ମହା ଝଡ଼

ମହା ଝଡ଼
ସୁକୁବିନା (ଜାପାନୀ)

ସକାଳୁ ସାମାନ୍ୟ ପବନ ବୋହିବା ଆରମ୍ଭ କରିଥିଲା । ତିନିଦିନ ତଳୁ ଖବରକାଗଜ ଟିଭିରେ କହୁଥିଲା ଝଡ଼ ହେବ – ଆଜି ହେବ କାଲି ହେବ କହି କହି ହେଲାନି; ତିନି ଦିନ ବିତିଗଲାଣି । ପବନ ଏ ଦୁଇ ତିନିଦିନ ଯେମିତି ହେଉଥିଲା ପ୍ରାୟ ସେମିତି ବା ଟିକିଏ ବେଶୀ । ଏଣୁ ଦୈନନ୍ଦିନ ଦୋକାନ ବଜାର, କାମଦାମ ଇତ୍ୟାଦି ଯେମିତି ଚାଲିବା କଥା ଠିକ୍ ଚାଲିଥିଲା । ଖରା ବେଳକୁ କିଛି ବଢ଼ିବଢ଼ି ଚାଲିଲା । ଯେଉଁମାନେ ପାରିଚନ୍ତି ସୁବିଧା କରି ଘରକୁ ଫେରି ଆସଛନ୍ତି, ହେଲେ ଦୂରଦୂରାନ୍ତକୁ ଯାଇଥିବା ଲୋକ ଫେରି ଆସିବା ସହଜ କଥାନୁହେଁ । ଦିନ ୪ଟା ସୁଦ୍ଧା ଅବସ୍ଥା ଅସମ୍ଭାଳ ହେଲାଣି । ଦୋକାନ ବଜାର ଅଫିସ୍ ସବୁ ବନ୍ଦ । ସମସ୍ତେ ନିଜ ନିଜ ଘରେ କବାଟ କିଳି ଭିତରୁ ଦ୍ୱାର ଝରକାକୁ ବନ୍ଧା ବନ୍ଧି କରି – କିରାସିନି ଡିଆସିଲି ଆଳୁ ପିଆଜ ଇତ୍ୟାଦି ଅତ୍ୟାବଶ୍ୟକ ଜିନିଷର ବ୍ୟବସ୍ଥାକରି ଆଶଙ୍କା ପୂର୍ଣ୍ଣ ମୂହୁର୍ତ୍ତ କଟାଇ ଚାଲିଛନ୍ତି । ଯେଉଁଠି ଅଫିସ୍, ଫାକ୍ଟ୍ରି ବା ଦୋକାନ ମାନଙ୍କରେ କର୍ମଚାରୀ ରହିଯାଇଛନ୍ତି, ଅନନ୍ୟୋପାୟ ହୋଇ ସେଇଠି ରାତି ରହିବାର ବନ୍ଦୋବସ୍ତ କରୁଛନ୍ତି । ଘରକୁ ଖବର ଦେବାର ଯାହାର ସୁବିଧା ଅଛି ସେ ବା ଦେଇପାରିବ, ଅନ୍ୟମାନେ ପରିବାରର ସୁବିଧା ତଥା ନିଜପାଇଁ ପରିବାରର ଦୁଶ୍ଚିନ୍ତା ଅନୁମାନ କରି ବ୍ୟସ୍ତତାରେ ସମୟ କାଟୁଚନ୍ତି ।

ଆମ ଘରେ କାଚ ଝରକା । ଗେରେଜ ଓ ପଛପଟ କବାଟ ଟିଣ ତିଆରି । ଅବସ୍ଥା ଦେଖି ତାକୁ ସବୁ କାଠପଟା ଦେଇ ପଛରୁ ଢେରା ବ୍ୟବସ୍ଥା କରି ଦଉଡ଼ି ଓ ତାର ଦେଇ ବାନ୍ଧି ଦେଇଥିଲୁ । କାଚ ଯଦିଓ ବର୍ତ୍ତମାନ ସୁଦ୍ଧା ଭାଙ୍ଗିନି ରାତିରେ କ’ଣ ହେବ କହି ହେଉନାହିଁ । ବେଶୀ ବ୍ୟସ୍ତ ପୁଅ ପାଇଁ । ଅଫିସ୍ରୁ ଫୋନ୍ କରିଦେଲା, “ଆସୁଛି । ବ୍ୟସ୍ତ ହେବ ନାହିଁ ।” କିନ୍ତୁ ତା’ର ଦେଖାନାହିଁ। ଆମରି ଘର ଚାରିପଟେ ଗଛ ଇଲେକ୍ଟ୍ରିକ୍ ଟେଲିଫୋନ୍ ଖୁଣ୍ଟ ସବୁ ଗଡ଼ିପଡ଼ୁଛି – ଏମିତି ଅବସ୍ଥାରେ ସେ ଆସିବ କେମିତି! ତା’ମା କାନ୍ଦୁଚି ଠାକୁରଙ୍କ ସାମ୍ନାରେ ବସି । ଖବର ଦେବାର ବା ପାଇବାର ବାଟ ନାହିଁ – କି ବାହାରକୁ ବାହାରିବା ମଧ୍ୟ ସମ୍ଭବ ନୁହେଁ ।

ଏମିତି ସମୟରେ ଗେଟ୍ ଖୋଲି ଜଣେ କିଏ ଭିତରକୁ ଆସିବାର କାଚ ଝରକାରେ ଦେଖି ଆମେ ଧାଇଁ ଯାଇ କବାଟ ଖୋଲିଲୁ । ଲୋକଟି ସାଇକେଲକୁ ଡେରିଦେଇ ଓଦା ଲୁଗାପଟାରେ ବାରଣ୍ଡାରେ ଛିଡ଼ା ହେଇଛି । ମୁଁ କହିଲି, “ଆଉ ଅପେକ୍ଷା କରିବା କଥା ଚିନ୍ତା କରନାହିଁ । ଏମିତି ଅବସ୍ଥାରେ ଘରକୁ ପଳା ନହେଲେ ଆଉ ଯାଇପାରିବ ନାହିଁ ।” ସେ ବୋଧହୁଏ ଆଉ ଆଗକୁ ଯିବା ମତଲବରେ ନଥିଲା । ପ୍ରଥମେ ତାକୁ ବୁଝାଇବାକୁ ଚେଷ୍ଟା କଲି – ଦେଖିଲି ସେ ଆଉ ଯିବାକୁ ଚାହୁଁନି । ମୋତେ ରାଗ ହେଲା । ଲୋକଟାର ନିଜ ପରିବାରର ସୁବିଧା ଅସୁବିଧା ବୁଝିବାକୁ ଇଚ୍ଛା ନାହିଁ ନା, ଜାଣି ଜାଣି ଅସୁବିଧା ମୁଣ୍ଡାଇବାକୁ “କାହିଁକି ଘରକୁ ଯିବି’ ଭାବି ରହିଯିବା ମତଲବରେ ଅଛି । କହିଲା, “ବାବୁ ସକାଳୁ ଜଳଖିଆ ଖାଇ ଯାଇଥିଲି – ଆଉ ଖାଇନି – ଖରାବେଳୁ ଦୋକାନ ବଜାର ସବୁ ବନ୍ଦ, ପେଡ଼ାଲ ମାରିବାକୁ ବଳନାହିଁ ।” ମୁଁ ଘରକୁ ପଶି ତା’ର ଖାଇବା ପାଇଁ ସଙ୍ଗେ ସଙ୍ଗେ ବ୍ୟବସ୍ଥା କରିଦେଲି । ଚୂଡ଼ା, କଦଳି ଗୁଡ଼ ଖାଇଦେଇ ଲୋକଟା ଓଦାଲୁଗାରେ ସେମିତି ବସି ରହିଥିଲା । ୟା ଭିତରେ ସାଇକେଲ୍କୁ ଆଣି ବାରଣ୍ଡା ଉପରେ ଚାବି ପକାଇ ରଖିଦେଇ ଲୁଗାପଟା ଚିପୁଡ଼ି ଦେଇ ବସିବାର ଦେଖି ମୁଁ ଆହୁରି ବିରକ୍ତ ହୋଇ ତାକୁ ଯିବାକୁ ନିଦେ୍ର୍ଧଶ ଦେଲି । ଭାବୁଥିଲି – ଆମ ପୁଅ ଯଦି ଘରକୁ ଆସିବ ଏଇ ଅବସ୍ଥାରେ, ଇଏ କାହିଁକି ତା’ ଘରକୁ ଯାଇପାରିବ ନାହିଁ ? ଶେଷରେ ମୋର ବେଶୀ ବିରକ୍ତ ହେବା ଶୁଣି ସ୍ତ୍ରୀ ଠାକୁରଘରୁ ସେମିତି ଲୁହଭରା ଆଖିରେ ଆସି କହିଲେ, “ଥାଉ ଯଦି ନଯାଇ ପାରିବ ସେ ପଛ ପାଖରେ ଗେରେଜ କି କେଉଁଠି ରହିଯାଉ, ଦେଖିବା କାଲି । ଆଜି ଆଉ ଏତେ ରାତିରେ ନଯାଉ ।” କହି ଚାକର ପିଲା ସହ ପଛପଟକୁ ପଠାଇଦେଲେ ।

ମୋ ରାଗ କହିଲେ ନସରେ । ତମେ ଜାଣିଚ ? ଏମିତି ଲୋକ ସବୁ ଚୋରି କରନ୍ତି । ଝଡ଼ ନାଁରେ ରହିଲା । କ’ଣ କିଛି ଜଣା ନାହିଁ କି ପରିଚୟ ନାହିଁ – ଏମିତି ଭାବରେ ଘର ଭିତରେ ଶୁଆଇବା ଠିକ୍ ହେଲା ନାହିଁ । ଆଉ କଥା ବଢ଼ିବା ପୂର୍ବରୁ ପୁଅ ଆସି ଗେଟ୍ ପାଖରେ ତା ମୋଟର ସାଇକେଲ ଲଗାଇ ଠିଆ ହୋଇଗଲା । ବର୍ଷା ପବନରେ ଆମେ ଦି’ଜଣ ଗେଟ ପାଖକୁ ଧାଇଁଗଲୁ। ଆଉଁଷା ଆଉଁଷି କରି ତାକୁ ଘରକୁ ଆଣି ଦି’ଜଣ ଦି’ଟା ତଉଲିଆ ଧରି ତା ଦେହ ମୁଣ୍ଡ ପୋଛିବାକୁ ଲାଗିଲୁ, ଆମ ଦିହ ମୁଣ୍ଡ ଓଦାକୁ ଭ୍ରୁକ୍ଷେପ ନକରି । ତେଲ ଗରମ କରି ତା ପାଦ ମାଲିସ ହେଲା । ଗରମ ଦୁଧ ପିଇବାକୁ ଦିଆଗଲା । ସମସ୍ତେ ଶୁଖିଲା ଲୁଗାପଟା ବଦଳାଇ ବିଛଣା ଉପରେ ବସି ରାସ୍ତାରେ ସେ କେମିତି ଭଙ୍ଗା ଗଛ ଡାଳକୁ କାଟି, ଟେଲିଫୋନ ଖୁଣ୍ଟ ତଳ ଦେଇ ଆସିଲା ବର୍ଣ୍ଣନା ଶୁଣିଲୁ । ସେଇ ବିଛଣା ଉପରକୁ ଖାଇବା ଆସିଲା – ଖାଇସାରି ଶୋଇବାକୁ ଗଲାବେଳକୁ ମନେ ପଡ଼ିଲା ସେ ଲୋକଟି କଥା । ମୁଁ ଚାକର ପିଲାକୁ ଡାକି ତା’କଥା ପଚାରିଲି । ସେ ଆଉ ଖାଇବ ନାହିଁ କହି ସେଇ ପଛପଟେ ଚୁଲି କଡ଼ରେ ବସିଥିଲା । ମୁଁ ଦି’ପାଦ ପଛ ବାରଣ୍ଡାକୁ ଆଗେଇ ତା ଆଡ଼କୁ ଚାହିଁଲି – କ’ଣ ତା’ର ମତଲବ ? ଚୋରି ଡକାୟତି ବା ସେପରି ଏକ ଦଳ ସହ ସମ୍ପର୍କ ରଖି ଆସିନିତ ? ସେ ନିଆଁକୁ ଚାହିଁଥାଏ ବେଳେ ବେଳେ ଉପରକୁ ଚାହିଁ ପୁଣି ନିଆଁକୁ ଚାହୁଁଥାଏ । ମୁଁ ତା ଆଖି ସହ ଉପରକୁ ଅନାଇଲି ଗେରେଜ ଘରର କବାଟ ଓ ଛାତ ଭିତରେ ଦଶ ଇଞ୍ଚର ଫାଙ୍କା । ସିଆଡ଼ୁ ଜୋରରେ ପାଣିପବନ ପିଟୁଛି । ଲୋକଟା ସେଇ ଆଡ଼କୁ ଅନାଉଚି । କ’ଣ ସେଇ ପଟୁ ପଶିବାର ସୁବିଧା ଅଛି ବୋଲି ଚିନ୍ତା କରୁଛି କି ?

ହଠାତ୍ ମୋତେ ଦେଖି ଲୋକଟି ଉଠି ପଡ଼ିଲା । ମୁଁ କହିଲି, “ପବନ ବର୍ଷା ଟିକେ କମିଲାଣି; ଆଶ୍ଚର୍ୟ୍ୟ ତମେ ଛୁଆ ପିଲା ଛାଡ଼ି ରହିଯାଇଚ କିପରି ?” ସେ ଆଶ୍ରୟ ପାଇଚି ବୋଲି କୃତକୃତ୍ୟ ହେଲାପରି ହେଉଥିଲା । ମୁଁ କହିଲି, “ଦେଖୁନ ଆମ ପୁଅ କିପରି ବର୍ଷା ପବନ ହେଉ ପଛେ ଆସି ଘରେ ପହଁଚିଲା” ସେ କହିଲା “ବାବୁ ଘର ଏଠୁ ଆହୁରି ଆଠ କିଲୋମିଟର । ଏ ରାତିରେ ଯାଇ ପାରିବି ନାହିଁ । ଆଜି ଜୀବନ ବଞ୍ଚିଲେ ସିନା କାଲି କ’ଣ କରିବି ।” ମୁଁ ରାଗିଯାଇ ପଳାଇ ଆସିଲି । ଦେଖିଲି ତାକୁ ଆମ ଚାକର ପିଲାଟି ତା ବିଛଣାରୁ ଖଣ୍ଡେ ଓ ତା ନିଜର ଲୁଙ୍ଗି ଚାଦର ଦେଇଚି ପିନ୍ଧିବାକୁ । ଘର ଭିତରକୁ ଆସି ପଦିଆକୁ କହିଲି, “ଦେଖ୍, ଘରେ ସାପ ପୋଷିଚୁ – ସାବଧାନ, ଚୋର ଡକାୟତ ହୋଇଥିବ ଯଦି-” ମୋ କଥାରେ ବାଧା ଦେଇ ସେ କହିଲା “ନାଇଁ ସାର୍ ସେ ଆଉ ଯିବା ଅବସ୍ଥାରେ ନାହିଁ ।”

ରାତିଟା ଗଲା । ରାତିସାରା ବର୍ଷା । ଶେଷ ଭାଗକୁ ପବନ କମିଥିଲା ଟିକିଏ । ସହରରେ ଏମିତି ଝଡ଼ ଗତ ଶହେ ବର୍ଷରେ ହୋଇ ନଥିବ । ସକାଳୁ ଉଠି ଖୋଜିଲା ବେଳକୁ ଲୋକଟି ଗଲାଣି । ମୁଁ ବାହାରକୁ ଆସିବାକୁ ଚେଷ୍ଟା କଲି- ନାଁ ସେମିତି ଭୀଷଣ ବର୍ଷା ପବନ ଲାଗିରହିଛି । ଆଜି ଆଉ ପୁଅ ଅଫିସ୍ ଯିବା କଥା ଉଠିଲାନି । ଘରେ ଆଳୁ, ପରିବା ପିଆଜ, କିରାସିନି, ଜେନେରେଟର ସବୁ ମହୁଜୁଦ୍ ଥିଲା । ଭଲକରି ପଟାରେ କଣ୍ଟା ମାରି କବାଟ ଝରକା ସବୁ ଆଉଥରେ ଦେଖିନେଲୁ – ନାଁ ଝଡ଼ରେ କିଛି ଭାଙ୍ଗିବାର ନାହିଁ ।

ସମସ୍ତେ ମିଶି ଖେଚୁଡ଼ି, ତରକାରୀ, ଭଜା, ପାମ୍ପଡ଼ କରି ଖାଇଲୁ । ତାସ ଖେଳିଲୁ । ଦୁଇଦିନ ଧରି ଏମିତି ବନ୍ଦ ହୋଇ ରହିଗଲୁ। ବାହାର ଗଛ, ଇଲେକି୍ଟ୍ର ଖୁଣ୍ଟ ଗଡ଼ି ପଡ଼ୁଥିଲା । କୁଡ଼ିଆ ଘରସବୁ ଉଡ଼ିଯାଇଥିଲା । ପାଣି ଆସି ତଳ ଅଞ୍ଚଳରେ ଘର ଭିତରକୁ ପଶୁଚି ବୋଲି ରେଡ଼ିଓ କହୁଥିଲା ।