Latest Odisha News

BREAKING NEWS

ପଞ୍ଚଦଶ ବିଧାନସଭା ଭଙ୍ଗ ଲାଗି ରାଜ୍ୟ କ୍ୟାବିନେଟଙ୍କ ସୁପାରିଶ

ଭୁବନେଶ୍ୱର: ପଞ୍ଚଦଶ ବିଧାନସଭା ଭଙ୍ଗ ଲାଗି ଶନିବାର ଦିନ ଏକ ବୈଠକରେ ରାଜ୍ୟ କ୍ୟାବିନେଟ ସୁପାରିଶ କରିଛନ୍ତି ।

“ ସାମ୍ବିଧାନିକ ନିୟମ ଅନୁଯାୟୀ, ରାଜ୍ୟ କ୍ୟାବିନେଟ ଚଳିତ ବିଧାନସଭା ଭଙ୍ଗ କରିବାକୁ ଏକ ପ୍ରସ୍ତାବ ଗୃହିତ କରିବେ । ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପରେ ରାଜ୍ୟପାଳଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳ ନିଜର ଇସ୍ତଫା ପ୍ରଦାନ କରିବା ସହିତ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିବେ । ତତପରେ ରାଜ୍ୟପାଳ ନୂଆ ବିଧାନସଭା ଲାଗି ନିୟମାନୁଯାୟୀ କାର୍ଯ୍ୟ ପ୍ରସ୍ତୁତି ଆରମ୍ଭ କରିବେ । ତେବେ ରାଜ୍ୟପାଳଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ବିଧାନସଭା ଭଙ୍ଗ ହେବାର ନିୟମ ରହିଛି ।” ଏହା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।

ଆଜି ରାଜ୍ୟ ସଚିବାଳୟଠାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ କହିଛନ୍ତି, ରାଜ୍ୟ କ୍ୟାବିନେଟ ମଧ୍ୟ ବାତ୍ୟା ପରବର୍ତ୍ତୀ ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ଲାଗି ଆର୍ଥିକ ସହାୟତା ଲାଗି ଏକ ପ୍ରସ୍ତାବ ମଞ୍ଜୁର କରିଛନ୍ତି । ଯାହାଫଳରେ କି ବାତ୍ୟ ପ୍ରପୀଡ଼ିତ ଜନସାଧାରଣ ଆର୍ଥିକ ସହାୟତା ପାଇପାରିବେ ।

– ଭୟଙ୍କର ବାତ୍ୟା ଫନି ପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାରେ ପୋଖରୀ ସଫା କାର୍ଯ୍ୟ ଲାଗି ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।

– ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇ ଦିନରାତି କାର୍ଯ୍ୟ ଜାରି ରଖିଥିବା କର୍ମଚାରୀଙ୍କ ଲାଗି ୨୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ଏବଂ ବାହାର ରାଜ୍ୟରୁ ଆସି ବାତ୍ୟା ବିପର୍ଯ୍ୟସ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଲାଗି ଦୈନିକ ଭତ୍ତା ବୃଦ୍ଧିକୁ ମଞ୍ଚୁ ର କରାଯାଇଛି ।

– ସେହିପରି ଯେଉଁ କୁଶଳୀ ଶ୍ରମିକମାନେ ନିୟୋଜିତ ହୋଇଛନ୍ତି ସେମାନଙ୍କ ଲାଗି ୩୭୦ରୁ ୫୫୫ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ଭତ୍ତା ୩୨୦ ଟଙ୍କାରୁ ୪୮୦ ଟଙ୍କା ବୃଦ୍ଧି କରାଯାଇଛି । ଏପରିକି ଅଣକୁଶଳୀ ଶ୍ରମିକମାନଙ୍କ ଲାଗି ମଜୁରୀ ୨୮୦ରୁ ୪୨୦ ଟଙ୍କାକୁ ବୃଦ୍ଧି କରିବା ନେଇ ମଞ୍ଚୁର ହୋଇଛି ।

Leave A Reply

Your email address will not be published.