ୨୭ ବଲରୁ ୪୦ ରନରେ ଅପରାଜିତ ରହିଥିଲେ । ଡେଭିଡ୍ ମିଲର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ମିଲର ପ୍ରଥମ ୧୪ ବଲରୁ ୧୦ ରନ୍ କରିଥିଲେ । ପରେ ଧୂଆଁଧାର ଖେଳିଥିଲେ । ୨୪ ବଲରେ ପିଟିଥିଲେ ଧୂଆଁଧାର ୫୮ ରନ୍ ।

ପ୍ରଥମେ ବ୍ୟାଟଂ କରି ୧୮୮ ରନ୍ କରିଥିଲା ରାଜସ୍ଥାନ ରୟାଲ୍ସ । ଜୋସ୍ ବଟଲରଙ୍କ ୮୮ ରନ୍ ବଳରେ ବଡ଼ ସ୍କୋର ଠିଆ କରିଥିଲା । ଅଧିନାୟକ ସଞ୍ଜୁ ସାମସନ୍ କରିଥିଲେ ୨୬ ବଲରୁ ୪୭ ରନ୍ । ଶେଷ ୪ ଓଭରରେ ରାଜସ୍ଥାନ ରୟାଲ୍ସ ୬୦ ରନ୍ ଯୋଡ଼ି ଗୁଜରାଟ ଆଗରେ ୧୮୯ ରନ୍ ଟାର୍ଗେଟ ଦେଇଥିଲା ।

ପରାଜୟ ସତ୍ତ୍ୱେ ରାଜସ୍ଥାନ ପାଖରେ ଫାଇନାଲ୍ ଯିବା ସୁଯୋଗ ରହିଛି । ଆଜି ଲକ୍ଷ୍ନୌ ସୁପରଜିଆଣ୍ଟ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାତର ବିଜେତା ସହ ରାଜସ୍ଥାନ ରୟାଲ୍ସ ୨୭ ତାରିଖରେ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ । ଏହି ମ୍ୟାଚ୍ ଜିତିଲେ ୨୯ ତାରିଖରେ ପୁଣି ଥରେ ଗୁଜରାଟ ସହ ଆଇପିଏଲ୍ ଟାଇଟଲ୍ ପାଇଁ ଲଢ଼ିବ ରାଜସ୍ଥାନ ରୟାଲ୍ସ ।

Leave A Reply

Your email address will not be published.