ପୁରୀ: କୁମ୍ଭାରପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ । ମାଆଙ୍କୁ ହତ୍ୟା କରି ଘର ଭିତରେ ପୁଅ ପ୍ଲାଷ୍ଟର କରି ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ପୁରୀ ଜିଲ୍ଲା କୁମ୍ଭାରପଡ଼ା ଭଡ଼ାଘରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରବଳ ଦୁର୍ଗନ୍ଧ ହେବାରୁ ଘର ମାଲିକଙ୍କ ସନ୍ଦେହ ହେବାରୁ ଘଟଣାଟି ସାମ୍ନାକୁ ଆସିଛି। ପୁଅ ଫେରାର ଥିବାବେଳେ ମାଆଙ୍କ ପତ୍ତା ମିଳୁନି। ରୋଷେଇ ଘର ସ୍ଲାବ ତଳେ ପ୍ଲାଷ୍ଟର କରି ଦେଇଥିବା ସନ୍ଦେହ କରାଯାଉଛି। ଶରୀରଟି ପଚି ଯାଇଥିବାରୁ ଏପରି ଦୁର୍ଗନ୍ଧ ହେଉଥିବା ସ୍ଥାନୀୟ ଲୋକେ କହୁଛନ୍ତି।
ଘର ମାଲିକ ମନୋରମା ସାହୁଙ୍କ ସୂଚନା ଅନୁସାରେ, ପ୍ରାୟ ଦୁଇ ମାସ ତଳେ ଜଣେ ମାଆ ଓ ତାଙ୍କ ପୁଅ ଘର ଭଡ଼ା ନେଇ ରହୁଥିଲେ । ତେବେ ଗତକାଲିଠାରୁ ପୁଅ ଫେରାର ଥିବାବେଳେ ମାଆଙ୍କର କୌଣସି ପତ୍ତା ମିଳିନଥିଲା । ଏହାରି ଭିତରେ ରୋଷେଇ ଘରୁ ପ୍ରବଳ ଦୁର୍ଗନ୍ଧ ଆସିବାରୁ ଘର ମାଲିକଙ୍କ ସନ୍ଦେହ ହୋଇଥିଲା ।
ରୋଷେଇ ଘରର ସ୍ଲାବ ତଳେ କିଛି ଲୁଚାଇ ତା’ ଉପରେ ପ୍ଲାଷ୍ଟର କରାଯାଇଥିବା ନେଇ ସନ୍ଦେହ କରି ଘର ମାଲିକ ପୋଲିସକୁ ଖବର ଦେଇଥିଲେ ଘଟଣାସ୍ଥଳରେ ପାଣି ଓ ବର୍ଜ୍ୟ ପଦାର୍ଥ ବାହାରୁଥିବା ସହ ଦୁର୍ଗନ୍ଧ ଆସୁଥିବା ଜଣାପଡ଼ିଛି। ତେବେ ସେଠାରେ ମୃତଦେହ ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ କୁମ୍ଭାରପଡ଼ା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ମାଆଙ୍କୁ ହତ୍ୟା କରାଯାଇଛି କି ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଆସି ନାହିଁ। ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ରୋଷେଇ ଘରର ସ୍ଲାବ ତଳେ ପ୍ରକୃତରେ କ’ଣ ରହିଛି? ମାଆ କେଉଁଠି ଗଲେ ଏବଂ ପୁଅ କାହିଁକି ଫେରାର ଅଛି ସେନେଇ ତଦନ୍ତ କରୁଛି ପୋଲିସ ।


Comments are closed.