Latest Odisha News

BREAKING NEWS

ହମାସର ବର୍ବରତା: ଇସ୍ରାଏଲ ଯୁବତୀଙ୍କୁ ଅପହରଣ କରି ଦେଉଛି ନିର୍ଯାତନା, ବଳାତ୍କାରକୁ କରିଛି ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ: ଇସ୍ରାଏଲ-ଗାଜା ଯୁଦ୍ଧ ଆଜିକୁ ୩ ଦିନ ବିତିଗଲାଣି । ହେଲେ ଯୁଦ୍ଧ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି । ରକେଟ ଆକ୍ରମଣ ପୂର୍ବ ପରି ଜାରି ରହିଛି । ସେପଟେ ଇସ୍ରାଏଲ ବି ଜବାବି ଆକ୍ରମଣ ଜାରି ରଖିଛି । କୁହାଯାଉଛି ଇସ୍ରାଏଲରେ ବର୍ତ୍ତମାନ ସୁଦ୍ଧ ୬୦୦ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି । ଆଜି ଇସ୍ରାଏଲର ଏକ ହୋଟେଲ ଉପରେ ରକେଟ ମାଡ ହୋଇଛି । ଫଳରେ ସେଠାରେ ରହୁଥିବା ଲୋକମାନେ ଜୀବନ ବିକଳରେ ବାହାରକୁ ପଳାଇ ଆସିଲେ ।

ଗୋଟିଏ ପଟେ ଇସ୍ରାଏଲ ସେନା ଆକାଶ ମାର୍ଗରୁ ହମାସର ସେନା ଆଡ୍ଡା ଉପରେ ବୋମାବର୍ଷା କରୁଛି । ସେହିପରି ହମାସ ପକ୍ଷରୁ ରକେଟ ବର୍ଷା ମଧ୍ୟ ହେଉଛି । ଇସ୍ରାଏଲର ଆଇରନ ଡୋମ ଅନେକ ରକେଟକୁ ଆକାଶ ମାର୍ଗରେ ନଷ୍ଟ କରି ଦେଇଛି । ତଥାପି ଇସ୍ରାଏଲ-ପାଲେଷ୍ଟାଇନ ଯୁ୍ଦ୍ଧରେ ଶହଶହ ଘର ଧୂଳସାତ ହୋଇଗଲାଣି । ଉଭୟ ଦେଶରୁ ପ୍ରାୟ ୧୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । ଇସ୍ରାଏଲର ଏକା ୭୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । ଏମାନଙ୍କ ମଧ୍ୟରୁ ୫୭ ଜଣ ସେନା ଥିବା ଜଣାଯାଇଛି । ପାଲେଷ୍ଟାଇନର ୪୦୦ରୁ ଅଧିକ ଆତଙ୍କୀଙ୍କୁ ମାରି ନିପାତ କରିଥିବା ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି ।

ଜାତିସଂଘରେ ଇସ୍ରାଏଲର ପ୍ରତିନିଧି କହିଛନ୍ତି, ହମାସର ଆତଙ୍କୀମାନେ ଘରେ ଜବରଦସ୍ତ ପଶି ଲୋକଙ୍କୁ ଗୁଳି କରି ଦେଉଛନ୍ତି । ସେତିକି ନୁହେଁ, ହମାସ ଆତଙ୍କୀମାନେ ଇସ୍ରାଏଲର ଅନେକ ମହିଳାଙ୍କୁ ଘରୁ ଉଠାଇ ନେଇଛନ୍ତି । ଏହି ମହିଳାଙ୍କ ଫଟୋ ଜାରି କରିଛି ଇସ୍ରାଏଲ । ହମାସର ସେନା ଯୁବତୀଙ୍କୁ ଅପହରଣ କରି ନେଇ ବଳାତ୍କାର କରୁଥିବା ଅଭିଯୋଗ ହୋଇଛି । ହମାସ ସେନା ବଳାତ୍କାରକୁ ଯୁଦ୍ଧାସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ।

ଅନ୍ୟପକ୍ଷେ ଏକଥା ମଧ୍ୟ କୁହାଯାଉଛି, ହମାସ ଏକାଧିକ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ ରଖୁଛି, କାରଣ ଏହାଦ୍ୱାରା ସେ ଇସ୍ରାଏଲରେ ବନ୍ଦୀ ଥିବା ନିଜ ସାଥୀମାନଙ୍କୁ ମୁକୁଳାଇବାକୁ ଚାହୁଁଛି । ସବୁଠାରୁ ଦୁଃଖଦ ତଥା ଅମାନବୀୟ ଦୃ୍ଶ୍ୟ ସାମ୍ନାକୁ ଆସିଛି । ଅପହୃତ ଜଣେ ଇସ୍ରାଏଲି ମହିଳାଙ୍କୁ ହମାସ ସେନାମାନେ ଉଲଗ୍ନ କରି ରାସ୍ତାରେ ବୁଲାଉଛନ୍ତି ।

ଏମିତି ଯୁ୍ଦ୍ଧ ମଧ୍ୟରେ ଆମେରିକା ଇସ୍ରାଏଲକୁ ସମର୍ଥନ ଦେବାକୁ ଘୋଷଣା କରିଛି । ଏପରିକି ଇସ୍ରାଏଲକୁ ସୈନ୍ୟ ସାହାଯ୍ୟ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆମେରିକା ଜାହାଜ ଏବଂ ଯୁଦ୍ଧ ବିମାନ ଇସ୍ରାଏଲ ନିକଟରେ ମୁତୟନ କରିବାକୁ ଆଦେଶ ଦେଇଛନ୍ତି ।

Leave A Reply

Your email address will not be published.