Latest Odisha News

BREAKING NEWS

Bank unions call nationwide strike:ସେପ୍ଟେମ୍ବର ୧୧ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା; ଦ୍ୱିତୀୟ ପର୍ଯ୍ୟାୟରେ ତିନିଦିନିଆ ଧର୍ମଘଟ କରାଯିବ

ନୂଆଦିଲ୍ଲୀ: କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନାରେ ମତଭେଦ, ୫ ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗ ଏବଂ ପେନସନ ସମ୍ବନ୍ଧୀୟ ସମସ୍ୟା ସହିତ ଅନେକ ଦାବି ନେଇ ସେପ୍ଟେମ୍ବର ୧୧ ରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ବ୍ୟାଙ୍କ ୟୁନିଅନ । ୟୁନିୟନ ତରଫରୁ ଆସନ୍ତା ସେପ୍ଟେମ୍ବର ୧୧ରେ ଦିନିକିଆ ଧର୍ମଘଟ ଓ ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ତିନିଦିନିଆ ଧର୍ମଘଟ କରାଯିବ।

ସରକାର ଏବଂ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଯଦି ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନକରନ୍ତି ତେବେ ଅକ୍ଟୋବର ୨୬ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ବ୍ୟାଙ୍କ ସଂଘ ନିଷ୍ପତ୍ତି ନେଇଛନ୍ତି।

ୟୁନିୟନ କହିଛି ଯେ ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ନେଇ ୨୦୨୪ ମାର୍ଚ୍ଚରେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହମତ ହୋଇଥିଲା। ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସରକାର ସେହି ପ୍ରସ୍ତାବକୁ ଅନୁମୋଦନ କରୁନାହାନ୍ତି।

ସୂଚନାଥାଉକି, ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୧ ତାରିଖରେ ଦିନିକିଆ ଧର୍ମଘଟ ହେବ। ଏହା ପରେ ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖ (ଶନିବାର ଓ ରବିବାର) ସାପ୍ତାହିକ ଛୁଟି ଥିବାରୁ କ୍ରମାଗତ ୩ ଦିନ ସେବା ବାଧାପ୍ରାପ୍ତ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୨୬ ଏବଂ ୨୭ ତାରିଖ ଚତୁର୍ଥ ଶନିବାର ଏବଂ ରବିବାର ପଡ଼ୁଥିବାରୁ ସ୍ୱାଭାବିକ ଭାବେ ବ୍ୟାଙ୍କ ଛୁଟି ରହିବ। ତେଣୁ ସେପ୍ଟେମ୍ବର ଶେଷ ସପ୍ତାହରେ କ୍ରମାଗତ ୫ ଦିନ ଧରି ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ, ଯାହା ଗ୍ରାହକଙ୍କୁ ଅସୁବିଧାରେ ପକାଇପାରେ।

ଏହି ଧର୍ମଘଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କ କ୍ଷେତ୍ରରେ ୫ ଦିନିଆ କାର୍ଯ୍ୟ ଦିବସ ଲାଗୁ କରିବା ଏବଂ ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (PLI) ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା। ୫ ଦିନିଆ କାର୍ଯ୍ୟ ଦିବସ ଦାବି ଅଧୀନରେ ସମସ୍ତ ଶନିବାର ଓ ରବିବାରକୁ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିବାକୁ ଦାବି କରାଯାଇଛି। ବର୍ତ୍ତମାନ ବ୍ୟାଙ୍କଗୁଡ଼ିକ କେବଳ ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହୁଛି।

ରବିବାର ଦିନ ଅନୁଷ୍ଠିତ ହୋଇଥିବା ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବାକୁ ଥିବାବେଳେ ନଗଦ ଅର୍ଥର ଉପଲବ୍ଧତାକୁ ଭିତ୍ତି କରି ଏଟିଏମ୍ (ATM) ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ସ୍ୱାଭାବିକ ରହିପାରେ ବୋଲି ଆଶା କରାଯାଉଛି।

 

Leave A Reply

Your email address will not be published.