Latest Odisha News

କୁକୁଡ଼ା ଓ ନଡ଼ିଆ ଚାଷୀଙ୍କ ସମେତ ଉଠା ଦୋକାନୀଙ୍କ ଲାଗି ବାତ୍ୟା ପରବର୍ତ୍ତୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଫନି ବାତ୍ୟା ପରବର୍ତ୍ତୀ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଉଠାଦୋକାନୀ, ବାତ୍ୟା ବିପର୍ଯ୍ୟସ୍ତ କୁକୁଡ଼ା ଚାଷୀ ତଥା ଉଠା ଦୋକାନୀମାନେ ଏହି ବାତ୍ୟା ପରବର୍ତ୍ତୀ ସ୍ୱତନ୍ତ୍ର ପ୍ୟାକେଜ ଦ୍ୱାରା ଆର୍ଥିକ ସହାୟତା ପାଇପାରିବେ ।

ସହରାଞ୍ଚଳର ଉଠାଦୋକାନୀ ସବୁଠାରୁ ଅଧିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁଁ ସେମାନଙ୍କ ଜୀବନ ଜୀବୀକାର ପୁନରୁଦ୍ଧାର ଲାଗି ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ବାତ୍ୟାରେ ପ୍ରଭାବିତ ହୋଇଥିବା ୧୧ଟି ସହରାଞ୍ଚଳର ପ୍ରାୟ ୩୦ ହଜାର ଉଠାଦୋକାନୀଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯିବ । ଏହି ସହାୟତା ସେମାନଙ୍କ ପୁନରୁଦ୍ଧାର ଲାଗି ଉଦ୍ଧିଷ୍ଟ ।

ସେହିପରି ଓଡ଼ିଶାରେ ଗତ ୩ ତାରିଖରେ ଘଟିତ ପ୍ରଳୟଙ୍କରୀ ଫନି ବାତ୍ୟାରେ ଅଧିକ ସଂଖ୍ୟାରେ ନଡ଼ିଆ ଗଛ କ୍ଷତିଗ୍ରସ୍ତ ହୋଇଛି । ଏହା ସାଧାରଣତଃ ଉପକୂଳ ଅଞ୍ଚଳରେ ମୁଖ୍ୟ ଜୀବନଜୀବିକା ଓ ରୋଜଗାରର ପନ୍ଥା ହୋଇଥାଏ । ତେଣୁ ନଡ଼ିଆ ଚାଷୀଙ୍କୁ ପୂର୍ବରୁ ଘୋଷଣା ହୋଇଥିବା କୃଷି ଇନପୁଟ ସବସିଡ଼ି ଏବଂ ଚାରା ଓ ବୃକ୍ଷ ରୋପଣ ସହାୟତା ସହିତ କ୍ଷତିଗ୍ରସ୍ତ ହୋଇଥିବା ନଡ଼ିଆ ଗଛ ପିଛା ୫୦୦ ଟଙ୍କା କରି ଆର୍ଥିକ ସହାୟତା ମିଳିବ । ଜଣେ ଚାଷୀଙ୍କୁ ସର୍ବାଧିକ ୨୫ଟି ନଡ଼ିଆ ଗଛ ପାଇଁ ଆର୍ଥିକ ସହାୟତା ଦିଆଯିବ ।

ଭୟଙ୍କର ବାତ୍ୟର ଫନିରେ ଛୋଟ ଛୋଟ କୁକୁଡ଼ା ଚାଷୀମାନେ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରେ କୁକୁଡ଼ା ଚାଷୀଙ୍କୁ ବ୍ରଏଲର୍ ୟୁନିଟର ପୁନରୁଦ୍ଧାର ଲାଗି ୭୫ ପ୍ରତିଶତ ସବସିଡ଼ି ପ୍ରଦାନ କରାଯିବ । ଅନ୍ୟୁନ ୫୦୦ କୁକୁଡ଼ା ରଖିଥିବା ୟୁନିଟକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡ଼ି ପ୍ରଦାନ କରାଯିବ । ଏହି ପ୍ରକ୍ରିୟାରେ ୨୦୦୦ କ୍ଷୁଦ୍ର ବ୍ରଏଲର୍ ୟୁନିଟକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.